କୋଭିଡ୍‌ କଟକଣା ଭିତରେ ପାଳନ ହେଲା ବୁଢ଼ାରଜାଙ୍କ ଦଶହରା, ରୀତିନୀତି ସମ୍ପର୍କରେ ଜାଣନ୍ତୁ

Published By : Prameya-News7 Bureau | October 23, 2021 IST

କଳାହାଣ୍ଡି ୨୩/୧୦: କଳାହାଣ୍ଡି ଜିଲ୍ଲାର ଶେଷ ଦଶରା ଭାବେ ପାଳନ ହେଉଥିବା କୋକସରା ବ୍ଲକ ଆମପାଣି ଠାରେ ପ୍ରଭୁ ବୁଢ଼ାରଜାଙ୍କ ବାର୍ଷିକ ଦଶହରା ମଧ୍ୟ ବିନା ଭକ୍ତରେ ପାଳନ ହୋଇଯାଇଛି । କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ତଳେ ଆଦିବାସୀ ଓ ଜନ ମାନସର ଆରାଧ୍ୟ ଦେବତା ବୁଢ଼ାରଜାଙ୍କ ଦଶହରା ଆଜି ପାଳିତ ହୋଇଛି । ବିଗତ ବର୍ଷ ମାନଙ୍କରେ ଏହି ଦଶରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଗତବର୍ଷ ଠାରୁ କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ବିଧି ରକ୍ଷା ପାଇଁ ପାଳନ ହେଉଛି ବୁଢ଼ାରଜାଙ୍କ ବାର୍ଷିକ ଦଶହରା ।

ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ସକାଳ ୬ ରୁ ରବିବାର ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗିଥିବା ବେଳେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାରଙ୍କ ନେତୃତ୍ୱରେ ପୋଲିସ ସହ ଆଇଆରବି ଯବାନ ମୁତୟନ ରହିଥିଲେ । ଦିନ ୧ ଟା ସମୟରେ ବୁଢ଼ାରଜାଙ୍କ ଲାଠିଯାତ୍ରା ମୁଖ୍ୟ ପୂଜାରୀଙ୍କ ଘରୁ ବାହାରି ମନ୍ଦିର ଅଭିମୁଖେ ବାହାରି ଥିଲେ । ଲାଠିଯାତ୍ରାକୁ ଶ୍ରଦ୍ଧାଳୁମାନେ ରାସ୍ତା କଡରେ ନଡ଼ିଆ ଓ ଭୋଗରାଗ ଦେଇ ପୂଜାର୍ଚ୍ଚନା କରିଥିଲେ । ଲାଠିଯାତ୍ରା ଆମପାଣି ଥାନା ସମ୍ମୁଖରେ ପହଂଚିବା ପରେ ସେଠାରେ ପୂର୍ବରୁ ପୂଜାର୍ଚ୍ଚନା କରିବା ପରେ କାଳିସୀ ଲାଗି ହୋଇ ବାଲିଗଜାକୁ ମସ୍ତକରେ ଧାରଣ କରି ଜଣେ ମହିଳା ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ନେଇ ଯାଇଥାନ୍ତି ।

ମନ୍ଦିରରେ ଲାଠିଯାତ୍ରା ପହଂଚିବା ପରେ ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା କରିବା ସହ ଦେବାଦେବୀଙ୍କ ଲାଠି ମନ୍ଦିର ପରିକ୍ରମା କରିଥାନ୍ତି । ପରେ ଲାଖମରା ଅନୁଷ୍ଠିତ ହୋଇଥିଲା । ବୁଢ଼ାରଜାଙ୍କ ଏହି ବାର୍ଷିକ ଦଶରାରେ କମିଟି ପକ୍ଷରୁ ପ୍ରଶାସନର କଟକଣା ଅନୁସାରେ ସମସ୍ତ ରୀତିନୀତି ପାଳନ କରାଯାଇ ପ୍ରଭୁ ବୁଢ଼ାରଜାଙ୍କ ଦଶହରା ପାଳନ କରାଯାଇଛି ।

{"id":532197,"width":609,"height":337,"sizeSlug":"full","linkDestination":"none"}

ପୋଲିସ ପ୍ରଶାସନ ପକ୍ଷରୁ ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ତିନି ଥାନା ଅଧିକାରୀ , ଆଇଆରବି ୨ ବାଟାଲିଅନ, ଏପିଆର ୨ ବାଟାଲିଅନ ମୁତୟନ ରହିଥିବା ବେଳେ ମନ୍ଦିର କମିଟି ପକ୍ଷରୁ ଆମପାଣି ସରପଂଚ ଟିକିଚନ୍ଦ୍ର ଧଙ୍ଗଡାମାଝୀ, ଋତୁରାଜ ମାଝୀ, କୁମୁଦ ପୁଝାରି, ସୁରେଶ ଚନ୍ଦ୍ର ସାହୁ, ତ୍ରିନାଥ ପ୍ରସନ୍ନ ରାୟ, ଜିତେନ୍ଦ୍ର ପଣ୍ଡା, ବିନୋଦ ବିହାରୀ ସିଂ, ବିଘ୍ନେଶ୍ବର ନାଏକ, ରହସ୍ୟ ନାଏକ ଦୟାନିଧି ନାଏକ, ପ୍ରଶାନ୍ତ ମୁନି, ନିତ୍ୟାନନ୍ଦ ମାଝୀ, ନକୁଳ ବାଣୁଆ, ବିଜୟ ପଣ୍ଡା, ଅଜୟ ପଣ୍ଡା ଚଳିତ ବର୍ଷ ବୁଢ଼ାରଜା ଦଶରା ପରିଚାଳନା ରେ ସହଯୋଗ କରିଥିଲେ । ବୁଢ଼ାରଜା ମନ୍ଦିରର ମୁଖ୍ୟ ପୂଜାରୀ ଫକୀର ମୋହନ ପୁଝାରିଙ୍କ ସମେତ ଦୁଷ୍ମନ୍ତ ପୁଝାରିଙ୍କ ସହଯୋଗରେ ବୁଢାରଜାଙ୍କ ଦଶହରା ଯାତ୍ରା ସମାପନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.