ବିବାଦ ସୃଷ୍ଟି କରିବା ଦୂତୀଙ୍କ ପୁରୁଣା ଅଭ୍ୟାସ ? ଅଧିକ ପାଇଛନ୍ତି, ସରକାରଙ୍କଠାରେ ଋଣୀ ବୋଲି ମାନୁଛନ୍ତି, ତଥାପି ମନ ମେଣ୍ଟୁନି…

Published By : Prameya-News7 Bureau | July 17, 2020 IST

ଭୁବନେଶ୍ଵର ୧୭।୦୭: ଭାରତର ପ୍ରସିଦ୍ଧ ଧାବକ ତଥା ଓଡିଶା ଝିଅ ଦୂତୀ ଚାନ୍ଦ ନିଜର କାର ବିକ୍ରିକୁ ନେଇ ସଂପ୍ରତି ବିବାଦ ଘେରରେ ରହିଛି। ଡୋପିଂ ଟେଷ୍ଟ ହେଉ କି ସମଲିଙ୍ଗୀ ବିବାହ ଦୂତୀ ସର୍ବଦା ବିବାଦରେ ରହି ଆସିଛନ୍ତି। ଯେମିତି ଲାଗେ ଦୂତି ଓ ବିବାଦ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। କିଛି ଦିନ ପୂର୍ବେ ଦୂତୀ ସାମାଜିକ ଗଣମାଧ୍ୟମରେ ନିଜର କାର ବିକ୍ରି ପାଇଁ ପୋଷ୍ଟ କରିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ମାତ୍ର ଓଡିଶା ସରକାରଙ୍କ ନିକଟତର ସୂତ୍ର ଅନୁଯାୟୀ, ବିବାଦରେ ରହିବା ଦୂତୀଙ୍କ ପୁରୁଣା ଅଭ୍ୟାସ।

ବିବାଦ ଅଧିକ ଘନେଇବା ପରେ ଦୂତୀ ନିଜର ଏହି ବିବାଦୀୟ ପୋଷ୍ଟକୁ ସୋସିଆଲ ସାଇଟ୍‌ରୁ  ହଟାଇ ଦେଇଥିଲେ। କିନ୍ତୁ ଏହାକୁ ନେଇ ଓଡିଶା ସରକାରଙ୍କ ପକ୍ଷରୁ କଡା ପ୍ରତିକ୍ରିୟା ଆସିଛି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବିଭାଗ ପକ୍ଷରୁ ଗୁରୁବାର ବିବୃତି ଜାରି ଦୂତୀଙ୍କୁ ପ୍ରଶିକ୍ଷଣ ପାଇଁ ଏ ପର୍ଯ୍ୟନ୍ତ ଦିଆଯାଇଥିବା ଆର୍ଥିକ ସାହାଯ୍ୟର ସବିଶେଷ ତଥ୍ୟ ଦିଆଯାଇଛି।

ରାଜ୍ୟ ସରକାରଙ୍କ ଦାବି: ଦେଇଛୁ ୪ କୋଟି ୯ ଲକ୍ଷ ଟଙ୍କା

ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଅନୁଯାୟୀ, ଦୂତୀ ଚାନ୍ଦଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ ପରଠୁ ଏ ଯାଏ ମୋଟ୍ ୪.୦୯ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ତିନି କୋଟି ଟଙ୍କା ୨୦୧୮ ଏସୀୟ କ୍ରୀଡାରେ ପଦକ ଜିତିବା ନେଇ ବିତ୍ତୀୟ ଅନୁଦାନ, ୨୦୧୫-୧୯ ମଧ୍ୟରେ ପ୍ରଶିକ୍ଷଣ ପାଇଁ ୩୦ ଲକ୍ଷ ଟଙ୍କା ଓ ଆର୍ଥିକ ସହାୟତା ଏବଂ ଟୋକିଓ ଅଲିମ୍ପିକର ପ୍ରସ୍ତୁତି ପାଇଁ ଦୁଇଟି କିସ୍ତିରେ ୫୦ ଲକ୍ଷ ଟଙ୍କା ଦିଆଯାଇଛି।

ଦୈନିକ ଇଂରାଜୀ ଖବର କାଗଜ ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଏସୀୟ କ୍ରୀଡାରେ ସ୍ଵର୍ଣ୍ଣ ପଦକ ବିଜେତା ହୀମା ଦାସ ଓ ସ୍ଵପ୍ନା  ବର୍ମନଙ୍କୁ ସେମାନଙ୍କ ରାଜ୍ୟ ସକରାରଙ୍କ ପକ୍ଷରୁ ଯେଉଁ ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି ତାଠୁ ଅଧିକ ଅର୍ଥ ଦୂତୀଙ୍କୁ ଦିଆଯାଇଛି। ଉଭୟ ଖେଳାଳିଙ୍କୁ ସେମାନଙ୍କ ରାଜ୍ୟ ସରକାରଙ୍କ ପକ୍ଷରୁ କେବଳ ୧୦-୧୦ ଲକ୍ଷ ଟଙ୍କା ଦିଆଯାଇଛି। ଦୁଇ ଖେଳାଳି କେବେ ମଧ୍ୟ ପ୍ରସ୍ତୁତିରେ ଅର୍ଥ ଅଭାବ ରହିଥିବା କଥା କହି ନାହାନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ଦୂତୀଙ୍କୁ ବିବାଦ ସୃଷ୍ଟି କରିବାର ପୁରୁଣା ଅଭ୍ୟାସ ରହିଛି।

ଦୂତୀଙ୍କ ଜବାବ

ଗୁରୁବାର ସରକାରଙ୍କ ଏହି ବୟାନ ଉପରେ ଦୂତୀ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ, ମୁଁ ଏତେ ବର୍ଷ ପର୍ଯ୍ୟନ୍ତ ସହଯୋଗ ପାଇଁ ଓଡିଶା ସରକାରଙ୍କଠାରେ ଋଣି, ମାତ୍ର ଚାରି କୋଟି ଟଙ୍କା ନେଇ ସରକାର ବିଶେଷ କିଛି ସୂଚନା ଦେଇ ନାହାନ୍ତି। ଏବେ ସମସ୍ତେ ଭାବିବା ଆରମ୍ଭ କରି ଦେବେ ଯେ ଦୂତୀ ଏତେ ଅର୍ଥ ଖର୍ଚ୍ଚ କରି ଦେଲେ।

ସେ ଏହା ମଧ୍ୟ କହିଛନ୍ତି, ତିନି କୋଟି ଟଙ୍କା ଯେଉଁ ପୁରସ୍କାର ରାଶି ରହିଛି ତାହା ଓଡିଶା ସରକାର ୨୦୧୮ ଏସୀୟ କ୍ରୀଡାରେ ଦୁଇଟି ରୌପ୍ୟ ପଦକ ପାଇଁ ଦେଇଥିଲେ। ଏହା ସେହି ପରି ଥିଲା ଯେଉଁଭଳି ପିଭି ସିନ୍ଧୁ କିମ୍ବା ଅନ୍ୟ କୌଣସି ପଦକ ବିଜେତାଙ୍କୁ ସେମାନଙ୍କ ରାଜ୍ୟ ସରକାର ପୁରସ୍କାର ରାଶି ଦେଇଥାନ୍ତି। ଏହାକୁ ପ୍ରଶିକ୍ଷଣ ପାଇଁ ଆର୍ଥିକ ସହାୟତା ଭାବେ ଦେଖିବା ଉଚିତ୍ ନୁହେଁ।

ମାତ୍ର ଓଡିଶାର ଅଧିକାଂଶ କ୍ରୀଡା ଅଧିକାରୀଙ୍କ ଅଲଗା ଯୁକ୍ତି ରହିଛି। ସେମାନଙ୍କ ଅନୁଯାୟୀ, ଦୂତୀ ସେହି ଅର୍ଥରୁ କିଛି ଟଙ୍କା ନିଜର ପ୍ରଶିକ୍ଷଣ ଉପରେ ଖର୍ଚ୍ଚ କରି ପାରିଥାନ୍ତେ। କିନ୍ତୁ ସେହି ଅର୍ଥକୁ ଲଗଜରୀ କାମରେ ଖର୍ଚ୍ଚ କଲେ।

କ୍ରୀଡା ବିଭାଗର ଜୈନକ ଅଧିକାରୀଙ୍କ ସୂତ୍ର ଅନୁଯାୟୀ, ଆପଣଙ୍କୁ ତିନି କୋଟି ଟଙ୍କା ମିଳୁଛି ଏବଂ ଆପଣ ଏହି ଅର୍ଥକୁ ପ୍ରଶିକ୍ଷଣ ବାବଦରେ ଖର୍ଚ୍ଚ କରିପାରିଥାନ୍ତେ। କିଏ ଆପଣଙ୍କୁ ବିଏମଡବ୍ଲ୍ୟୁ କାର କିଣିବା ପାଇଁ କହିଥିଲେ ? ଏହା ବ୍ୟତୀତ ଆପଣ ନିଜକୁ କିଟ୍‌ ୟୁନିଭର୍ସିଟିର ଛାତ୍ରୀ କହୁଛନ୍ତି, ସେମାନେ ମଧ୍ୟ ଆପଣଙ୍କୁ ମୋଟା ଅଙ୍କର ଅର୍ଥ ଦେଇଛନ୍ତି।

ଓଏମସି କର୍ମଚାରୀ ହେଉଛନ୍ତି ଦୂତୀ

ଓଡିଶା ସରକାର ଏହା ମଧ୍ୟ କହିଛନ୍ତି ଦୂତୀଙ୍କୁ ଓଡିଶା ଖଣି ନିଗମ(ଓଏମସି)ରେ ଗ୍ରୁପ ଏ ସ୍ତରର ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏଠାରୁ ମଧ୍ୟ ନିଜର ପ୍ରଶିକ୍ଷଣ ଏବଂ ଆର୍ଥିକ ପ୍ରୋତ୍ସାହନ ପାଇଁ ଦୂତୀଙ୍କୁ ୨୯ ଲକ୍ଷ ଟଙ୍କା ମିଳିଛି। ଦୂତୀ ସରକାରଙ୍କ ଏହି ଦାବି ଉପରେ ଆପତ୍ତି ପ୍ରକାଶ କରି କହିଛନ୍ତି, ଏହି ରାଶିରେ ତାଙ୍କର ବେତନ ମଧ୍ୟ ସାମିଲ। ମୋତେ ଜଣା ନାହିଁ ଏହା ପ୍ରଶିକ୍ଷଣ ପାଇଁ କେମିତି ହୋଇ ପାରିବ। ମୁଁ ଓଏମସିର କର୍ମଚାରୀ ଏବଂ ମୋତେ ବେତନ ମିଳୁଛି।

ପୂର୍ବରୁ ବିବାଦ ସୃଷ୍ଟି କରି ସାରିଛନ୍ତି

ସୂତ୍ର ଅନୁଯାୟୀ, କିଛି ବର୍ଷ ପୂର୍ବେ ଦୂତୀ ବୟାନ ଦେଇଥିଲେ ଯେ, ମୋ ପାଖରେ ଜୋତା କିଣିବା ପାଇଁ ପଇସା ନାହିଁ। କିନ୍ତୁ ସେହି ସମୟରେ ମୁଖ୍ୟମନ୍ତ୍ରୀ କୌଣସି ଏକ କାର୍ଯ୍ୟକ୍ରମରେ ତାଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲେ। ତେଣୁ ଏବେ ରାଜ୍ୟ ସରକାରଙ୍କୁ ସବୁ ଉପରେ ନଜର ରଖିବାକୁ ପଡିବ। ଏଥିପାଇଁ ରାଜ୍ୟ ସରକାର ସାହାଯ୍ୟ ପାଇଁ ଜାରି କରୁଥିବା ଅର୍ଥ ରାଶିର ତାଲିକା ଜାରି କରିଛନ୍ତି। ପ୍ରତି କାର୍ଯ୍ୟରେ ଗୋଟିଏ ସୀମା ଥାଏ।

ଜୈନକ ଅଧିକାରୀଙ୍କ ଅନୁଯାୟୀ, ଦୂତୀ କହୁଛନ୍ତି  ମୁଁ ଫେସ୍‌ବୁକ୍‌ରେ ପୋଷ୍ଟ ଏଥିପାଇଁ କରିଥିଲି ଯଦ୍ଵାରା କାର ପାଇଁ କେହି କ୍ରେତା ମିଳିଯିବେ। କଣ ଫେସବୁକ କାର ବିକ୍ରି କରିବାର ଜାଗା ? ଏହା କେବଳ ଧ୍ୟାନ ଆକର୍ଷଣ କରିବା ଏବଂ ନୂତନ ବିବାଦ ସୃଷ୍ଟି କରିବା ଉଦ୍ଦିଷ୍ଟ ଥିଲା ବୋଲି ଅଧିକାରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଦୂତୀ ଏ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକର ୧୦୦ ମିଟର ଓ ୨୦୦ ମିଟର ପାଇଁ ଯୋଗ୍ୟତାଅର୍ଜନ କରି ନାହାନ୍ତି।

ଦେଖନ୍ତୁ ପୂରା ଭିଡିଓ

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.