ମହାମାରୀରେ ମାଲାମାଲ ବିଶ୍ବର ୧୦ ଧନୀ, ମିଳିତ ସମ୍ପତ୍ତିରେ ଦୂର ହୋଇପାରିବ କରୋନା ଜନିତ ଦାରିଦ୍ରତା, ପୂରଣ କରିହେବ ବିଶ୍ବବାସୀଙ୍କ ଭ୍ୟାକସିନ୍ ଚାହିଦା
25/01/2021 at 10:42 PM

ନୂଆଦିଲ୍ଲୀ ୨୫/୦୧: କରୋନା ମହାମାରୀ ଯୋଗୁ ବିଶ୍ବରେ ଆର୍ଥିକ ଗତି ଧିମା ପଡ଼ିଥିଲା। ବହୁ ଲୋକ ଜୀବିକା ହରାଇଥିଲେ। ଏବେ ଧିରେ ଧିରେ ସ୍ଥିତି ସୁଧୁରୁଥିବା ଦେଖିବାକୁ ମିଳିଛି। ବିଶ୍ବ ଅର୍ଥ ବ୍ୟବସ୍ଥା ଟ୍ରାକ୍କୁ ଫେରୁଛି। କିନ୍ତୁ ଏହି ଲକ୍ଡାଉନ୍ ଧନୀକୁ ଆହୁରି ଧନୀ କରିଥିବା ଜଣାପଡ଼ିଛି। ଏମିତି ଏକ ରିପୋର୍ଟ ମିଳିଛି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର। ବିଶ୍ବର ୧୦ ଧନୀଙ୍କ ରୋଜଗାର ଏତେମାତ୍ରାରେ ବୃଦ୍ଧି ପାଇଛି ଯେ ସେମାନେ ମିଳିତଭାବେ ପୂରା ବିଶ୍ବକୁ କରୋନା ଟିକା ମାଗଣାରେ ଦେଇପାରିବେ।
କରୋନା ମହାମାରୀ ସମୟରେ ବିଶ୍ବର ୧୦ ଧନୀଙ୍କ ମିଳିତ ସମ୍ପତ୍ତି ୫୪୦ ବିଲିୟନ ଡଲାର ବୃଦ୍ଧି ପାଇଛି। ଏନେଇ ଅକ୍ସଫାମ ରିପୋର୍ଟରୁ ଜଣାପଡ଼ିଛି। ଏହି ଅର୍ଥରେ କରୋନା ମହାମାରୀ ଯୋଗୁଁ ଉପୁଜିଥିବା ଦାରିଦ୍ରତା ଦୂର କରିବା ସହ କରୋନା ଟିକା ଚାହିଦାକୁ ପୂରଣ କରିହେବ। ଏହାର ରିପୋର୍ଟରୁ ଜଣାପଡିଛି ଯେ ବିଲିୟନାରୀମାନଙ୍କର ମୋଟ ସମ୍ପତ୍ତି ସମସ୍ତ ଜି -୨୦ ଦେଶ ଦ୍ବାରା ଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ସହ ସମାନ।
ସରକାରଙ୍କ ଅନବରତ ସହାୟତା ପାଇଁ ଧନୀଙ୍କ ଆର୍ଥିକ ବଜାରକୁ ଉର୍ଦ୍ଧ୍ବମୁଖୀ କରିଥିବା ବେଳେ ଦେଶର ପ୍ରକୃତ ଆର୍ଥିକ ଅବସ୍ଥା ୧୦୦ ବର୍ଷ ମଧ୍ୟରେ ବହୁ ତଳକୁ ଯାଇଥିଲା। ୧୮ ମାର୍ଚ୍ଚରୁ ୩୧ ଡିସେମ୍ବର ୨୦୨୦ ଆରବପତିଙ୍କ ସମ୍ପତ୍ତି ୩.୯ ଟ୍ରିଲିୟନ ବୃଦ୍ଧି ପାଇ ବର୍ତ୍ତମାନ ୧୧.୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଯାହାକି ମହାମାରୀର ଲଢ଼େଇରେ G20 ସରକାର ଖର୍ଚ୍ଚ କରିଥିବା ଅର୍ଥ ସହ ସମାନ ଅଟେ। ମାର୍ଚ୍ଚ ୨୦୨୦ରୁ ଯେଉଁ ୧୦ ଧନୀଙ୍କର ସମ୍ପତ୍ତି ୫୪୦ ବିଲିୟନ୍ ଡଲାର ବୃଦ୍ଧି ଘଟିଛି ସେମାନଙ୍କ ମଧ୍ୟରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ, ଟେସଲା ପ୍ରତିଷ୍ଠାତା ଏଲୋନ ମସ୍କ ଏବଂ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଅଛନ୍ତି।
ସେପଟେ ମହମାରୀ ସମୟରେ ସହାୟତାର ହାତ ବଢ଼ାଇଥିଲେ ବହୁ ଆରବପତି। ଗତ ବର୍ଷ ଜୁନ୍ ସୁଦ୍ଧା ଜେଫ୍ ବେଜୋସ୍ କରୋନାଭାଇରସ୍ ସହ ଳଢ଼େଇ ପାଇ ୧୨୫ ମିଲିୟନ୍ ଡଲାର୍ ଦାନ କରିଥିଲେ । ଟ୍ବିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ଏପ୍ରିଲରେ ଘୋଷଣା କରିଥିଲେ ଯେ ମହାମାରୀ ରିଲିଫ୍ ପ୍ରୟାସ ତଥା ଅନ୍ୟାନ୍ୟ କାରଣକୁ ସମର୍ଥନ କରିବା ପାଇଁ ସେ ତାଙ୍କ ସମ୍ପତ୍ତିର ୧ ବିଲିୟନ ଡଲାର ଦେବେ । ମହାମାରୀ ସମୟରେ ଭୂମିହୀନ ତଥା ଘରୋଇ ନିର୍ଯାତନାର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହ୍ୟାରି ପୋଟର ଲେଖକ ଜେ.କେ ରୋୱଲିଙ୍ଗ ୧ ମିଲିୟନ ପାଉଣ୍ଡ ଦାନ କରିଛନ୍ତି।ଏହି ସମୟରେ, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ତାଙ୍କ ପତ୍ନୀ ମେଲିଣ୍ଡା ସେମାନଙ୍କ ଚାରିଟେବୁଲ୍ ଫାଉଣ୍ଡେସନ୍ ମାଧ୍ୟମରେ ଟିକା, ଚିକିତ୍ସା ଏବଂ ଡାଇଗ୍ନୋଷ୍ଟିକ୍ ବିକାଶ ପାଇଁ ୩୦୫ ମିଲିୟନ୍ ଡଲାର୍ ଦାନ କରିଛନ୍ତି।