୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ୨୪ଟି କାର୍ଯ୍ୟକ୍ଷମ ଖଣିର ଅବଧି ସରୁଛି : ଆରମ୍ଭ ହେଲା ଇ-ଅକ୍ସନ ପ୍ରକ୍ରିୟା, କିଏ ପାଇବ ?

Published By : Prameya-News7 Bureau | August 09, 2019 IST

ଭୁବନେଶ୍ବର ୯|୮: ଏମ୍‌ଏମ୍‌ଡିଆର ଆମେଣ୍ଡମେଣ୍ଟ ଆକ୍ଟ ୨୦୧୫ ଅନୁଯାୟୀ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ୨୪ଟି କାର୍ଯ୍ୟକ୍ଷମ ଖଣିର ଅବଧି ସରୁଛି। ଏବେ ଏହି ସବୁ ଖଣି ଗୁଡ଼ିକର ଇ ଅକ୍ସନ କରାଯିବ। ନିଲାମ ପ୍ରକ୍ରିୟାରେ ଯିଏ ଖଣି ପାଇବେ, ସେମାନଙ୍କର ହେବ ମାଇନ୍‌ସ । ନିଲାମ ହେବାକୁ ଥିବା କାର୍ଯ୍ୟକ୍ଷମ ଖଣି ମଧ୍ୟରେ ରହିଛି ୧୬ଟି ଆଇରନ୍ ଓର୍ ଖଣି ।

ତେବେ ପୀଢ଼ି ପୀଢି ଧରି ଖଣି ଉତ୍ତୋଳନ କାମ କରୁଥିବା ଏହି ଖଣି ମାଲିକମାନେ ଏବେ ନିଲାମ ପ୍ରକ୍ରିୟାରେ ଭାଗନେବେ ନା ଖଣି ହରାଇବେ । କଣ ହେବ ଏହି ଖଣି ଗୁଡ଼ିକରେ କାମ କରୁଥିବା ଶହ ଶହ ଲୋକଙ୍କ ଭବିଷ୍ୟତ । ପଢନ୍ତୁ ଏହି ରିପୋର୍ଟ…

ଏଥର ରାଜ୍ୟରେ ଥିବା ଖଣି ଗୁଡିକର ହେବ ଇ-ଅକ୍ସନ୍‌ । ସେଥିପାଇଁ ଆରମ୍ଭ ହୋଇଛି ସରକାରୀ ସ୍ତରରେ ପ୍ରସ୍ତୁତି ।୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା, ରାଜ୍ୟର ୨୪ଟି କାର୍ଯ୍ୟକ୍ଷମ ଖଣିର ଅବଧି ସରୁଛି। ଏବେ ଇ ଅକ୍ସନ ମାଧ୍ୟମରେ ରାଜ୍ୟରେ ପିଢ଼ିପିଢ଼ି ଧରି ଖଣି ବ୍ୟବସାୟରେ ରହିଥିବା ବଡ଼ ବଡ଼ ମାଇନ୍‌ସ ଓନରଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ଏମାନଙ୍କ ଭିତରେ ରହିଛନ୍ତି କେ.ଜେ.ଏସ୍ ଆଲୁୱାଲିଆ, ସିରାଜୁଦ୍ଦିନ୍, ପି.କେ. ଆଲୁୱାଲିଆ, ପଟ୍ଟନାୟକ ମିନେରାଲ୍‌ସ , ରୁଙ୍ଗଟା ମାଇନ୍‌ସ, ଆର୍ପି ସାଓ ପରି କମ୍ପାନି । ତେବେ ଖଣିମାଲିକମାନେ ସେମାନଙ୍କ ପାଇଁ ଆଉକିଛି ଦିନ ଲିଜ୍ ଅବଧି ବଢାଇବା ପାଇଁ ଅନୁରୋଧ କରିଛନ୍ତି।

ଖଣି ନିଲାମୀ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ଆଗରେ ସେମାନଙ୍କ ଦୀର୍ଘ ଅଭିଜ୍ଞତା ଓ ଖଣିଗୁଡ଼ିକରେ କାମ କରୁଥିବା ଶହ ଶହ  କର୍ମଚାରୀଙ୍କ ଭବିଷ୍ୟତ ବିଚାରକୁ ନେବାକୁ ସେମାନେ ଅନୁରୋଧ କରିଛନ୍ତି ।  ଆଗାମୀ ଦିନରେ ଖଣିମାଲିକମାନେ ଇ ଅକ୍ସନ ପ୍ରକ୍ରିୟାରେ ଭାଗ ନେବାକୁ ପ୍ରସ୍ତୁତ ହେଉଛନ୍ତି । ଯଦି ଖଣି ନମିଳେ ଖଣି ଉତ୍ତୋଳନ କ୍ଷେତ୍ରରେ ନିଜର ଅଭିଜ୍ଞତାକୁ ନେଇ ନୂଆ ଖଣି କମ୍ପାନିମାନଙ୍କ ସହ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କହିଛନ୍ତି ଖଣି ମାଲିକମାନେ ।

ଇ ଅକ୍ସନ୍ ଦ୍ବାରା ରାଜ୍ୟର ଖଣି ମାଲିକମାନଙ୍କ ରାଜ୍ ଶେଷ ହୋଇ ଯିବକି ? ଖଣି ଅଞ୍ଚଳରେ କାମ କରୁଥିବା ଓଡ଼ିଆ ଶ୍ରମିକ ଓ କର୍ମଚାରୀମାନେ ସେମାନଙ୍କ କାମଧନ୍ଦା ହରାଇବେ କି ? ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ତେବେ ସରକାରଙ୍କ କହିବା କଥା  ଇ ଅକ୍ସନ ଦ୍ବାରା ରାଜ୍ୟରେ ମାଇନ୍‌ସ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ ।

ରାଜସ୍ବ ବଢିବା ସହ ବଡ଼ ବଡ଼ ନିବେଶକ ରାଜ୍ୟ ଖଣି କ୍ଷେତ୍ରକୁ ଆସିବେ । ତେବେ ବିଶେଷଜ୍ଞଙ୍କ ମତ ରାଜ୍ୟରେ ଖଣି ସମ୍ପଦର ସଠିକ ଉପଯୋଗ ପାଇଁ ସ୍ଥାନୀୟ  ବାସିନ୍ଦା, ଖଣିମାଲିକ ଓ ପ୍ରଶାସନିକ ଅଧିକୀରଙ୍କୁ ନେଇ ଏକ ହାଇଲୋଭେଲ୍‌ କମିଟି ଗଠନ ହେବା ଆବଶ୍ୟକ ।

ରାଜ୍ୟର ୨୪ କାର୍ଯ୍ୟକ୍ଷମ ଖଣି ସହ, ଆଉ ୧୬ଟି ନୂଆ ଖଣି ଇ-ନିଲାମ ପ୍ରକ୍ରିୟାରେ ସାମିଲ ହେବ। ଏଥିପାଇଁ ଜିଲୋଲୋଜିକାଲ ସର୍ଭେ ସହ ସମସ୍ତ ଆବଶ୍ୟକ ପ୍ରକ୍ରିୟା ସରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.