ଓଡିଶାରେ ଲାଗୁହେଲା ଇ-ଚାଲାଣ ବ୍ୟବସ୍ଥା : ହାତଗୁଞ୍ଜା ଦେଇ ଖସିପାରିବେନି ଆଇନ ଉଲଂଘନକାରୀ ଗାଡ଼ି ଚାଳକ

Published By : Prameya-News7 Bureau | December 06, 2018 IST

ଭୁବନେଶ୍ବର ୬|୧୨: ଓଡିଶାରେ ଲାଗୁହେଲା ଇ-ଚାଲାଣ ବ୍ୟବସ୍ଥା । ମୋଟର ଯାନ ଆଇନ ଉଲଂଘନକାରୀଙ୍କ ଠାରୁ ଏଣିକି  ଡିଜିଟାଲ ସିଷ୍ଟମରେ ଫାଇନ, ଟ୍ୟାକ୍ସ ଆଦି ଆଦାୟ କରିବ ପରିବହନ ବିଭାଗ । ଗାଡ଼ି ମୋଟର ଯାଂଚ ସମୟରେ ରସିଦ୍‌ କାଟି ମାନୁଆଲ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ମୋବାଇଲ ଇ-ଚାଲାଣ ଡିଭାଇସ ମାଧ୍ୟମରେ ଏଣିକି ଫାଇନ୍‌ ଆଦାୟ ହେବ । ଫଳରେ ଆଉ ହାତଗୁଞ୍ଜା ଦେଇ ଖସିପାରିବେନି ଆଇନ ଉଲଂଘନକାରୀ ଗାଡ଼ି ଚାଳକ । [embed]https://youtu.be/1Dkmd_TKMyk[/embed] ଫାଇନକୁ ନେଇ ପୋଲିସ ବାବୁଙ୍କ ସହ ମୂଲଚାଲ ଆଉ ଚଳିବନି । ଏମିତିକି ମାନୁଆଲ ରସିଦ୍‌ କାଟି ଆଉ ହେରଫେର କରିବାକୁ ସୁଯୋଗ ପାଇବେନି ଯାଂଚ କରୁଥିବା କର୍ମଚାରୀ । ଏଣିକି ସବୁ କିଛି ଡିଜିଟାଲ ମୋଡ୍‌ରେ ହେବ । କାହିକି ନା’ ରାଜ୍ୟରେ ଲାଗୁହେଲା ଇ-ଚାଲାଣ ବ୍ୟବସ୍ଥା । ଗାଡ଼ି ଚାଳକଙ୍କ ଠାରୁ ଫାଇନ୍‌ ଠାରୁ ଟ୍ୟାକ୍ସ ପର୍ଯ୍ୟନ୍ତ ସବୁ କିଛି ଏବେ ଇ-ଚାଲାଣ ଡିଭାଇସ୍‌ ମାଧ୍ୟମରେ ଆଦାୟ କରାଯିବ । ଏଥି ପାଇଁ ୩୫ ଆରଟିଓ ଅଧିକାରୀଙ୍କୁ ୧୯୫ଟି ଇ-ଚାଲାଣ ଡିଭାଇସ୍‌ ଯୋଗାଇଦିଆଯାଇଛି । ଯେଉଁଥିରେ ମୋଟରଯାନ ଆଇନ ଉଲଂଘନକାରୀଙ୍କ ଅପରାଧ ଅନଲାଇନ୍‌ ରେକର୍ଡ଼ ରଖାଯିବ । ପୂର୍ବରୁ ଆଇନ୍‌ ଉଲଂଘନର ରେକର୍ଡ଼ ଥିଲେ ଅଧିକ ଫାଇନ୍‌ ଆଦାୟ ହେବ । ପୂର୍ବରୁ ଚାଲିଥିବା ବ୍ୟବସ୍ଥା ମାନେ ଗାଡ଼ିମୋଟର ଯାଂଚ କ୍ଷେତ୍ରରେ ମାନୁଆଲ୍‌ ସିଷ୍ଟମକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ଡଃ. ନୃସିଂହ ସାହୁ । ରାଜଧାନୀ ପାଇଁ ୧୫ଟି ଇ-ଚାଲାଣ ଡିଭାଇସ ଯୋଗାଇ ଦିଆଯାଇଛି ।  ଏମଭିଆଇ, ଜୁନିଅର ଏମଭିଆଇ, ଟ୍ରାନସପୋର୍ଟ ଇନସ୍ପେକ୍ଟର, ଟ୍ରାନ୍ସପୋର୍ଟ ସୁପରିଣ୍ଟେଡେଣ୍ଟମାନଙ୍କୁ ଏହି ଡିଭାଇସର ବ୍ୟବହାରର ତାଲିମ ଦିଆଯାଇଛି । ଫାଇନ ଆଦାୟ କରାଯାଇଥିବା ସ୍ଥାନ,  ଗାଡି ଓ ଡ୍ରାଇଭରଙ୍କ   ଫଟୋଗ୍ରାଫ ରହିବ ।ଏଥିସହ କଣ ପାଇଁ ଫାଇନ ଆଦାୟ କରାଗଲା ସେସବୁର ସମ୍ପୂର୍ଣ୍ଣ ବିବରଣୀ ଏସଏମଏସ ମାଧ୍ୟମରେ ଗାଡି ମାଲିକ, ଡ୍ରାଇଭରଙ୍କୁ  ଜଣାଇ ଦିଆଯିବ ।  ଏନଆଇସିର ବୈଷୟିକ ସହାୟତାରେ ଏଚଡିଏଫସି ବ୍ୟାଙ୍କ ସହ ଇ-କଲେକସନ ନେଇ ଚୁକ୍ତି କରିଛି ପରିବହନ  ବିଭାଗ । ରାଜ୍ୟର ୩୫ଟି   ଆରଟିଓ  ଅଧୀନରେ  ୧୬୨ଟି  ପିଓଏସ ମେସିନ ବସାଯାଇଛି ବୋଲି କହିଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା ଇ-ଚାଲାଣ ବ୍ୟବସ୍ଥା   ଦ୍ବାରା   ସ୍ବଚ୍ଛତା ଆସିବା ସହ ମାନୁଆଲ ବ୍ୟବସ୍ଥାରେ ହେଉଥିବା ଅର୍ଥ ବାଟମାରଣାକୁ ରୋକି ହେବ ବୋଲି ଆଶା କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.