ଗୁଜରାଟରେ ଭୂକମ୍ପ ଝଟକାରେ ଥରି ଉଠିଲା ମାଟି, ତୀବ୍ରତା ୫.୮

Published By : Prameya-News7 Bureau | June 14, 2020 IST

ରାଜକୋଟ୍ ୧୪।୦୪: ଦେଶ ସଂପ୍ରତି କରୋନା ମହାମାରୀ ସହିତ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଦିଲ୍ଲୀ-ଏନସିଆରରେ ଚଳିତ ବର୍ଷ ଅନେକ ଥର ଭୂକମ୍ପ ହେବା ପରେ ଆଜି ଗୁଜରାଟ ମାଟି ଦୋହଲିଛି। ଆଜି ରାତି ୮ଟା ୧୩ ମିନିଟ୍‌ରେ ଗୁଜରାଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ରାଜକୋଟରୁ ୧୨୨ କିଲୋମିଟର ଉତ୍ତର-ପଶ୍ଚିମରେ ଥିବା କୁହାଯାଉଛି। ଏ ପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି ସୂଚନା ମିଳିନାହିଁ।

wp:core-embed/twitter {"url":"https://twitter.com/ANI/status/1272179929975676928","type":"rich","providerNameSlug":"twitter","className":""}
https://twitter.com/ANI/status/1272179929975676928
/wp:core-embed/twitter

ଭୂକମ୍ପର ଝଟକା ଅନୁଭୂତ ହେବା ମାତ୍ରେ ଲୋକେ ଭୟରେ ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରି ଆସିଛନ୍ତି। ଭୂକମ୍ପର ଝଟକା ବହୁତ ଜୋର ଥିଲା ବୋଲି ଲୋକେ କହିଛନ୍ତି। କିଛି ସେକେଣ୍ଟ ପର୍ଯ୍ୟନ୍ତ ଝଟକା ଅନୁଭୂତ ହୋଇଥିଲା। କିନ୍ତୁ ଅଦ୍ୟାବଧି କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ।

ଗୁଜରାଟରେ ଭୂକମ୍ପ ହେଲେ ଲୋକଙ୍କୁ ୨୦୦୧ ମସିହାର ଶକ୍ତିଶାଳୀ ଭୂକମ୍ପ କଥା ମନେ ପଡିଯାଏ। ଜାନୁଆରୀ ୨୬ ସକାଳେ ଘଟିଥିବା ଭୂକମ୍ପରେ ହଜାର ସଂଖ୍ୟାରେ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ବହୁ ସଂଖ୍ୟାରେ ଲୋକ ବେଘର ହୋଇ ଯାଇଥିଲେ। ଅନେକ ସହର, ଟାଉନ ଓ ଗାଁ ଧ୍ଵଂସ ହୋଇ ଯାଇଥିଲା। ସେହି ଦିନ ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛ ଥିଲା ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ଥିଲା।

ଉଲ୍ଲେଖନୀୟ,  ଗତ ଦୁଇ ତିନି ମାସ ହେବ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ଭୂକମ୍ପ ଝଟକା ଅନୁଭୂତ ହେଉଛି। ଦିଲ୍ଲୀ-ଏନସିଆରରେ ଭୂକମ୍ପରେ ଗତ ୪୫ ଦିନରେ ୧୦ରୁ ଅଧିକ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। କେବଳ ଏତିକି ନୁହେଁ ଜାମ୍ମୁ-କାଶ୍ମୀର, ଝାରଖଣ୍ଡ ସମେତ ଅନେକ ରାଜ୍ୟରେ ଗତ କିଛି ଦିନରେ ଭୂକମ୍ପ ଝଟକା ଅନୁଭୂତ ହୋଛି। କିନ୍ତୁ ଅଧିକାଂଶ ଭୂକମ୍ପର ତୀବ୍ରତା କମ୍ ରହିଛି ଏବଂ କୌଣସି ଜାଗାରେ ମଧ୍ୟ କ୍ଷୟକ୍ଷତି ଘଟିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.