ପରିକ୍ରମଣ ବେଳେ ସୁମଧୂର ସଙ୍ଗୀତ ସୃଷ୍ଟି କରୁଛି ପୃଥିବୀ,ସିଦ୍ଧାନ୍ତକୁ ମାନିଲେ ହାୱାଇ ବିଶ୍ୱବିଦ୍ୟାଳୟ
17/07/2020 at 4:31 PM

ହାୱାଇ ୧୭।୭: ଏକାକୀ ଚାଲିବା ବେଳେ ଗୁଣଗୁଣେଇବା ଅନେକଙ୍କ ଅଭ୍ୟାସ। ତେବେ ଏହା କେବଳ ମଣିଷଙ୍କର ନୁହେଁ ଆମେ ବାସ କରୁଥିବା ପୃଥିବୀ ମଧ୍ୟ ନିଜ କକ୍ଷପଥ ପରିକ୍ରମଣ କରିବା ବେଳେ ଏହିପରି ସୁମଧୁର ସଙ୍ଗୀତର ମୂର୍ଚ୍ଛନା ସୃଷ୍ଟି କରୁଥିବା ପ୍ରଥମଥର ଜଣା ପଡିଛି। ଯେପରି କେହି ବ୍ୟାଣ୍ଡ ବଜେଇ ବଜେଇ ଯାଉଛି ବୋଲି ହାୱାଇ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ କହିଛନ୍ତି। ପୃଥିବୀର ପରିକ୍ରମଣ ବେଳେ ସୃଷ୍ଟି ହେଉଥିବା ଏହି ଶବ୍ଦର ତରଙ୍ଗ ଘଣ୍ଟାପ୍ରତି ପ୍ରାୟ ୧ହଜାର କିଲୋମିଟର ବେଗରେ ବିଭିନ୍ନ ଆଡକୁ ବିଚ୍ଛୁରିତ ହେଉଥିବା ବୈଜ୍ଞାନିକ ସୂଚିତ କରିଛନ୍ତି।

ପୃଥିବୀର ଏହି ମୁର୍ଚ୍ଛନା ପାରମ୍ପରିକ ନୁହେଁ। ଏହାକୁ ଆମେ ଶୁଣି ପାରୁନେ, ହେଲେ ଏହା ସମଗ୍ର ପରିବେଶକୁ ପ୍ରକମ୍ପିତ କରୁଥିବା ନେଇ ଶହଶହ ବର୍ଷରୁ ପ୍ରଚଳିତ ସିଦ୍ଧାନ୍ତକୁ ଏବେ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ସତ୍ୟ ବୋଲି କହିଛନ୍ତି। ବାୟୁମଣ୍ଡଳୀୟ ଚାପର ତରଙ୍ଗ ସମଗ୍ର ପୃଥିବୀ ଦେଇ ଗତି କରୁଛି ଓ ଭୂ ମଧ୍ୟ ରେଖାକୁ ମଧ୍ୟ ଯାଉଛି। କିଛି ଶବ୍ଦ ତରଙ୍ଗ ପୂର୍ବରୁ ପଶ୍ଚିମକୁ ଯାଉଥିବା ବେଳେ କିଛି ପଶ୍ଚିମରୁ ପୂର୍ବକୁ ଫେରୁଛି। ଏହା ଠିକ୍ ପୃଥିବୀର ସଙ୍ଗୀତ ଭଳି ପ୍ରତୀତ ହେଉଛି । ଡ୍ରମ ବିଟ୍ ପରି ପୃଥିବୀର ଗୋଟିଏ ଗୋଟିଏ ଶବ୍ଦ ତରଙ୍ଗ ଘଣ୍ଟାପ୍ରତି ୧୦୦୦ କିଲୋମିଟର ବେଗରେ ପୁରା ଗ୍ରହକୁ ଅତିକ୍ରମ କରିଯାଉଛି।

ପୃଥିବୀ ଓ ଏହାର ତାଳ, ଲୟ
ଆମେ ପୃଥିବୀର ସଙ୍ଗୀତ ଶୁଣିପାରୁନେ, ହେଲେ ସାରା ପୃଥିବୀ ଭ୍ରମଣ କରୁଥିବା ମଧୂର ମୂର୍ଛନା ବୈଶ୍ୱିକ ବାତାବରଣରେ ଗୁଞ୍ଜରିତ ହେଉଛି। ଯେପରି ମନ୍ଦିରରେ ଘଣ୍ଟି ବାଜିଲେ ଉତ୍ପନ୍ନ ହେଉଥିବା ଶବ୍ଦ । ପୃଥିବୀର ମୂର୍ଛନା ନେଇ ଗବେଷଣା କରୁଥିବା ବୈଜ୍ଞାନିକ ତାକାଟୋସୀ ସାକାଜାକୀ ଏ ନେଇ ପ୍ରସ୍ତୁତ କରିଥିବା ଅଧ୍ୟୟନ ରିପୋର୍ଟରେ ଏହି ଗତିମାନ ସଙ୍ଗୀତମୟ ଶବ୍ଦ ତରଙ୍ଗ ସବୁ ଠିକ୍ ଆମେ ମାନେ ବର୍ଷବର୍ଷରୁ ଆବୃତ୍ତି କରୁଥିବୀ ଗୀତର ସୈଧାନ୍ତିକ ଛନ୍ଦ,ତାଳ ଓ ଲୟ ଭଳି। ଯାହା ବହୁ ପୂର୍ବରୁ ଛନ୍ଦବଦ୍ଧ ହୋଇସାରିଛି।

ଏହି ସଙ୍ଗୀତମୟ ଶବ୍ଦ ପାଟର୍ଣ୍ଣକୁ ପ୍ରମାଣିତ କରିବା ଲାଗି ବୈଜ୍ଞାନିକମାନେ ଗତ ୩୮ ବର୍ଷ ହେଲା ସାରା ବିଶ୍ୱରେ ପ୍ରତିଘଣ୍ଟାରେ ସୃଷ୍ଟି ହୋଇଥିବା ବାୟୁମଣ୍ଡଳୀୟ ଚାପର ବିସ୍ତୃତ ବିବରଣୀ ପ୍ରସ୍ତୁତ କରିଛନ୍ତି। ଏଥିରେ ୟୁରୋପିୟନ ସେଣ୍ଟର ଅଫ ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ (ଇସିଏମଡବ୍ଲୁଏଫ) ଙ୍କ ଇଆରଏ-୫ ଦ୍ୱାରା ନିର୍ମିତ ବାୟୁମଣ୍ଡଳିୟ ରିନାଲିସିସ୍ ଡାଟା ସେଟ୍ରେ ୩ଲକ୍ଷ ୩୨ ହଜାର ୮୮୦ଘଣ୍ଟାର ପୃଥିବୀ ସଙ୍ଗୀତ ରେକର୍ଡ କରିଛି।