ଦିଲ୍ଲୀ, ଏନସିଆରରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୦
12/04/2020 at 5:28 PM

ନୂଆଦିଲ୍ଲୀ ୧୨।୦୪: ଦିଲ୍ଲୀ-ଏନସିଆରରେ ରବିବାର ସନ୍ଧ୍ୟାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିବା ଜଣା ପଡିଛି। ଦିଲ୍ଲୀ-ଏନସିଆର ସମେତ ନୋଏଡା, ଗାଜିଆବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।
ରବିବାର ସନ୍ଧ୍ୟା ପ୍ରାୟ ୫ଟା ୪୫ରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି। ଲକ୍ଡାଉନ୍ କାରଣରୁ ଘରେ ରହୁଥିବା ଲୋକଙ୍କ ମଧ୍ୟର ଆତଙ୍କ ଦେଖିବାକୁ ମିଳିଛି। ଲୋକେ ଅଚାନକ ଭୟରେ ନିଜ ନିଜ ଘରୁ ବାହାରକୁ ଚାଲି ଆସିଥିଲେ। ଯେଉଁ ଲୋକ ଘରୁ ବାହାରି ପାରିନଥିଲେ ସେମାନେ ବାଲକୋନିକୁ ଚାଲି ଆସିଥିବା ଦେଖିବାକୁ ମିଳିଛି।
ମିଡିଆ ରିପୋର୍ଟ ଅନୁଯାୟୀ ଭୂକମ୍ପର କେନ୍ଦ୍ର ଆଉ କୌଣସି ଜାଗା ନୁହଁ ଦିଲ୍ଲୀ ହିଁ ଅଟେ। ଦିଲ୍ଲୀର ୬.୫ କିଲୋମିଟର ତଳେ ହିଁ ଭୂକମ୍ପର କେନ୍ଦ୍ର ସ୍ଥଳ ଥିବା କୁହାଯାଉଛି। ବିଶେଷଜ୍ଞଙ୍କ ଅନୁଯାୟୀ ଭୂକମ୍ପର ଝଟକା ଏତେ ତୀବ୍ର ନଥିଲା। ତେଣୁ ଘରେ ରୁହାଯାଇ ପାରିବ। ଏହି ଭୂକମ୍ପରେ କୌଣସି ପ୍ରକାରର କ୍ଷୟକ୍ଷତି ସୂଚନା ନାହିଁ। ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯଦି ଭୂକମ୍ପର କେନ୍ଦ୍ର ମାଟି ତଳୁ ୧୫ ରୁ ୨୦ କିଲୋମିଟର ଭିତରେ ରହିଥାନ୍ତା ତେବେ ରିକ୍ଟର ସ୍କେଲରେ ତୀବ୍ରତା ଅଧିକ ହୋଇଥାନ୍ତା ଏବଂ ଝଟକା ଅଧିକ ଇଲାକାରେ ଅନୁଭୂତ ହୋଇଥାନ୍ତା।