ଓଡ଼ିଶା ଫେରିଲେ ଷ୍ଟାର ସ୍ପ୍ରିଣ୍ଟର ଦୂତି ଚାନ୍ଦ ; ଏୟାରପୋର୍ଟରେ ଦିଆଯାଇଛି ବିପୁଳ ସ୍ବାଗତ ସମ୍ବର୍ଦ୍ଧନା
1/09/2018 at 12:49 AM

ଭୁବନେଶ୍ୱର ୧/୯ : ଜାକର୍ତ୍ତାରେ ଐତିହାସିକ ସଫଳତା ପରେ ଓଡ଼ିଶା ଫେରିଲେ ଷ୍ଟାର ସ୍ପ୍ରିଣ୍ଟର ଦୂତି ଚାନ୍ଦ । ପିଟି ଉଷାଙ୍କ ପରେ ପ୍ରଥମ ଭାରତୀୟ ଭାବେ ଦୀର୍ଘ ୨୦ ବର୍ଷ ପରେ ଏସିଆନ୍ ଗେମ୍ସରେ ଦୁଇଟି ମେଡାଲ ପାଇଛନ୍ତି ଦୂତି ଚାନ୍ଦ । ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଦିଆଯାଇଛି ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ।
ଯାଜପୁରରୁ ସୁଦୂର ଜାକର୍ତ୍ତା ଯାଇ ଦେଶ ପାଇଁ ଗୌରବ ଆଣିଥିବା ଏହି ଓଡ଼ିଆ ଝିଅଙ୍କ ପାଇଁ ଏବେ କେବଳ ରାଜ୍ୟ ନୁହେଁ ବରଂ ଦେଶ ବିଦେଶରୁ ଛୁଟିଛି ପ୍ରଶଂସାର ସୁଅ ।ଜାକର୍ତ୍ତାରୁ ଆସି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଦୂତିଙ୍କୁ ସ୍ବାଗତ କରିବା ପାଇଁ ସେଠାରେ ଅପେକ୍ଷା କରି ରହିଥିଲେ ପ୍ରଶଂସକ ।ଉଭୟ ୧୦୦ ଓ ୨୦୦ ମିଟରରେ ଦ୍ବିତୀୟ ସ୍ଥାନରେ ରହି ସିଲଭର ମେଡାଲ ଜିତିଥିବା ଦୂତି ଆଥଲେଟିକ୍ସରେ ଦେଶ ପାଇଁ ନେଇ ଆସିଛନ୍ତି ବିରଳ ସଫଳତା ।
ଜାକର୍ତ୍ତା ଏସିଆନ୍ ଗେମ୍ସରେ ୧୦୦ ଓ ୨୦୦ ମିଟରରେ ଅଳ୍ପକେ ଗୋଲଡ ମେଡାଲରୁ ବଞ୍ଚିତ ହୋଇଛନ୍ତି ଦୂତି ଚାନ୍ଦ ।ଗତ ରବିବାର ରାତିରେ ୧୦୦ ମିଟର ରେସ୍ରେ ୧୧.୩୨ ସେକେଣ୍ଡରେ ରେସ୍ ଶେଷ କରିଥିଲେ ଦୂତି । ଫଟୋ ଫିନିସ୍ରେ ବାହାରିନ୍ ପ୍ରତିଯୋଗୀଙ୍କ ଠାରୁ ପଛରେ ପଡ଼ିଯାଇଥିଲେ ଦୂତି ।କିମ୍ବଦନ୍ତୀ ଆଥଲେଟ୍ ପିଟି ଉଷାଙ୍କ ରେକର୍ଡ ଭାଙ୍ଗିବା ସହିତ ୨୦ ବର୍ଷ ପରେ ଏସିଆନ୍ ଗେମ୍ସରେ ଦେଶ ପାଇଁ ପ୍ରଥମ ମେଡାଲ ଜିତିଥିଲେ ଦୂତି ଚାନ୍ଦ ।ସେହିପରି ଗତ ବୁଧବାର ଦିନ ୨୦୦ ମିଟରରେ ମଧ୍ୟ ଦୂତିଙ୍କର ଦମ୍ କିଛି କମ୍ ନଥିଲା ।୨୩.୨ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରିଥିବା ଦୂତି ଏଥର ମଧ୍ୟ ବାହାରିନ୍ ପ୍ରତିଯୋଗୀଙ୍କ ଠାରୁ ଅଳ୍ପକେ ପଛରେ ପଡ଼ିଯାଇଥିଲେ । ଦିନେ ଆଣ୍ଡ୍ରୋଜେନ୍ ହରମୋନ୍ ବିବାଦରେ ଫସି ହତାଶ ହୋଇପଡ଼ିଥିବା ଏହି ଓଡ଼ିଆ ଝିଅ ଏଥର ଏସିଆନ୍ ଗେମ୍ସରେ ଯେଉଁ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ବିରଳ ସଫଳତା ଆଣିଛନ୍ତି ସେଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ପ୍ରଶଂସା କରିଛନ୍ତି ।ଦୁଇଟି ସଫଳତା ପାଇଁ ଦେଢ଼ କୋଟି ଲେଖାଏଁ ତିନି କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର ।