ଛାତ୍ରୀଙ୍କୁ ଦୁଷ୍କର୍ମ କରି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ, ଜଣେ ଗିରଫ, ଅନ୍ୟ ୨ ଜଣଙ୍କୁ ଛାଡିଦେଲା ପୋଲିସ

Published By : Prameya-News7 Bureau | September 17, 2020 IST

ନିଶ୍ଚିନ୍ତକୋଇଲି, ୧୭/୦୯: ନେମାଳ ଥାନା ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇ ବ୍ଲାକମେଲିଂ କରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଛାଡିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଛାତ୍ରାଭିଭାବକ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଉକ୍ତ ଛାତ୍ରୀ କଲେଜରେ ନାମ ଲେଖାଇନଥିବା ହେତୁ ଗ୍ରାମ ନିକଟ ବଜାରକୁ ସିଲେଇ ଶିଖିବା ପାଇଁ ପ୍ରତିଦିନ ଯାଇଥାନ୍ତି । ଛାତ୍ରୀ ସିଲେଇ ଶିଖି ଘରକୁ ଫେରିବା ବେଳେ ଜମରା ଗ୍ରାମର ରାଜେଶ ସ୍ୱାଇଁ, ତାର ଜଣେ ସହଯୋଗୀ ଓ ସ୍ଥାନୀୟ ଗ୍ରାମରକ୍ଷୀଙ୍କ ପୁଅ ଛାତ୍ରୀଙ୍କୁ ରାସ୍ତା ପାଶ୍ୱର୍ରେ ତିଆରି ହୋଇଥିବା ଏକ ଘରକୁ ନେଇ ଯାଇଥିଲେ । ରାଜେଶ ଘର ଭିତରେ ଛାତ୍ରୀଙ୍କୁ ଭୟଭୀତ କରାଇ ଦୁଷ୍କର୍ମ କରିଥିଲା ବେଳେ ତାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମୋବାଇଲରେ ଉତ୍ତୋଳନ କରିଥିଲା । ଗ୍ରାମରକ୍ଷୀଙ୍କ ପୁଅ ଓ ଅନ୍ୟ ଜଣେ ଯୁବକ ତାକୁ ସହାୟତା କରିଥିଲେ ।

ରାଜେଶ ବାରମ୍ୱାର ଛାତ୍ରୀଙ୍କୁ ଯିବା ଆସିବା ବେଳେ ରାସ୍ତାରେ ଅଶାଳୀନ ଆଚରଣ ପ୍ରଦର୍ଶନ କରିବା ସହ ତା କଥାରେ ରାଜି ନ ହେଲେ ଉତ୍ତୋଳନ କରିଥିବା ଅଶ୍ଳୀଳ ଫଟୋକୁ ଫେସବୁକରେ ପ୍ରଘଟ କରିଦେବ ବୋଲି ଧମକ ଦେଇ ଆସୁଥିଲା। ଏପରିକି ଛାତ୍ରୀ ତା’ କଥାରେ ରାଜି ନ ହେବାରୁ ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରି ଆହତ କରିଥିଲା । ଛାତ୍ରୀଙ୍କ ପିତା ଏ ସମ୍ପର୍କରେ ନରେନ୍ଦ୍ରପୁର ଫାଣ୍ଡିରେ ୩ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଫାଣ୍ଡି ପୁଲିସ ନେମାଳ ଥାନା ପୁଲିସ ସହାୟତାରେ ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ରାଜେଶ ପାଖରୁ ୨ଟି ମୋବାଇଲ ଜବତ କରାଯାଇଛି ।

ଅପରପକ୍ଷରେ ନେମାଳ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଯୁବକଙ୍କୁ ରାଜନୈତିକ ଚାପରେ ଛାଡ଼ିଦେଇଥିବା ଅଭିଯୋଗ ହୋଇଛି । ରାଜେଶ ନାମରେ ସାଲେପୁର ଓ ନେମାଳ ଥାନାରେ ଏକାଧିକ ମାମଲା ରହିଥିବା ଜଣାଯାଇଛି। ଅନ୍ୟପକ୍ଷରେ ଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.