ହିମାଚଳରେ ୨୪ ଘଣ୍ଟାରେ ଦ୍ୱିତୀୟ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୩.୫

Published By : Prameya-News7 Bureau | March 09, 2021 IST

ଶିମଲା ୦୯/୦୩ : ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାରେ ପୁଣିଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଲଗାତାର ଦ୍ୱିତୀୟ ଦିନ ଏଠତେ ଭୂକମ୍ପ ହୋଇଛି। ମଙ୍ଗଳବାର ଅପର୍ହା ସାଢେ ୧୨ଟା ସମୟରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା। ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଶିମଲା ପାଣିପାଗ ବିଭାଗ ଭୂକମ୍ପ ହୋଇଥିବା ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୮ ତାରିଖ ସୋମବାର ଦିନ ସକାଳ ୧୦ଟା ୨୦ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ଥିଲା।

ହିମାଚଳ ଚମ୍ବା ଜିଲ୍ଲାରେ ସବୁଠାରୁ ଅଧିକ ଭୂକମ୍ପ ହୋଇଥାଏ। ଏହାପରେ କିନ୍ନୌର, ଶିମଲା, ବିଳାସପୁର ଓ ମଣ୍ଡି ସମ୍ବେଦନଶୀଳ ଜୋନରେ ରହିଛି। ଶିମଲାକୁ ନେଇ ମଧ୍ୟ ଚେତାବନୀ ଜାରି କରାଯାଇଥିଲା ଯେ ସହର ଭୂକମ୍ପ ଭଳି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ନୁହେଁ। ୧୯୭୫ ମସିହାରେ କିନ୍ନୌରରେ ବଡ ଧରଣର ଭୂକମ୍ପ ହୋଇଥିଲା। ୧୯୦୫ରେ କାଙ୍ଗଡାରେ ମଧ୍ୟ ବଡ ଧରଣର ଭୂକମ୍ପ ହୋଇଥିଲା ଯେଉଁଥିରେ ୨୦ ହଜାର ଲୋକ ପ୍ରାଣ ହରାଇଥିଲେ।

ହିମାଳୟ ପର୍ବତାଞ୍ଚଳରେ ଭୂକମ୍ପ ନେଇ ବୈଜ୍ଞାନିକ ଚେତାବନୀ ଜାରି କରିଛନ୍ତି। ଏଠାରେ ବଡ ଧରଣର ଭୂକମ୍ପ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮ ଓ ୮ରୁ ଅଧିକ ହୋଇପାରେ ବୋଲି କହିଛନ୍ତି। ବୈଜ୍ଞାନିକ ଦାବି କରିଛନ୍ତି ଯେ ହିମାଳୟ ଆଖପାଖ ଜନବସତି ଅଞ୍ଚଳରେ ଭାରି କ୍ଷୟକ୍ଷତି ହୋଇପାରେ। ରାଜଧାନୀ ଦିଲ୍ଲୀରେ ମଧ୍ୟ ଭୂକମ୍ପ ହେବ ବୋଲି ବୈଜ୍ଞାନିକ କହିଛନ୍ତି। ତେବେ ଭୂକମ୍ପ କେବେ ହେବ ତାହା ଅନୁମାନ କରାଯାଇନାହିଁ। ବୈଜ୍ଞାନିକଙ୍କ ଅନୁଯାୟୀ, ପୂର୍ବ ଭାରତର ଅରୁଣାଚଳ ପ୍ରଦେଶରୁ ପଶ୍ଚିମରେ ପାକିସ୍ତାନ ଯାଏଁ ବିସ୍ତାର କରିଥିବା ହିମାଳୟ ପର୍ବତମାଳା କ୍ରମାଗତ ଭୂକମ୍ପର ଗଡ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.