ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ସରଗରମ ରାଜନୀତି : ପ୍ରଶାସନିକ ବ୍ୟବସ୍ଥାକୁ ଦାୟୀ କଲେ ବିରୋଧି, ଜବାବ ରଖିଲା ବିଜେଡି

Published By : Prameya-News7 Bureau | September 09, 2021 IST

ଭୁବନେଶ୍ୱର, ୦୯।୦୯ : ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି । ବିରୋଧୀ ଏଥିପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗରେ ଶାସନ ବ୍ୟବସ୍ଥା ଉପରେ ବିଷୋଦଗାର କରିଛନ୍ତି । ସମସ୍ତ ଅଭିଯୋଗର ଜବାବ ରଖିଛି ଶାସକ ବିଜେଡି ।

ବିଜେପି କହିଛି ଯେ, ଏହା ଅତ୍ୟନ୍ତ ଦୁଃଖଦ। ଏଥିପାଇଁ ସରକାର ଦାୟୀ। ବିଜୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ବାରମ୍ବାର ନିବେଦନ କରୁଥଲେ। କିନ୍ତୁ ପାଇଲେ ନାହିଁ। ବାରମ୍ବାର ପ୍ରଶାସନ ପାଖକୁ ଧାଇଁ ଧାଇଁ ବିଫଳ ହେବା ପରେ ଆତ୍ମହତ୍ୟାର ବାଟ ବାଛିନେଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ପ୍ରହସନ। ଏହା କେଵଳ ପ୍ରଚାର ସର୍ବସ୍ବ ରାଜନୀତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର  ସୁଵିଧା ସୁଯୋଗ ଲୋକେ ପାଉ ନାହାଁନ୍ତି। ବାଧ୍ୟ ହୋଇ ଆତ୍ମହତ୍ୟାର ବାଟ ବାଛୁଛନ୍ତି ବୋଲି ସେ କହିଛନ୍ତି ।

ସେହିପରି କଂଗ୍ରେସ ଦଳର ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ପୂର୍ବ ଅଧିବେଶନରେ ସୋମନେ ବାରମ୍ବାର ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା  କଥା ଉଠାଇଥିଲେ । କିନ୍ତୁ ପୋଲିସ ପ୍ରଶାସନ ଏହାକୁ ରୋକିବାରେ ସମ୍ପୁର୍ଣ ବିଫଳ ହୋଇଛି। ବୁଧବାର ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କଲେ । ହେଲେ ପୋଲିସ ବଞ୍ଚାଇ ପାରିଲାନି। ଏଥିପାଇଁ ବିଭାଗୀୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ବୋଲି ସେ କହିଛନ୍ତି ।

ବିଜେଡି କହିଛି ଯେ, ଏହା ଦୁଃଖଦ ଘଟଣା। କେଉଁ ପରିସ୍ଥିତିରେ କାହା ଚାପରେ ସେ ଆତ୍ମହତ୍ୟା କଲେ ତାହା ତଦନ୍ତ ସାପେକ୍ଷ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଦୁଷ୍ମନ୍ତ ହିତାଧିକାରୀ ହୋଇ ମଧ୍ୟ ସେ ସୁଫଳ ପାଇଲେ ନାହିଁ ବିରୋଧି ଅଭିଯୋଗ କରୁଛନ୍ତି । ତାହା ଭିତ୍ତିହୀନ  ବୋଲି ବିଜେଡ଼ି ବିଧାୟକ ଧ୍ରୁବ ସାହୁ ଏବଂ ରାଜ କିଶୋର ଦାଶ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.