ତେଲେଙ୍ଗାନା ଉପନିର୍ବାଚନ: ହୁଜୁରାବାଦରେ ବିଜେପିର ବାଜିମାତ, ଇ.ରାଜେନ୍ଦ୍ରଙ୍କ ଉପରେ ପଡିନି ଟିଆରଏସ୍ କାର୍ଯ୍ୟାନୁଷ୍ଠାନର ପ୍ରଭାବ

Published By : Prameya-News7 Bureau | November 02, 2021 IST

ହାଇଦ୍ରାବାଦ ୨।୧୧: ତେଲେଙ୍ଗାନା ବିଧାନସଭା ଉପନିର୍ବାଚନରେ ହୁଜୁରାବାଦରୁ ବିଜେପି ପ୍ରାର୍ଥୀ ଇ.ରାଜେନ୍ଦ୍ର ବାଜିମାତ କରିଛନ୍ତି। ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ନିକଟତମ ସହଯୋଗୀ ଇ.ରାଜେନ୍ଦ୍ର କଡା ମୁକାବିଲାରେ ଟିଆରଏସ୍ ପ୍ରାର୍ଥୀ ଜି.ଶ୍ରୀନିବାସ ଯାଦବଙ୍କୁ ପରାସ୍ତ କରିଛନ୍ତି। ରାଜେନ୍ଦ୍ରଙ୍କୁ ୧ଲକ୍ଷ ୬ହଜାର ୭୮୦ଟି ଭୋଟ ମିଳିଥିବା ବେଳେ ଯାଦବଙ୍କୁ ୮୨ ହଜାର ୭୧୨ଟି ଭୋଟ ମିଳିଛି। ଏଠାରେ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ବି.ଭେଙ୍କଟ ନରସିଂହ ରାଓ ୩ ହଜାର ୧୨ ଖଣ଼୍ଡ ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି।

ଗତ ବିଧାନସଭା ନିର୍ବାଚନରେ ହୁଜୁରାବାଦରେ ବିଜେପି ପ୍ରାର୍ଥୀ ନୋଟାରେ ପଡିଥିବା ଭୋଟରୁ ବି କମ୍ ଭୋଟ ପାଇଥିଲେ। ଏଠାରେ ବିଜେପିକୁ ମାତ୍ର ୧ ହଜାର ୬୮୩ଟି ଭୋଟ ମିଳିଥିଲା। ତେବେ ଟିଆରଏସ୍‌ରୁ ଆସି ବିଜେପିରେ ଯୋଗ ଦେବା ପରେ ଇ.ରାଜେନ୍ଦ୍ର ତାଙ୍କ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ସେପଟେ ରାଜ୍ୟର କରୀମନଗର ସଂସଦୀୟ କ୍ଷେତ୍ରରେ ଆସୁଥିବା ଅନ୍ୟ ୬ଟି ବିଧାନସଭା ଆସନରେ ଟିଆରଏସ୍ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ରାଜ୍ୟରେ ବିଜେପି ଆଗାମୀ ଦିନରେ ଏହି ବିଜୟକୁ ଦଳ ଲାଗି ମାର୍ଗ ପ୍ରଶସ୍ତ କରିବାରେ ଉପଯୋଗ କରିବ ବୋଲି ଏବେ ଆକଳନ କରାଯାଉଛି।

ତେବେ ଏଠାରେ କଂଗ୍ରେସ ଏବେବି ବିରୋଧୀ ଦଳ ହେବାକୁ ସକ୍ଷମ ହୋଇପାରିନାହିଁ। ଗତ ୨୦୧୮ ବିଧାନସଭା ନିର୍ବାଚନରେ ୬୧ ହଜାର ଭୋଟ ସଂଗ୍ରହ କରିବାରେ ସକ୍ଷମ ହୋଇଥିବା କଂଗ୍ରେସର କୌସିକ ରେଡ୍ଡୀ ନିକଟରେ ଶାସକ ଟିଆରଏସକୁ ଚାଲିଯାଇଛନ୍ତି। ତାଙ୍କ ସ୍ଥାନରେ ଏବେ କଂଗ୍ରେସକୁ ଉପଯୁକ୍ତ ପ୍ରାର୍ଥୀ ମଧ୍ୟ ମିଳୁ ନାହାନ୍ତି। ଇ.ରାଜେନ୍ଦ୍ର ୨୦୦୩ ମସିହାରେ ଟିଆରଏସରେ ଯୋଗ ଦେଇଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ସେ ହୁଜୁରାବାଦରୁ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଜମି ଦୁର୍ନୀତି ମାମଲାରେ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଦିଆଯିବା ଯୋଗୁ ଗତ ଜୁନ ମାସରେ ସେ ବିଜେପିରେ ଯୋଗ ଦେଇଥିଲେ। ତେବେ ବିଜେପିର ତାଙ୍କର ଯୋଗଦାନ ହୁଜୁରାବାଦରେ ଏବେ ଟିଆରଏସ ଲାଗି କ୍ଷତିର କାରଣ ପାଲଟିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.