ବାରୂଦ ବୋଝେଇ ଟ୍ରେନ ନେଇ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ ଏହି ସାହସୀ ଯବାନ ; ପଢନ୍ତୁ ଦୁର୍ଗା ଶଙ୍କରଙ୍କ କାହାଣୀ

Published By : Prameya-News7 Bureau | March 01, 2019 IST

ଦିଲ୍ଲୀ ୧/୩ : ବୟସ ୮୩, କିନ୍ତୁ ଜୋଶ ଢେର | ଭାରତୀୟ ସେନା ସହ ଶତ୍ରୁକୁ ଧୂଳିସାତ କରିବାର ଜୋଶ | ଏହି ବୟସ୍କ ବ୍ୟକ୍ତି ଜଣକ ଏବେ ମଧ୍ୟ ପାକିସ୍ତାନକୁ ଧୂଳି ଚଟାଇବା ପାଇଁ ସରକାରଙ୍କ ନିର୍ଦେଶର ଅପେକ୍ଷାରେ | ସେ ହେଉଛନ୍ତି ରେଲୱେ ପାଇଲଟ ଦୁର୍ଗା ଶଙ୍କର ପାଲିବାଲ | ସେ ବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି | ୧୯୭୧ ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ଯୁଦ୍ଧ ବେଳେ ଭାରତୀୟ ସେନା ପାକିସ୍ତାନ ସୀମାକୁ ପ୍ରବେଶ କରି ପାଖାପାଖି ୩୦ କି:ମି: କବଜା କରିଥିଲା | ଯେତେବେଳେ ଭାରତୀୟ ସେନାର ଗୁଳି ସରିବାକୁ ବସିଥିଲା ସେତେବେଳେ ପାକିସ୍ତାନ ସୀମାରେ ଥିବା ଯବାନଙ୍କୁ ଗୁଳି ଯୋଗେଇବା ଦାୟିତ୍ୱ ସରକାର ଦୁର୍ଗା ଶଙ୍କରଙ୍କୁ ଦେଇଥିଲେ | ଭାରତୀୟ ରେଳ ବିଭାଗ ତରଫରୁ ଦୁର୍ଗା ଶଙ୍କର ୫ ଟି ବଗି ଯୁକ୍ତ ଏକ ଟ୍ରେନ ନେଇ ପାକିସ୍ତାନ ସୀମାରେ ପ୍ରବେଶ କରିବାକୁ ଥିଲା | ଦୁର୍ଗା ଶଙ୍କରଙ୍କୁ ପାକିସ୍ତାନର ଖୋପରପାର ଏବଂ ବେରି ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ପହଂଚିବାକୁ ଥିଲା | ସେତେବେଳେ ରେଳ ଲାଇନ ଭାଙ୍ଗି ଯାଇଥିଲା | ଏଭଳି ସ୍ଥିତିରେ ରାତାରାତି ୧୦ କି:ମି: ରେଳ ଟ୍ରାକ ତିଆରି କରାଗଲା | ଡିସେମ୍ବର ୧୧ ତାରିଖରେ ଦୁର୍ଗା ଶଙ୍କର ବାରୂଦ ବୋଝେଇ ଟ୍ରେନ ନେଇ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ |

ପାକିସ୍ତାନ ସୀମାର ଖୋପରପରରୁ ଦୁର୍ଗା ଶଙ୍କରଙ୍କ ଟ୍ରେନକୁ ରୋକିବା ପାଇଁ ପାକିସ୍ତାନୀ ବିମାନ ଚେଷ୍ଟା କରିଥିଲା | ଦୁର୍ଗା ଶଙ୍କର ଏ ସମ୍ପର୍କରେ ଜାଣିବାକୁ ପାଇ ପ୍ରସ୍ତୁତ ହୋଇଯାଇଥିଲେ | ପାକିସ୍ତାନ ଆକାଶମାର୍ଗରୁ ୬ଟି ବୋମା ପକାଇ ଟ୍ରେନକୁ ଧ୍ବଂସ କରିବା ପାଇଁ ଉଦ୍ୟମ କରିଥିଲା |

ପାକିସ୍ତାନର ୬ଟି ଏୟାର କ୍ରାଫ୍ଟ ଟ୍ରେନକୁ ଚାରିପଟୁ ଘେରି ଯାଇଥିଲା | ତଥାପି ଦୁର୍ଗା ଶଙ୍କର ଭୟଭୀତ ହୋଇନଥିଲେ | ସେ ଟ୍ରେନକୁ ଆହୁରି ଦ୍ରୁତ ଗତିରେ ଚଲାଇଥିଲେ | ଏୟାର କ୍ରାଫ୍ଟ ଦ୍ୱାରା ଟ୍ରେନ ଉପରେ ବୋମା ପକାଯାଇଥିଲା କିନ୍ତୁ ଏଥିରେ ଟ୍ରେନର କୌଣସି କ୍ଷତି ହୋଇନଥିଲା | ଏତିକିବେଳେ ଏୟାରକ୍ରାଫ୍ଟର ମଧ୍ୟ ବୋମା ସରିଯାଇଥିଲା | ଏହାପରେ ଦୁର୍ଗା ଶଙ୍କର ନିଜ ବାଟାଲିଅନକୁ ସୂଚନା ଦେଇଥିଲେ | ସୂଚନା ପାଇ ବାଟାଲିଅନ ୧୫ ମିନିଟରେ ଟ୍ରେନ ଖାଲି କରିଦେଇଥିଲା | ଏହାପରେ ଏଣ୍ଟି ଏୟାରକ୍ରାଫ୍ଟ ମିସାଇଲ ରିଲୋଡ କରିଥିଲା ଭାରତୀୟ ସେନା |

୧୦ଟି ବାଟାଲିଅନକୁ ସଫଳତା ପୂର୍ବକ ବାରୂଦ ଯୋଗେଇ ଦେବା ପରେ ଦୁର୍ଗା ଶଙ୍କରଙ୍କ ସମସ୍ୟା ଦୂର ହୋଇନଥିଲା | ସେ ପୁଣି ଯେତେବେଳେ ଟ୍ରେନକୁ ଭାରତୀୟ ସୀମା ଆଡକୁ ନେଇ ଯାଉଥିଲେ, ସେତେବେଳେ ଖୋପରପାର ନିକଟରେ ଏକ ପାକିସ୍ତାନୀ ଏୟାରକ୍ରାଫ୍ଟ ପାଖାପାଖି ୧୦୦୦ କିଲୋର ବୋମା ଟ୍ରେନ ଉପରେ ପକାଇଥିଲା | ଟ୍ରେନ ଟ୍ରାକ ମଧ୍ୟ କ୍ଷତିଗ୍ରସ୍ତ ହୋଇଯାଇଥିଲା | ଦୁର୍ଗା ଶଙ୍କର ଭାରତୀୟ ସୀମା ଠାରୁ ୫ କି:ମି ପଛରେ ଥିଲେ | ବୋମା ନିଆଁରେ ଦୁର୍ଗା ଶଙ୍କରଙ୍କ ହାତ ପୋଡି ଯାଇଥିଲା | ତଥାପି ସେ ହାରିଯାଇନଥିଲେ | ଦୁର୍ଗା ଶଙ୍କର କହୁଣୀ ସାହାଯ୍ୟରେ ଟ୍ରେନ ଚଲାଇ କିଛି ବାଟ ଆଗକୁ ଆସିଥିଲେ | ଆଗକୁ ଟ୍ରେନ ଟ୍ରାକ ଭାଙ୍ଗି ଯାଇଥିବାରୁ ତାଙ୍କୁ ସେଠାରେ ରହିବାକୁ ପଡିଥିଲା | ଟ୍ରେନ ଇଂଜିନକୁ ଡେଡ଼ କରି ଦୁର୍ଗା ଶଙ୍କର ନିଜ ରାଇଫଲ ବାହାରକରି ଚାଲି ଚାଲି ଭାରତୀୟ ସୀମା ଆଡକୁ ଯିବା ଆରମ୍ଭ କରିଥିଲେ | ଏତିକିବେଳେ ଭାରତର ଏକ ହେଲିକେପ୍ଟର ସୀମାରେ ଦେଖା ଦେଇଥିଲା | ହେଲିକେପ୍ଟର ଦୁର୍ଗା ଶଙ୍କରଙ୍କୁ ନେଇ ଭାରତୀୟ ସୀମାରେ ପହଞ୍ଚିଥିଲା |

ଦୁର୍ଗା ଶଙ୍କରଙ୍କ ନିର୍ଭିକତା ଓ  ସାହସ ଯୋଗୁଁ ୧୯୭୨ ମସିହା ଅକ୍ଟୋବର ୩୦ ତାରିଖରେ ରାଷ୍ଟ୍ରପତି ଭିଭି ଗିରି ବୀର ଚକ୍ର ପୁରସ୍କାରରେ ତାଙ୍କୁ ସମ୍ମାନିତ କରିଥିଲେ | ଅନେକ ଜାଗାରେ ଦୁର୍ଗା ଶଙ୍କରଙ୍କ ଚିକିତ୍ସା କରାଯାଇଥିଲା | ଦୁର୍ଗା ଶଙ୍କର କୁହନ୍ତି ଯେ ଆଜି ମଧ୍ୟ ତାଙ୍କର ସାହସ କମ ନାହିଁ | ଆଜି ମଧ୍ୟ ସରକାରଙ୍କ ନିର୍ଦେଶ ମିଳିଲେ ସେ ପାକିସ୍ତାନ ସୀମାରେ ପ୍ରବେଶ କରି ଶତ୍ରୁକୁ ଧୂଳି ଚଟେଇ ଆସିବେ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.