ଲକଡାଉନ୍ ସମୟରେ ସଫେଇ କର୍ମଚାରୀଙ୍କ ଉପରେ ହେଲା ଫୁଲର ବର୍ଷା… ଭିଡିଓ ଦେଖି ମୁଖ୍ୟମନ୍ତ୍ରୀ କଲେ ପ୍ରଂଶସା
1/04/2020 at 7:33 PM

ପଟିଆଲା୦୧/୦୪ : ଲକଡାଉନ୍ ସମୟରେ ସଫେଇ କର୍ମଚାରୀଙ୍କ ଉପରେ ହେଲା ଫୁଲର ବର୍ଷା। ପଞ୍ଜାବରେ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ନିୟମ ଜାରି ରହିଥିବାବେଳେ ନାଭା ଅଞ୍ଚଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି | ଏହି ଭିଡିଓରେ ଲୋକମାନେ ସଫେଇ କର୍ମଚାରୀଙ୍କୁ ସମ୍ମାନ ଜଣାଇ ତାଙ୍କ ଉପରେ ଫୁଲର ବର୍ଷା କରିଥିଲେ | କେବଳ ଏତିକି ନୁହେଁ ତାଙ୍କୁ ସମ୍ମାନ ଜଣାଇ ତାଙ୍କୁ ନୋଟ୍ ମାଳା ମଧ୍ୟ ପିନ୍ଧାଇଥିଲେ | ଏହି ଭିଡିଓକୁ ଦେଖି ଲୋକଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ |

ଏକ ମିନିଟର ଏହି ଭିଡିଓରେ ଦେଖିବାକୁ ମିଳିଛି, ଦୁଇଜଣ ସଫେଇ କର୍ମଚାରୀ ସଫେଇ ଠେଲା ଧରି ପଟିଆଲାର ନାଁଭା ଅଞ୍ଚଳର ଆବାସିକ କମ୍ପ୍ଲେକ୍ସରେ ପ୍ରବେଶ କରିବା ମାତ୍ରେ ସେଠାକାର ବାସିନ୍ଦାମାନେ ନିଜ ଘରର ଛାତ ଉପରୁ ତାଙ୍କ ଉପରେ ସମ୍ମାନର ସହ ପୁଷ୍ପ ବର୍ଷା କରିଥିଲେ ଏବଂ ତାଳି ବଜାଇ ତାଙ୍କୁ ସ୍ୱାଗତ କରିଥିଲେ | ଠିକ୍ ଏତିକି ବେଳେ ତିନି ଜଣ ଲୋକ ନିଜ ନିଜ ଘରୁ ବାହାରକୁ ଆସି ନୋଟରେ ତିଆରି ମାଳା ତାଙ୍କ ବେକରେ ପିନ୍ଧାଇ ଦେଇଥିଲେ ଏବଂ ତାଙ୍କ ସେବା ପାଇଁ ତାଙ୍କ ପିଠିକୁ ଥାପୁଡ଼େଇ ଧନ୍ୟବାଦ ଦେଇଥିଲେ।
ଏହି ଭିଡିଓକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ନିଜ ଟ୍ୱିଟର ପେଜରେ ସେୟାର କରି କହିଛନ୍ତି ଯେ “ନାଭା ଅଞ୍ଚଳରେ ଲୋକେ ସଫେଇ କର୍ମଚାରୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିବା ଦେଖି ବହୁତ ଖୁସି ହେଉଛି । ଆମର ଅନ୍ତର୍ନିହିତ ଭଲ ଗୁଣ ସଠିକ ସମୟରେ ବାହାରକୁ ଆସିବା ଏକ ସୁଖଦ ଅନୁଭବ | ଏହିପରି କରୋନା ଜୀବାଣୁ ବିରୁଦ୍ଧରେ ଆଗ ଧାଡିରେ ଲଢେଇ କରୁଥିବା ଲୋକଙ୍କ ଉତ୍ସାହକୁ ବଢ଼ାନ୍ତୁ। ”
ପଟିଆଲାର ଲୋକସଭା ସଦସ୍ୟ ତଥା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀ ପାର୍ନୀତ କୌର ମଧ୍ୟ ଏହି ଭିଡିଓକୁ ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି। ସୂଚନାଯୋଗ୍ୟ ଯେ ପଞ୍ଜାବରେ ଏପର୍ଯ୍ୟନ୍ତ ୪୨ ଜଣ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି ।