ରେଳବାଇ ଉପରେ ଜନତା କର୍ଫ୍ୟୁର ପ୍ରଭାବ : ପୂର୍ବତଟ ରେଳପଥର ୧୪୧ଟି ଟ୍ରେନ୍ ବାତିଲ୍

Published By : Prameya-News7 Bureau | March 22, 2020 IST

ଭୁବନେଶ୍ବର ୨୨।୩: ଜନତା କର୍ଫ୍ୟୁ ପାଇଁ ଆଜି ରେଲୱେର ସମସ୍ତ ଟ୍ରେନ୍ ବାତିଲ । କେବଳ ପୂର୍ବତଟ ରେଳପଥ ବାତିଲ କଲା ୧୪୧ଟି ଟ୍ରେନ୍ । ଆଜି ଭୋର ୪ଟା ପରେ କୌଣସି ଟ୍ରେନ୍  ଛାଡ଼ିବନାହିଁ । ଦୀର୍ଘ ୧୮ ଘଣ୍ଟା ଅର୍ଥାତ୍ ରାତି ୧୦ଟା ପର୍ଯ୍ୟନ୍ତ କୌଣସି ଷ୍ଟେସନରୁ ନୂଆ ଟ୍ରେନ୍  ବାହାରିବ ନାହିଁ। କିନ୍ତୁ ସକାଳ ୪ଟା ପୂର୍ବରୁ ଛାଡ଼ିଥିବା ଟ୍ରେନ୍ ଗୁଡ଼ିକ ନିଜର ଗନ୍ତବ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ନାହିଁ। ପୂର୍ବତଟ ରେଳପଥର ମୁଖ୍ୟ ଲୋକସଂପର୍କ ଅଧିକାରୀ ଜେପି ମିଶ୍ର ଏକ ପ୍ରେସ୍  ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି।

କୌଣସି ଏକ ନିର୍ଦ୍ଧିଷ୍ଟ ଷ୍ଟେସନରୁ ୪ଟା ପୂର୍ବରୁ ବାହାରିଥିବା ଟ୍ରେନଗୁଡ଼ିକର ଚଳାଚଳକୁ ଅନୁମତି ମିଳିଛି। ଏଭଳି ଟ୍ରେନ୍ ଗୁଡ଼ିକ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବ। ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁସାରେ ୪୮ଟି ଏକ୍ସପ୍ରେସ୍  ଟ୍ରେନ୍ , ୯୩ଟି ସାଧାରଣ ପାସେଞ୍ଜର ଟ୍ରେନ୍  ବାତିଲ କରାଯାଇଛି। ଏହିଭଳି ପୂର୍ବତଟ ରେଳପଥ ଦ୍ବାରା ‘ଜନତା କର୍ଫ୍ୟୁ ’କୁ ଦୃଷ୍ଟିରେ ରଖି ମୋଟ ୧୪୧ଟି ଟ୍ରେନ୍  ବାତିଲ କରାଯାଇଥିବା ଜଣାପଡ଼ିଛି।

ସେପଟେ ଶତାଧିକ ଟ୍ରେନ ବାତିଲକୁ ଦୃଷ୍ଟିରେ ରଖି ଟିକେଟ କ୍ୟାସଲେସନ ନିୟମରେ କିଛି ପରିମାଣରେ କୋହଳ କରିଛି ଭାରତୀୟ ରେଳବାଇ ।  ମାର୍ଚ୍ଚ ୨୧ ତାରିଖରୁ ଏପ୍ରିଲ୍ ୧୫ ତାରିଖ ଭିତରେ ଯେଉଁ ଟ୍ରେନ୍  ବାତିଲ୍ ହୋଇଛି, ସେହି  ଟ୍ରେନର ଯାତ୍ରୀମାନେ  ଯାତ୍ରା ତାରିଖଠାରୁ ୪୫ ଦିନ ପର୍ଯ୍ୟନ୍ତ ଟିକେଟ୍ ଦାଖଲ କରି କାଉଣ୍ଟରରେ ଟଙ୍କା ଫେରସ୍ତ ନେଇପାରିବେ।

ଠିକ୍ ସେହିପରି ମାର୍ଚ୍ଚ ୨୧ ତାରିଖରୁ ଏପ୍ରିଲ୍ ୧୫ ଭିତରେ ଯେଉଁ ଟ୍ରେନ୍ ବାତିଲ ହୋଇନାହିଁ, ସେହି  ଟ୍ରେନର ଯାତ୍ରୀମାନେ ରେଳ ଷ୍ଟେସନରେ ଯାତ୍ରା ତାରିଖଠାରୁ ୩୦ ଦିନ ମଧ୍ୟରେ ଟିଡିଆର୍ ଦାଖଲ କରିପାରିବେ | ଟ୍ରେନ୍ ଚାର୍ଟରୁ ଯାଞ୍ଚ ଅନୁଯାୟୀ ଟିକେଟ୍ ଜମା ରସିଦ ଦାଖଲ କରିବାର ୬୦ ଦିନ ସହିତ ଫେରସ୍ତ ପାଇଁ ଟିଡିଆର୍ ସିସିଓ / ସିସିଏମ୍ ଦାବି କାର୍ଯ୍ୟାଳୟରେ ଦାଖଲ କରାଯାଇପାରିବ| ଯେଉଁ ଯାତ୍ରୀମାନେ ୧୩୯ ମାଧ୍ୟମରେ ଟିକେଟ୍ ବାତିଲ୍ କରିବାକୁ ଚାହୁଁଛନ୍ତି, ସେମାନେ ଯାତ୍ରା ତାରିଖଠାରୁ ୩୦ ଦିନ ମଧ୍ୟରେ କାଉଣ୍ଟରରେ ଟିକେଟ୍ ଦେଇ ଟଙ୍କା ଫେରସ୍ତ ପାଇପାରିବେ ବୋଲି ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.