ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ

Published By : Prameya-News7 Bureau | October 21, 2020 IST

ନୂଆଦିଲ୍ଲୀ ୨୧।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣରେ ଚେନ୍ନାଇର ମୁସ୍କିଲ ଥମିବାର ନାଁ ଧରୁନାହିଁ। ଦଳ ପ୍ଲେଅଫ ଦୌଡରୁ ବାଦ୍‌ ପଡିବାର ଦ୍ଵାର ଦେଶରେ ଛିଡା ହୋଇଥିବା ବେଳେ ଦଳକୁ ଲାଗିଛି ଜୋରଦାର ଝଟକା। ଦଳର ତାରକା ଅଲରାଉଣ୍ଡର ଡ୍ଵେନ ବ୍ରାଭୋ ଆଘାତଜନିତ ସମସ୍ୟା କାରଣରୁ ଆଇପିଏଲରୁ ବାଦ୍‌ ପଡିଛନ୍ତି। ୩୭ ବର୍ଷୀୟ ବ୍ରାଭୋ ଅନେକ ବର୍ଷ ଧରି ସିଏସକେ ଦଳର ଗୁରୁତ୍ଵପୂର୍ଣ୍ଣ ଖେଳାଳି ଭାବେ ରହି ଆସିଛନ୍ତି। ଆହତ ଯୋଗୁଁ ଅକ୍ଟୋବର ୧୭ରେ ଶାରଜାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଅନ୍ତିମ ଓଭର ବୋଲିଂ କରିବାକୁ ବ୍ରାଭୋ ପଡିଆକୁ ଓହ୍ଲାଇନଥିଲେ।

ଦଳର ସିଇଓ କାଶୀ ବିଶ୍ଵନାଥନ କହିଛନ୍ତି ବ୍ରାଭୋ ଚଳିତ ସିଜିନ୍‌ରୁ ବାଦ୍ ପଡିଛନ୍ତି। ଦିଲ୍ଲୀ ବିପକ୍ଷ ମୁକାବିଲାରେ ଆହତ ଲାଗିବା କାରଣରୁ ବ୍ରାଭୋ ସ୍ଵଦେଶ ଫେରି ଯାଉଛନ୍ତି। ବ୍ରାଭୋ ଆଗାମୀ ମ୍ୟାଚ୍‌ରେ ଦଳରେ ସାମିଲ ହୋଇ ପାରିବେ ନାହିଁ।

ଟୂର୍ଣ୍ଣାମେଣ୍ଟରେ ଚେନ୍ନାଇ ସୁପରକିଙ୍ଗ୍ସ ସଙ୍କଟରେ ରହିଛି। ଆଇପିଏଲ ଇତିହାସରେ ପ୍ରଥମ ଥର ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵାଧୀନ ଚେନ୍ନାଇ ସୁପର କିଙ୍ଗ୍ସ  ଲିଗ୍ ପର୍ଯ୍ୟାୟରୁ  ବାଦ୍‌ ପଡିବାର ଦ୍ଵାର ଦେଶରେ ରହିଛି। ଦଳ ନିଜର ୧୦ଟି ମ୍ୟାଚ୍‌ରୁ ୭ଟିରେ ପରାଜିତ ହୋଇ ପ୍ଲେଅଫ୍ ଦୌଡରୁ ପ୍ରାୟତଃ ବାଦ୍‌ ପଡି ସାରିଛି। ଏହା ପୂର୍ବରୁ ସୁପରକିଙ୍ଗ୍ସର ବରିଷ୍ଠ ଖେଳାଳି ସୁରେଶ ରୈନା ଓ ହରଭଜନସ ସିଂହ ବ୍ୟକ୍ତିଗତ କାରଣରୁ ଚଳିତ ଟୂର୍ଣ୍ଣାମେଣ୍ଟ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଦଳ ଦୁର୍ବଳ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.