ଇଣ୍ଡୋନେସିଆରେ ଭୂକମ୍ପର ତାଣ୍ଡବ: ୪୨ ମୃତ, ୮୦୦ରୁ ଅଧିକ ଆହତ
16/01/2021 at 4:08 PM

ଜାକର୍ତ୍ତା ୧୬/୦୧ : ଇଣ୍ଡୋନେସିଆର ପଶ୍ଚିମ ସୁଲାୱେସି ପ୍ରାନ୍ତରେ ହୋଇଥିବା ୬.୨ ତୀବ୍ରତା ଭୂକମ୍ପରେ ଏବେ ସୁଦ୍ଧା ୪୨ ଜଣଙ୍କ ମୃତ୍ୟୁ ହୋଇଛି। ଭୂକମ୍ପରେ ୮୦୦ରୁ ଅଧିକ ଆହତ ହୋଇଛନ୍ତି। ଭୂକମ୍ପ ପ୍ରଭାବିତ ଅଞ୍ଚଳରୁ ୧୫ ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅଧିକାରୀ ସୂଚନା ଦେଇଛନ୍ତି ଯେ ଭୂକମ୍ପ ଯୋଗୁଁ ଘର ଓ ବଡ ବଡ କୋଠା କ୍ଷତିଗ୍ରସ୍ତ ହୋଇଛି।

ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ପ୍ରବକ୍ତା ରାଦିତ୍ୟ ଜତି ସମାଚାର ଏଜେନ୍ସି ସିହ୍ନୁଆକୁ କହିଛନ୍ତି ଯେ ଶୁକ୍ରବାର ଦିନ ମାମୁଜୁ ସହର ଓ ମଜେନେ ଜିଲ୍ଲାରେ ଭୂକମ୍ପ ପରେ ଆହତଙ୍କୁ ଫିଲ୍ଡ ହସ୍ପିଟାଲ ଓ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବକ୍ତା ଖୁଲାସା କରିଛନ୍ତି ଯେ ମାମୁଜୁ ସହରରେ ୧୮୯ ଜଣ ଗମ୍ଭୀର ଆହତ ହୋଇଛନ୍ତି ଏବଂ ୬୩୯ ସାମାନ୍ୟ ଆହତ ହୋଇଛନ୍ତି।

ପ୍ରାଦେଶିକ ସାମାଜିକ କାର୍ଯ୍ୟାଳୟର ଜଣେ ଅଧିକାରୀ ସିୟରିଫୁଦ୍ଦିନ ଏସ କହିଛନ୍ତି ଯେ ଭୂକମ୍ପରେ ମାମୁଜୁ ସହରରେ ମିତ୍ରା ମନକରା ହସ୍ପିଟାଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ପ୍ରବକ୍ତା କହିଛନ୍ତି ଯେ ସ୍ଥାନାନ୍ତରିତ କରାଯାଇଥିବା ଲୋକଙ୍କୁ ୧୦ଟି ନିରାପତ୍ତା କେନ୍ଦ୍ରରେ ରଖାଯାଇଛି। ଭୂକମ୍ପ ପ୍ରଭାବିତ ଲୋକଙ୍କୁ ଜରୁରୀକାଳୀନ ରିଲିଫ ସାମଗ୍ରୀ ପଠାଯାଇଛି। ବିପଦ ମୂଲ୍ୟାଙ୍କନ ଓ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କାମ ବର୍ତ୍ତମାନ ମଧ୍ୟ ଜାରି ରହିଛି।

ଅଧିକାରୀଙ୍କ ଅନୁସାରେ, ଗତ ୩୦ ଦିନ ମଧ୍ୟରେ ଇଣ୍ଡୋନେସିଆରେ ୬.୦ ଓ ତାଠାରୁ ଅଧିକ ତୀବ୍ରତାର ଭୂକମ୍ପ ୩ଥର, ୫.୦ ରୁ ୬.୦ ତୀବ୍ରତା ମଧ୍ୟରେ ୨୨ଟି ଭୂକମ୍ପ, ୪.୦ ରୁ ୫.୦ ତୀବ୍ରତା ମଧ୍ୟରେ ୧୪୩ଟି ଭୂକମ୍ପ, ୩.୦ ରୁ ୪.୦ ତୀବ୍ରତା ମଧ୍ୟରେ ୩୬୭ ଭୂକମ୍ପ ଏବଂ ୨.୦ ରୁ ୩.୦ ତୀବ୍ରତା ମଧ୍ୟରେ ୧୪୭ଥର ଭୂକମ୍ପ ହୋଇଛି।

୨୦୧୯ ସେପ୍ଟେମ୍ବର ୨୬ ତାରିଖରେ ଭୂକମ୍ପରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୭୮ ଜଣ ଆହତ ହୋଇଥିଲା। ପାଖାପାଖି ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ସେତେବେଳେ ଭୂକମ୍ପ ତୀବ୍ରତା ୬.୫ ଥିଲା।