ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇ-ପାସପୋର୍ଟ୍ ସେବା

Published By : Prameya-News7 Bureau | January 27, 2019 IST

ନୂଆଦିଲ୍ଲୀ ୨୭/୧: ସରକାର ଖୁବ୍ ଶୀଘ୍ର ଚିପ୍ ଆଧାରିତ ଇ-ପାସପୋର୍ଟ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସେବାକୁ ନାସିକଠାରେ ଥିବା ଇଣ୍ଡିଆ ସିକ୍ୟୁରିଟି ପ୍ରେସ ପ୍ରସ୍ତୁତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ତମ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ ସମାରୋହରେ ଏହା ଘୋଷଣା କରିଛନ୍ତି।  ଇଣ୍ଡିଆ ସିକ୍ୟୁରିଟି ପ୍ରେସକୁ କେନ୍ଦ୍ର ସରକାରଙ୍କ ତରଫରୁ ଚିପ ତିଆରି ପାଇଁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଆଇଆଇଟି କାନପୁର, ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍ ଏବଂ ଏନଆଇସି ଏହି ପ୍ରୋଜେକ୍ଟ ପାଇଁ ମିଶି କାମ କରୁଛନ୍ତି। ଚିପ୍ ଆଧାରିତ ଏହି ପାସପୋର୍ଟ ପାଇଁ ଆଇଆଇଟି କାନପୁର ଏବଂ ନ୍ୟାସନାଲ ଇନଫରମେସନ ସେଣ୍ଟର ମିଶି ସଫ୍ଟଓ୍ବେୟାର ପ୍ରସ୍ତୁତ କରିଛନ୍ତି।

ଶୀତ ଅଧିବେଶନ ସମୟରେ ବୈଦେଶିକ ରାଜ୍ୟ ମନ୍ତ୍ରୀ ବି.କେ ସିଂହ ସଂସଦକୁ ଇ-ପାସପୋର୍ଟ ବିଷୟରେ କହିଥିଲେ। ସେ କହିଥିଲେ ଯେ ବୈଦେଶିକ ମନ୍ତ୍ରାଳୟ ଇ-ପାସପୋର୍ଟ ବ୍ୟବସ୍ଥା ଆରମ୍ଭ କରିବାର ଯୋଜନା ରହିଛି, ଯେଉଁଥିରେ ଆଡଭାନ୍ସଡ ସିକ୍ୟୁରିଟି ଫିଚରସ୍ ଏବଂ ପ୍ରିଣ୍ଟିଙ୍ଗ୍ ସହ ପେପର କ୍ବାଲିଟି ଭଲ ରହିବ।

ଇ-ପାସପୋର୍ଟରେ ଆବେଦକଙ୍କ ଡିଜିଟାଲ ସାଇନ୍ ରହିବ ଏବଂ ଏହା ଚିପରେ ଷ୍ଟୋର ହେବ। ଯଦି କୈାଣସି ବ୍ୟକ୍ତି ତାଙ୍କ ଚିପକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିବେ ତେବେ ତାଙ୍କ ପାସପୋର୍ଟ ବେକାର ହୋଇଯିବ। ଏହା ବ୍ୟତୀତ ଚିପରେ ଷ୍ଟୋର କରାଯାଇଥିବା ସୂଚନା ବିନା ଫିଜିକାଲ ପାସପୋର୍ଟକୁ ପଢ଼ାଯାଇ ପାରିବ ନାହିଁ।

ଇ-ପାସପୋର୍ଟର ଆଗ ଏବଂ ପଛ କଭର ମୋଟା ରହିବ। ଏହା ବ୍ୟତୀତ ପଛ କଭରରେ ଛୋଟ ସିଲିକନ୍ କଭର ଲାଗି ରହିବ। ଏହାର ଆକାର ପୋଷ୍ଟେଜ୍ ଷ୍ଟାମ୍ପଠୁ ମଧ୍ୟ ଛୋଟ ରହିବ। ଏହି ଚିପକୁ ପଢ଼ିବାକୁ କିଛି ସେକେଣ୍ଡ ଲାଗିବ। ଚିପର ମେମୋରି ୬୪କିଲୋବାଇଟ୍ ରହିବ। ଏଥିରେ ୩୦ଟି ଭିଜିଟ୍ ଏବଂ ଆର୍ନ୍ତଜାତୀୟ ଯାତ୍ରାର ସମସ୍ତ ସୂଚନା ଷ୍ଟୋର କରାଯାଇପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.