ଅଧା ରହିଗଲା ସେନା ବାହିନୀରେ ଯୋଗଦେବା ସ୍ୱପ୍ନ, ବାଇକ ଦୁର୍ଘଟଣାରେ ଚାଲିଗଲା ଜୀବନ

Published By : Prameya-News7 Bureau | February 01, 2021 IST

କୋକସରା ୦୧।୦୨: ଅଧା ରହିଗଲା ଦେବେନ୍ଦ୍ରଙ୍କ ସ୍ୱପ୍ନ । ସେନାବାହିନୀରୁ ନିଯୁକ୍ତି ମିଳିସାରିଥିଲା । ଆଉ କିଛି ଦିନ ପରେ ସେନାବାହିନୀରେ ଯୋଗଦେଇଥାନ୍ତେ ଦେବେନ୍ଦ୍ର। ଏଥିପାଇଁ ପରିବାର ଲୋକ ମଧ୍ୟ ଖୁସି ଥିଲେ। ପୁଅ ସରକାରୀ ଚାକିରି କରିବ, ଏହି ଖୁସିରେ ପରିବାର ଲୋକଙ୍କ ଖୁସି କହିଲେ ନସରେ । କିନ୍ତୁ ସତେ ଯେମିତି ସମସ୍ତ ଖୁସିରେ ଗ୍ରହଣ ଲାଗିଗଲା । ଦେଶ ସେବା କରିବାର ଦେବେନ୍ଦ୍ରଙ୍କର ସ୍ୱପ୍ନ ଆଉ ସାକାର ହୋଇପାରିଲାନି। କ୍ଷଣିକରେ ସବୁକିଛି ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା। ବିବାହ ପାଇଁ ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାରେ ଚାଲିଗଲା ଦେବେନ୍ଦ୍ରଙ୍କ ଜୀବନ।

ଖବର ଅନୁଯାୟୀ, ରବିବାର ଦିନ କୋକସରା ବ୍ଲକ୍‌ ବଙ୍ଗୋମୁଣ୍ଡା ନିକଟସ୍ଥ ଟେମରା ରାସ୍ତା ବୁଲାଣିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇ ବାଇକରେ ଥିବା ୪ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଁଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲେ। କୋକସରା ହସ୍ପିଟାଲରେ ଜଣେ ଯୁବକ (ଦେବେନ୍ଦ୍ର)ଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଗୁରୁତର ଥିବା ଦୁଇ ଯୁବକଙ୍କ ବିଶାଖାପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ସେଠାରେ ମଧ୍ୟ ଉଭୟଙ୍କର ମୃତ୍ୟୁ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.