ନୂଆ ରୁପ ଆଉ ରଙ୍ଗ ରେ ବଜାରକୁ ଆସିଛି ମାଟି ଦୀପ

Published By : Prameya-News7 Bureau | October 24, 2019 IST

କଟକ ୨୪.୧୦ - ଆଗକୁ ଆଲୋକର ପର୍ବ ଦୀପାବଳୀ ।ହେଲେ ଦିନକୁ ଦିନ ବଜାରରେ ଚାଇନା ସାମଗ୍ରୀର ବହୁଳ ବ୍ୟବହାର ହେଉଥିବାରୁ ମାଟିଦୀପ ଓ ମାଟି ତିଆରି ସାମଗ୍ରିର ଚାହିଦା କମି କମି ଯାଉଛି। କିନ୍ତୁ ଏହାର ଚାହିଦା ଫେରାଇ ଆଣିବାକୁ କୁମ୍ଭାର ପରିବାର ନୂଆ ରୁପ ଆଉ ରଙ୍ଗ ଦେଇ  ବଜାରକୁ ଆଣିଛନ୍ତି ମାଟି ଦୀପ ।ଯାହାକୁ ଗ୍ରାହକ ମାନେ ପସନ୍ଦ କରିବାରେ ଲାଗିଛନ୍ତି

ଆଲୋକର ପର୍ବ ଦୀପାବଳୀରେ ମୁଖ୍ୟ ଆକର୍ଷଣ ଥାଏ ମାଟି ଦୀପର । କିନ୍ତୁ ରଙ୍ଗ ବେରଙ୍ଗି ଆକର୍ଷଣୀୟ ମହମବତୀ  ଓ  ଚାଇନା ନିର୍ମିତ ଆଲୋକ ବଜାରରେ ପ୍ରବେଶ କରିବା ପରେ ମାଟି ଦୀପର ଚାହିଦା କମି ଯାଇଛି । କିନ୍ତୁ ପୁଣି ଥରେ ସେଇ ପୂର୍ବ ଆକର୍ଷଣ ଫେରାଇ ଆଣିବାକୁ ମାଟି ଦୀପ ଗୁଡିକୁ ବିଭିନ୍ନ ପ୍ରକାର ନୂଆ ରୂପ ରଙ୍ଗ ଦେଇ ବଜାରକୁ ଛାଡିଛନ୍ତି ଲୁଣୁକୁଆ ଗ୍ରାମର କୁମ୍ଭାର ପରିବାର । ୩୦ ରୁ ୪୦ ପ୍ରକାର ମାଟିର ଦୀପ ଯଥା ଗଣେଶଦୀପ, ଶଖିଦୀପ, ଶଂଖଦୀପ, ଗଛଦୀପ, ଷ୍ଟାଂଡ ଦୀପ, ତ୍ରୀମୁଖି ଓ ପଂଚମୁଖି ଦୀପ ପରି ଭଳକି ଭଳି ଦୀପ ତିଆରି କରିବା ପରେ ସେଗୁଡିକୁ ବିଭିନ୍ନ ଆକର୍ଷଣିୟ ରଙ୍ଗରେ ସଜାଇ ନିକଟସ୍ଥ ବ୍ୟବସାୟୀ ମାନଙ୍କୁ ବିକ୍ରି କରିବା ପାଇଁ ଯୋଗାଇଥାନ୍ତି ଏମାନେ।

ଲୁଣୁକୁଆ ଗ୍ରାମରେ ପ୍ରାୟ ଶତାଧିକ କୁମ୍ଭକାର ପରିବାର ବସବାସ କରୁଛ’ି। ଏମାନେ ପୁର୍ବରୁ ମାଟିହାଣ୍ଡି, ମାଠିଆ, କଳସ, କୁଅନନ୍ଦ ଓ ମାଟିଦୀପ ଭଳି ଜିନିଷ ତିଆରିକରି ଗାଁ ଗାଁ ବୁଲି ବିକ୍ରି କରୁଥିଲେ । ଏବେ କିନ୍ତୁ ବିଭିନ୍ନ ସ୍ଥାନରୁ ବ୍ୟବସାୟି ଓ ଗ୍ରାହକ ମାନେ ଆସି ଲୁଣୁକୁଆ ଗାଁରୁ ଟେରାକୋଟା ତିଆରି ସାମଗ୍ରୀ କିଣି ନେଉଛନ୍ତି । ଗାଁର ବେକାର ଶିକ୍ଷିତ ଯୁବକ ଯୁବତୀ  ଓ ମହିଳା ମାନେ ମଧ୍ୟ ସ୍ବୟଂ ସହାୟକ ଗୋଷ୍ଠି ଗଠନ କରି ଏହିଭଳି ଦୀପ ଓ ବିଭିନ୍ନ ମାଟି ତିଆରି ଜିନିଷ ତିଆରିକରି ମାସିକ ୩ ରୁ ୫ ହଜାର ଟଙ୍କା ରୋଜଗାର ମଧ୍ୟ କରିପାରୁଛନ୍ତି।

ଆଲୋକର ପର୍ବ ଅବସରରେ ମହମବତୀ ଓ ଚାଇନା ଲାଇଟ୍ ନ ଜଳାଇ ପାରମ୍ପରିକ ଦୀପ ଜଳାଇ ପ୍ରଦୂଷଣ ମୁକ୍ତ ଦୀପବଳୀ ପାଳନ କରିବାକୁ ଲୋକେ ଏବେ ପସନ୍ଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.