ବସ୍‌-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୧୨ ଜିଅନ୍ତା ଜଳିଗଲେ

Published By : Prameya-News7 Bureau | November 11, 2021 IST

ଯୋଧପୁର ୧୧।୧୧ : ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଘରୋଇ ବସ୍‌ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଏହାଯୋଗୁ ପ୍ରାୟ ୧୨ ଜଣ ଜିଅନ୍ତା ଜଳିଯାଇଛନ୍ତି । ଆହୁରି ପ୍ରାୟ ୨୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟବର୍ତ୍ତୀ ନୋହଟା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ।

ଖବର ଅନୁଯାୟୀ,  ବୁଧବାର ସକାଳ ପ୍ରାୟ ୧୦.୩୦ ମିନିଟ୍‌ରେ ଏହି ଅଘଟଣ ଘଟିଛି । ଏକ ଘରୋଇ ବସ୍‌ ବାଲୋତ୍ରାରୁ ଯୋଧପୁର ଅଭିମୁଖେ ଯାଉଥିଲା । ସେଥିରେ ପାଖାପାଖି ୩୫-୪୦ ଜଣ ଯାତ୍ରୀ ଥିଲେ । ତେବେ ବାଡ଼ମେର-ଯୋଧପୁର ଜାତୀୟ ରାଜପଥରେ ଭାଣ୍ଡିୟାବାସ୍‌ ଗାଁ ସ୍ଥିତ ସଂସ୍କାର ସ୍କୁଲ ପାଖରେ ବିପରୀତ ପାଶ୍ୱର୍ରୁ ଏକ ଟ୍ୟାଙ୍କର୍‌ କ୍ଷୀପ୍ର ଗତିରେ ଆସି ବସ୍‌କୁ ବହୁ ଜୋର୍‌ରେ ଧକ୍କା ଦେଇଥିଲା । ଯାହାଫଳରେ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗିଯାଇଥିଲା ।

ତେବେ ବସ୍‌ ମଧ୍ୟରେ ଧୂଆଁ ବ୍ୟାପିଯିବାରୁ ଯାତ୍ରୀମାନେ ଆଉ ବାହାରି ପାରିନଥିଲେ । ଫଳରେ ଘଟଣାସ୍ଥଳରେ ହିଁ ୧୧ ଜଣ ଯାତ୍ରୀ ଜିଅନ୍ତା ଜଳିଯାଇଥିଲେ । ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଅଗ୍ନିକାଣ୍ଡ ଏତେ ଭୟାନକ ଥିଲା ଯେ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଅଧ ଘଣ୍ଟା ଧରି ଉଦ୍ୟମ କରିବା ପରେ ଯାଇ ନିଆଁକୁ ଆୟତ୍ତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.