ବଡ ଭଉଣୀ ସରସ୍ବତୀ ଚାନ୍ଦଙ୍କ ବିରୋଧରେ ଦୂତୀ ଚାନ୍ଦ ଆଣିଲେ ବଡ ଅଭିଯୋଗ, କହିଲେ ବ୍ଲାକମେଲିଂ କରି ମାଗୁଥିଲେ ୨୫ଲକ୍ଷ

Published By : Prameya-News7 Bureau | May 21, 2019 IST

ଭୁବନେଶ୍ବର ୨୧|୫: ସମଲିଙ୍ଗୀ ସଂପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୌଡ ରାଣୀ ଦୂତୀ ଚାନ୍ଦ ଆଜି ଭୁବନେଶ୍ବର ଠାରେ ସାମ୍ବାଦିକ ସମ୍ମିଳନୀ କରି ନିଜ ବଡ ଭଉଣୀ ଧାବିକା ସରସ୍ବତୀ ଚାନ୍ଦଙ୍କ ବିରୋଧରେ ବ୍ଲାକମେଲିଂ ଅଭିଯୋଗ ଆଣିଛନ୍ତି । ଦୂତୀ ଚାନ୍ଦ କହିଛନ୍ତି ଯେ, ସେ ତାଙ୍କ ବାନ୍ଧବୀଙ୍କ ସହ ଦୀର୍ଘ ତିନି ବର୍ଷ ହେଲା ସମଲିଙ୍ଗୀ ସଂପର୍କରେ ରହିଛନ୍ତି । ଏକଥା ବଡ ଭଉଣୀ ସରସ୍ବତୀ ଚାନ୍ଦ ଜାଣନ୍ତି ।

ତେବେ କଥାକୁ ପ୍ରଘଟ କରିଦେବି ବୋଲି ବାରମ୍ବାର ତାଙ୍କୁ ସରସ୍ବତୀ ଚାନ୍ଦ ବ୍ଲାକମେଲିଂ କରିଆସୁଥିଲେ । ନିକଟରେ ବ୍ଲାକମେଲିଂ କରି ୨୫ଲକ୍ଷ ଟଙ୍କା ସରସ୍ବତୀ ତାଙ୍କଠାରୁ ଦାବି କରିଥିଲେ ବୋଲି ଦୂତୀ ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ସେଥିପାଇଁ ସେ ଅତିଷ୍ଠ ହୋଇ ସମଲିଙ୍ଗୀ ସଂପର୍କରେ ଥିବା ନେଇ ଗଣମାଧ୍ୟମରେ ନିଜଆଡୁ ପ୍ରକାଶ କରିଥିଲେ ।

ଏହି ଘଟଣାକୁ ସାଧାରଣରେ ପ୍ରକାଶ କରି ବଦନାମ କରିଦେବି ବୋଲି ବଡ ଭଉଣୀ କରୁଥିବା ବ୍ଲାକମେଲିଂରେ ପୂର୍ଣ୍ଣଚ୍ଛେ଼ଦ ଟାଣିବା ପାଇଁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ସରସ୍ବତୀ ଚାନ୍ଦ ତାଙ୍କୁ ଟଙ୍କା ଦାବି କରି ମାଡ ମାରିଥିବା ମଧ୍ୟ ଦୂତୀ ପ୍ରକାଶ କରିଛନ୍ତି । ଏ ସଂପର୍କରେ ସେ ପୋଲିସର ଆଶ୍ରୟ ନେଇଥିଲେ ବୋଲି ମଧ୍ୟ କହିଛନ୍ତି । ସେହିଭଳି ତାଙ୍କ ମାଙ୍କୁ ମଧ୍ୟ କେହି ବତାଶିଖା କରି ତାଙ୍କ ବିରୋଧରେ ବ୍ୟବହାର କରୁଛି ବୋଲି ଦୂତୀ ଆଶଙ୍କା ପ୍ରକାଶ କରିଛନ୍ତି । ସେ ବିଭିନ୍ନ ସୂତ୍ରରୁ ପାଇଥିବା ଅର୍ଥ ପରିବାର ପାଇଁ ଖର୍ଚ୍ଚ କରିଥିବା ପ୍ରକାଶ କରିଛନ୍ତି ।

ବାପା ମାଙ୍କ ପାଇଁ ଘର, ଗାଡି, ବଡ ଭଉଣୀ ପାଇଁ ଗାଡି ଅନ୍ୟ ଭଉଣୀଙ୍କୁ ଭଲ କଲେଜରେ ପାଠ ପଢାଇବାରେ ଖର୍ଚ୍ଚ କରିଥିବା କହିଛନ୍ତି । ତାଙ୍କ ବିନା ଅନୁମତିରେ ତାଙ୍କ ବାନ୍ଧବୀଙ୍କ ଫଟୋ କିଛି ଗଣମାଧ୍ୟମ ଭାଇରାଲ କରିବା ନେଇ ଦୂତୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିଭଳି କିଛି ଗଣମାଧ୍ୟମ ତାଙ୍କ ବାନ୍ଧବୀଙ୍କ ବାପା ମାଙ୍କ ସାକ୍ଷାତକାର ନେବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଘରେ ୯ଜଣ ସଦସ୍ୟ ଥିବାବେଳେ ନିର୍ଦ୍ଧିଷ୍ଟ ଗଣମାଧ୍ୟମ କେବଳ ମା ଓ ବଡ ଭଉଣୀଙ୍କ ବିବୃତି ପ୍ରସାର କରିବା ପଛରେ ତାଙ୍କୁ ବଦନାମ କରିବା ଲାଗି ଷଡଯନ୍ତ୍ର ରହିଛି ବୋଲି ଦୂତୀ ଅଭିଯୋଗ କରିଛନ୍ତି ।

ବହୁ କଷ୍ଟରେ ସଂଘର୍ଷ କରି ସେ କ୍ୟାରିୟର ତିଆରି କରିଛନ୍ତି । କ୍ୟାରିୟରରେ ଆଗକୁ ବଢିବା ପାଇଁ ସହଯୋଗ କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କୁ ମଧ୍ୟ ବଦନାମ୍ କରିବା ଲାଗି ଷଡଯନ୍ତ୍ର କରାଯାଉଥିବା ସେ ପ୍ରକାଶ କରିଛନ୍ତି ।ଆଗକୁ ବିଭିନ୍ନ ଆନ୍ତର୍ଜାତିକ ଇଭେଣ୍ଟ ରହିଛି । ପରିବାରର ଚାପ ଯୋଗୁଁ ତାଙ୍କ ପ୍ରଶିକ୍ଷଣ ବାଧାପ୍ରାପ୍ତ ହୋଇଥିବା ଦୂତୀ ପ୍ରକାଶ କରିଛନ୍ତି ।

ଦୂତୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଶ୍ନ କରିଛନ୍ତି ଯେ, ଯଦି ସେ କିଛି ଭୁଲ୍ କରିଛନ୍ତି ତାହାଲେ ମା ଓ ଭଉଣୀ ତାଙ୍କ ସହ ବ୍ୟକ୍ତିଗତ ସ୍ତରରେ ଆଲୋଚନା କରିପାରିଥାନ୍ତେ । ତାହା ନକରି ସିଧାସଳଖ ଗଣମାଧ୍ୟମରେ ସମାଲୋଚନା କରିବା କେତେଦୂର ଯଥାର୍ଥ ବୋଲି କହିଛନ୍ତି । ନିଜ ବାନ୍ଧବୀଙ୍କୁ ଜୀବନସାଥୀ କରିବା ନିଷ୍ପତ୍ତିରେ  ସେ ଅଟଳ ରହିଛନ୍ତି । ଏହା ଆଇନ ସମ୍ମତ ବୋଲି ଦୂତୀ ପୁଣି ଦୋହରାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦୂତୀ ସମଲିଙ୍ଗୀ ସଂପର୍କରେ ରହିଥିବା ଘୋଷଣା କରିବା ପରେ ତାଙ୍କ ମା ଓ ବଡ ଭଉଣୀ ଗଣମାଧ୍ୟମକୁ ଗତ ଦୁଇ ଦିନ ହେଲା ବିଭିନ୍ନ ପ୍ରତିକ୍ରିୟା ଦେଇଆସୁଥିଲେ । ଦୂତୀ ପରିବାରକୁ ଅବହେଳା କରିବା ସହ କାହା ଚକ୍ରାନ୍ତର ଶିକାର ହୋଇଥିବା ଆଶଙ୍କା ପ୍ରକାଶ କରୁଥିଲେ । ଏପରିକି ଦୂତୀଙ୍କ ଧନ ଓ ଜୀବନର ସୁରକ୍ଷା ପାଇଁ ପଦକ୍ଷେପ ନେବା ଲାଗି ରାଜ୍ୟ ସରକାରଙ୍କୁ ଅପିଲ୍ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.