କଟକର ପ୍ରସିଦ୍ଧ ଦଶହରା ପର୍ବ ଲାଗି ମାଟି ଅନୁକୂଳ ଆରମ୍ଭ

Published By : Prameya-News7 Bureau | September 02, 2018 IST

କଟକ ୨|୯: କଟକର ପ୍ରସିଦ୍ଧ ଦଶହରା ପର୍ବଲାଗି ଆରମ୍ଭ ହୋଇଯାଇଛି ମାଟି ଅନୁକୂଳ ପର୍ବ । ଏହି ଅନୁକୂଳ ପର୍ବ ବି ବେଶ ନିଆରା । ତେବେ ମା’ଙ୍କର ଏହି ଆଦ୍ୟ ପର୍ବକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସମସ୍ତେ ।ଜଗତଜନନୀଙ୍କର ଧରାବତରଣ ଲାଗି ଏହା ହେଉଛି ପ୍ରସ୍ତୁତି । ଯାହାକୁ ନେଇ କଟକ ସହରରେ ଏବେଠାରୁ ପାର୍ବଣ ଋତୁର ମହକ ଯେମିତି ବାରିହେଲାଣି । ଆଜି ମହାନଦୀ ପଠାରୁ ମାଟି ଅନୁକୂଳ କରାଯାଇଛି । ମା’ ଙ୍କ ମୃଣ୍ମୟୀ ପ୍ରତିମା ଗଢିବାଲାଗି କଟକର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମାଟି ଅନୁକୂଳ କରାଯାଇଛି । ଯାହା କଟକ ସହରର ଏକ ପ୍ରାଚୀନ ପରଂପରା । କିଛି ପୂଜା ମଣ୍ଡପ ଜନ୍ମାଷ୍ଟମୀରେ ମାଟି ଅନୁକୂଳ କରିଛନ୍ତି । କିନ୍ତୁ ନନ୍ଦୋତ୍ସବ ଦିନ ଅଧିକାଂଶ ପୂଜା ମଣ୍ଡପ ମାଟି ଅନୁକୂଳ କରିଥାନ୍ତି । କେବଳ ଜମ୍ନାଷ୍ଟମୀ କିମ୍ବା ନନ୍ଦୋତ୍ସବ ନୁହେଁ, କଟକର କିଛି କିଛି ପୂଜା ମଣ୍ଡପ ସୁନିଆଁ ଏବଂ ରାଧାଷ୍ଟମୀରେ ମଧ୍ୟ ମାଟି ଅନୁକୂଳ କରିଥାଆନ୍ତି । କିମ୍ବଦନ୍ତୀ କହେ, ଜନ୍ମାଷ୍ଟମୀରେ ବିଜୁଳିକନ୍ୟାଙ୍କ ରୂପରେ ଜଗତଜନନୀ ଧରାବତର କରିଥିଲେ । ତେଣୁ ଦଶହରା ପର୍ବ ପାଇଁ ଯେମିତି ଜନ୍ମାଷ୍ଟମୀ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ମାଟି ଅନୁକୂଳ ହୋଇସାରିଛି, ଏହା ପରେ ମା’ ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କାମ ଆରମ୍ଭ ହୋଇଯିବ । ଏହି ମାଟି ଉଠା ପର୍ବକୁ ମଧ୍ୟ କଟକିଆ ବେଶ୍ ଧୂମ ଧାମରେ ପାଳନ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.