ଖଣ୍ଡଗିରି ଛକରେ ପୁଣି ଗଲା ଜୀବନ, ଯୁବକଙ୍କୁ ଚାପିଦେଲା ଟ୍ରକ୍
28/12/2020 at 8:11 AM

ଭୁବନେଶ୍ୱର,୨୮/୧୨: ରାଜଧାନୀ ଭୁବନେଶ୍ୱରର ଆକ୍ସିଡେଣ୍ଟ ପଏଣ୍ଟ କୁହାଯାଉଥିବା ଜନଗହଳିପୂର୍ଣ୍ଣ ଖଣ୍ଡଗିରି ଛକ ପୁଣି ଏକ ଦୁର୍ଘଟଣା ଘଟିଛି। ରବିବାର ବିଳମ୍ବିତ ରାତିରେ ଏନ୍ଏଚ୍-୧୬ରେ ଜଣେ ଯୁବକଙ୍କୁ ଏକ ମାଲ୍ବାହୀ ଟ୍ରକ ଚାପି ଦେଇଛି । ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଛି । ଖଣ୍ଡଗିରି ପେଟ୍ରୋଲ ପମ୍ପ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି । ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଛି ।
ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।ପୋଲିସ କହିଛି ଯେ, ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକଟି ଖସି ପଳାଇଥିଲା। ମୃତ ଯୁବକଙ୍କ କୌଣସି ପରିଚୟ ମିଳିପାରି ନାହିଁ। ତାଙ୍କ ପାଖରୁ କୌଣସି ପରିଚୟପତ୍ର କିମ୍ବା ମୋବାଇଲ୍ ମିଳିନଥିବା ସୂଚନା ମିଳିଛି ।
ସୂଚନାନୁସାରେ, ଖଣ୍ଡଗିରି ଛକରେ ଫ୍ଲାଏ ଓଭର ନିର୍ମାଣ ଚାଲିଥିବାରୁ ରାତି ବେଳା ୱାନ୍ ୱେ ଟ୍ରାଫିକ୍ କରାଯାଇଛି। ରାତି ୧୧ଟାରୁ ସକାଳ ଯାଏଁ ଗାଡିଗୁଡି଼କ ଖଣ୍ଡଗିରି ଥାନା ପାର୍ଶ୍ବ ଦେଇ ଯାଉଛନ୍ତି । ନିୟମାନୁସାରେ ରାତି ନିର୍ମାଣ କାର୍ଯ୍ୟ କରୁଥିବା ଘରୋଇ ସଂସ୍ଥା ପକ୍ଷରୁ ପାଖାପାଖି ୧୨ଜଣ ରାତ୍ର ଜଗୁଆଳି ଗାଡିମୋଟର ଯାତାୟତ ନିୟନ୍ତ୍ରଣ କରିବା କଥା। କିନ୍ତୁ ସାଧାରଣରେ ଅଭିଯୋଗ ହେଉଛି, ଅଧିକାଂଶ ସମୟରେ ରାତ୍ର ଜଗୁଆଳିଙ୍କ ଦେଖାଦର୍ଶନ ମିଳୁନାହିଁ। କେବଳ ଖଣ୍ଡଗିରି ଛକ ଟ୍ରାଫିକ୍ରେ ଜଣେ କି ଦୁଇଜଣ ରହୁଛନ୍ତି । ତେଣୁ ଅନେକ ଥର ଦୁର୍ଘଟଣା ଘଟୁଛି ।