ବୃତ୍ତି ଟଙ୍କା ନେବାକୁ ଆସି କାମୁକଙ୍କ ହାବୁଡ଼ରେ ପଡିଗଲେ ଯୁକ୍ତ ୨ ଛାତ୍ରୀ : ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ୪ ଗିରଫ
9/03/2021 at 12:48 PM

ଯାଜପୁରରୋଡ଼ ୦୯।୦୩: ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଶିକ୍ଷାବୃତ୍ତି ନେବାକୁ ଆସିଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଚାରିଜଣ ଯୁବକ ଗଣଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ଆସିଛି । କାଳିଆପାଣି ପୋଲିସ ଘଟଣାରେ ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଗତ ୭ତାରିଖ ଦିନ ଡୁବୁରୀ ଅଞ୍ଚଳର ଜଣେ ଯୁକ୍ତଦୁଇ ଛାତ୍ରୀ ନିଜର କଲେଜ ପଢୁଆ ଯୁବକ ବନ୍ଧୁ ସହ ବ୍ରହ୍ମଣୀପାଳ ସ୍ଥିତ ଏକ ଘରୋଇ କାରଖାନାକୁ ମେଧାବୀ ଛାତ୍ରୀବୃତ୍ତି ନେବାକୁ ଆସିଥିଲେ । କୌଣସି କାରଣରୁ ସେମାନେ ରାତିରେ କାଳିଆପାଣିରେ ରହିଥିଲେ । ରାତିରେ କାଳିଆପାଣି ବଜାରକୁ ଯାଉଥିବା ସମୟରେ ଖଣିଅଞ୍ଚଳର କଲରଙ୍ଗୀ ନିକଟରେ ସେମାନଙ୍କୁ କିଛି ଯୁବକ ପିଛା କରୁଥିଲେ ।
ଯାହାକୁ ଜାଣିବା ପରେ ନାବାଳିକା ଜଣଙ୍କ ଘଟଣାସ୍ଥଳରୁ ତୁରନ୍ତ ଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସମ୍ପୃକ୍ତ ଚାରିଜଣ ଦୁର୍ବୃତ୍ତ ନିଛାଟିଆ ରାସ୍ତାରେ ନାବାଳିକାଙ୍କୁ ଅଟକାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଅସହାୟ ଅବସ୍ଥାରେ ନାବାଳିକା ଜଣକ ଖସିଯାଇ ନିକଟରେ ଥିବା ଜଣେ ମହିଳା ହୋମଗାର୍ଡଙ୍କ ଘରକୁ ଦୌଡ଼ି ଦୌଡ଼ି ଆସିଥିଲେ ।
ଶେଷରେ ହୋମଗାର୍ଡଙ୍କ ନିକଟରୁ ଖବର ପାଇ କାଳିଆପାଣି ପୋଲିସ ଖୋଲତାଡ଼ ଆରମ୍ଭ କରିଥିଲା । ରାତିସାରା ବିଭିନ୍ନ ସ୍ଥାନରେ ଚଢାଉ କରି ଚାରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କ ମଧ୍ୟରେ OISFର ରୋଷେୟା ଭାବେ କାମକରୁଥିବା ସନ୍ତୋଷ ପୃଷ୍ଟି, ସତ୍ୟବ୍ରତ ବେହେରା ଓରଫ୍ ବବଲୁ, ଉମେଶ ଚନ୍ଦ୍ର ମହାନ୍ତ ଓରଫ୍ ସିଲୁ ଓ ରବି ନାଏକ ନାମକ ୪ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବାର ସୂଚନା ମିଳିଛି।
ସନ୍ତୋଷର ବୟସ ୩୧ ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ ୨୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସେପଟେ ନାବାଳିକାର ଡାକ୍ତରୀ ମାଇନା କରାଯାଇଛି । ଏବେ କେବଳ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।