କୁଆରମୁଣ୍ଡା,୨୪/୧୨: ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟାଲା ନିକଟସ୍ଥ ୧୪୩ ନଂ. ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ଓ ବାଇକ୍ ଧକ୍କା ହେବା ଫଳରେ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି ।
ସୂଚନା ଅନୁସାରେ, ଦୁଇ ଜଣ ଯୁବକ ବାଇକ୍ (ଓଡ଼ି୧୪ୟୁ ୪୩୧୨) ଯୋଗେ କୁଆରମୁଣ୍ଡାରୁ ରାଉରକେଲାକୁ ଅଭିମୁଖେ ଆସୁଥିଲେ। ତେବେ ବିପରୀତ ଦିଗରୁ ଏକ ୧୦ ଚକିଆ ଟ୍ରକ୍ (ପିବି୧୩ ବିଡି-୫୬୭୪) ଡାଲାରେ ବାଇକଟି ପିଟି ହୋଇଥିଲା। ଫଳରେ ବାଇକ୍ରେ ବସିଥିବା ଦୁଇ ଜଣ ଯୁବକ ତଳେ ପଡ଼ି ଯାଇଥିଲେ। ସେମାନଙ୍କ ଉପରେ ଟ୍ରକ୍ର ପଛ ଚକ ଚଢି ଯିବାରୁ ଘଟଣାସ୍ଥଳରେ ଦୁଇ ଯୁବକ ଜୀବନ ହାରିଥିଲେ। ଦୁର୍ଘଟଣା ଘଟାଇ ଟ୍ରକ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଅଟକାଇ ପୋଲିସକୁ ସୂଚନା ଦେଇଥିଲେ।
ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦ୍ୱୟକୁ ଉଦ୍ଧାର କରିବା ସହ ଗାଡିକୁ ମଧ୍ୟ ଜବତ କରିଛି । ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିନଥିବା ବେଳେ ଅନ୍ୟ ଜଣେ ଯୁବକ ରାଉରକେଲା ସେକ୍ଟର-୧୫ ଅଞ୍ଚଳର ଅମିତାଭ ବେହେରା ବୋଲି ସୂଚନା ମିଳିଛି ।