ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ

Published By : Prameya-News7 Bureau | March 02, 2021 IST

କାନପୁର, ୦୨|୦୩ : ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଛନ୍ତି । ଏହାସହ ୧୦ରୁ ଅଧିକ ଆହତ ହୋଇଛନ୍ତି  । ଘଟଣାକୁ ନେଇ ସାରା ଜିଲ୍ଲାରେ ଆଲୋଡନ ଖେଳିଯାଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରି ପୋଷ୍ଟମଟର୍ମରେ ପଠାଇଛି । ଏହାସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, କାନପୁରର ଦେହାତରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ, ଦେହାତ ଦେଇ ଯାଇଥିବା ଜାତୀୟ ରାଜପଥରେ ଏକ ଦ୍ରୁତଗତିରେ ଆସୁଥିବା ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ୨୨ ଜଣ ଟ୍ରକ୍ ତଳେ ଚାପି ହୋଇ ରହିଯାଇଥିଲେ । ତେବେ ୨୨ଜଣଙ୍କ ମଧ୍ୟରୁ ୬ଜଣ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଅନ୍ୟ ୧୬ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତମାନେ ଶ୍ରମିକ ବୋଲି ଜଣାପଡିଛି । ଏହାସହ ୮ଶ୍ରମିକ ଗୁରୁତର ହୋଇ ପଡିଛନ୍ତି ।

ଟ୍ରକରେ ଥିବା ମହିଳା ଶ୍ରମିକ ଶ୍ୟାମା ଦେବୀ କହିଛନ୍ତି ଯେ, ସେମାନେ ହରୀରପୁରରୁ ଇଟାବା ଆଡେ ଯାଉଥିଲେ ।  ସେମାନେ ଇଟାବାର ଏକ କୋଇଲା ଖଣିରେ କାମ କରିଥାନ୍ତି । ସେମାନେ ଯେଉଁ ଟ୍ରକରେ ଯାଉଥିଲେ, ଗାଡିର ଡ୍ରାଇଭର ଅଧିକ ଶବ୍ଦ ଦେଇ ଗୀତ ବଜାଉଥିବା ସହ ଜୋରରେ ଚଳାଉଥିଲା । ଫଳରେ ଟ୍ରକଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ମୃତକଙ୍କ ମଧ୍ୟରେ କିଛି ଶିଶୁ ରହିଛନ୍ତି । ଗାଡିଟି ଓଲଟି ପଡିବା ପରେ ସ୍ଥାନୀୟ ଲୋକେ ଆସି ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ସମସ୍ତ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.