ପରଦାରେ ଦେବୀଶକ୍ତି : “ଜୟ ସନ୍ତୋଷୀ ମା"ରୁ ଆରମ୍ଭ ହୋଇଥିଲା ଯାତ୍ରା, ଶେରାୱାଲିଙ୍କ ଗୀତ ଅଧିକ

Published By : Prameya-News7 Bureau | October 17, 2018 IST

ଦେବୀ ଦୁର୍ଗା  ଓହ୍ଲାଇ ଆସିଛନ୍ତି ମାଟିକୁ । ମାଟିରେ ତାଙ୍କ ମୃଣ୍ମୀୟୂ ମୂର୍ତ୍ତି ଝଲସୁଛି ।  ଶରତର ନିର୍ମଳ ଆକାଶ ଓ କାଶତଣ୍ଡୀର ଖିଲି ଖିଲି ହସ ତାଙ୍କୁ ସ୍ବାଗତ କରୁଛି ।  ଜାଗି ଉଠୁଛି, ବଞ୍ଚିବାର ଅୟୁତ କାମନା । ଚାରିଆଡେ ଶୁଭୁଛି ଦଶଭୂଜାଙ୍କ ପ୍ରାର୍ଥନା । ମାଆର ବନ୍ଦନା ।  ଆମ ସାମାଜିକ ଜୀବନର ଏ କାହାଣୀବି’ ପ୍ରତିଫଳିତ ହୋଇଛି ପରଦାରେ । ପ୍ରଦର୍ଶିତ ହୋଇଛି ଦେବୀଶକ୍ତିର ରୂପ । ୧୯୭୧-‘ତୁଲସୀ ବିବାହ’ ରୁ ବଲିଉଡରେ ପଡିଥିଲା  ପୌରାଣିକ ଚଳଚ୍ଚିତ୍ରର ଭିତ୍ତିଭୂମି । ଦେବୀଶକ୍ତିକୁ ନେଇ ୧୯୭୫ରେ ପ୍ରଥମେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର “ଜୟ ସନ୍ତୋଷୀ ମା’  କିନ୍ତୁ ଦେବୀ ଦୁର୍ଗା, ସେରାୱାଲିଙ୍କୁ ନେଇ  ଚଳଚ୍ଚିତ୍ର ‘ସୁହାଗ’ରେ ସଂଯୋଜିତ ହୋଇଥିବା ଗୀତ ଓ ଚିତ୍ର ଦର୍ଶକଙ୍କୁ  କରିଥିଲା   ଆକୃଷ୍ଟ  । ୧୯୭୯ରେ ମୁକ୍ତିଲାଭ କରିଥିବା  ଏ ଚଳଚ୍ଚିତ୍ରର ନାୟକ ଥିଲେ ବିଗ୍-ବି ଅମିତାଭ ବଚ୍ଚନ ଓ ନାୟିକା ରେଖା । ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କ  ସଙ୍ଗୀତରେ ଗୀତଟି ରେକର୍ଡ ହୋଇଥିଲା,  ଆଶା ଭୋଁସଲେ ଓ ମହମ୍ମଦ ରଫିଙ୍କ କଣ୍ଠରେ । ଶେରାୱାଲୀଙ୍କ  ଗୀତ ଓ ଚିତ୍ରକୁ ନେଇ  ଅମିତାଭଙ୍କ ଆଉ ଦୁଇଟି  ଚଳଚ୍ଚିତ୍ର ‘ମର୍ଦ୍ଦ’ ଓ ‘କୋହରାମ’ରେ ଦେଖିବାକୁ ମିଳିଛି । ‘କୋହରାମ୍’ ୧୯୯୯ରେ ରିଲିଜ ହୋଇଥିବା ବେଳେ ‘ମର୍ଦ୍ଦ’ ରିଲିଜ ହୋଇଥିଲା ୧୯୮୫ରେ ।  ଚଳଚ୍ଚିତ୍ରରେ ନିଜ ମା’ପାଇଁ  ମା’ ଶେରାୱାଲିଙ୍କ ପାଖରେ ଥିଲା ଆକୁଳ ପ୍ରାର୍ଥନା ।  ଅନୁ ମଲ୍ଲୀକ ଏ ଗୀତଟି କମ୍ପୋଜ କରିଥିବା ବେଳେ ଆୱାଜ ଦେଇଥିଲେ ସବୀର କୁମାର । ମା’ ଶେରାୱାଲିଙ୍କୁ ନେଇ ଆଉ ଏକ  ଦମଦାର ଆୱାଜର ଦସ୍ତକ ଥିଲା  ଚଳଚ୍ଚିତ୍ର ‘ଆଶା’ରେ ।  ୧୯୮୦ରେ ରିଲିଜ ହୋଇଥିବା ଏ ଫିଲ୍ମରେ  ନରେନ୍ଦ୍ର ଚଞ୍ଚଲ୍ ଓ ମହମ୍ମଦ ରଫିଙ୍କ ଆୱାଜ ଛଇଁଥିଲା ସମସ୍ତଙ୍କୁ ।  ମ୍ୟୁଜିକ କମ୍ପୋଜର ଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍ । ଉଚ୍ଚା ପର୍ବତ, ଲମ୍ବା ରାସ୍ତା କଟିଯାଏ ମାଙ୍କ ଭକ୍ତିରେ ।  ରାଜା ହେଉ କି ଭିକାରୀ ସମସ୍ତେ ମା’ଙ୍କ ଦରବାରରେ ସମାନ  । ସନ୍ତାନର ସୁଖ ପାଇଁ ସାରା ଦୁନିଆରେ ଗୋଟିଏ ଠିକଣା,  ମା’ । ମା ଶେରାୱାଲି ।  ଏମିତି ଏକ ଥିମ୍ କୁ ନେଇ  ଫିଲ୍ମ ଅବତାର ରେ ସଂଯୋଜିତ ହୋଇଥିଲା ଏକ ଗୀତ ।  ଯାହା ଆଜିବି ଦର୍ଶକଙ୍କ ହୃଦୟରେ ଭକ୍ତି ସଞ୍ଚାର କରୁଛି ।  ନରେନ୍ଦ୍ର ଚଞ୍ଚଲଙ୍କ ଦମଦାର ଆୱାଜ୍ , ତାଙ୍କ  ସହିତ ମହେନ୍ଦ୍ର କପୁର ଓ ଆଶା ଭୋଁସଲେ ।  ଫିଲ୍ମ’ ଅବତାର’ଗୀତ ଆଜିବି ଦର୍ଶକଙ୍କ  ପ୍ରିୟ । ୧୯୮୩ରେ ରିଲିଜ ହୋଇଥିବା ଏ ଫିଲ୍ମରେ ଦେଖିବାକୁ ମିଳିଥିଲା  ରାଜେଶ ଖାନ୍ନା ଓ ସବାନା ଆଜମୀଙ୍କ ଯୋଡି । ୧୯୮୩ ର ଫିଲ୍ମ ‘ମେହରବାନ୍’ରେ  ମା ଜଗଦମ୍ବାଙ୍କ ଶକ୍ତିକୁ ନେଇ ସଂଯୋଜିତ ହୋଇଥିଲା ଆଉ ଏକ ଗୀତ ।  ମାଙ୍କ ଦ୍ବାରରେ ପ୍ରାର୍ଥନା କରୁଥିଲେ ଜୀବନ ଯୁଦ୍ଧରେ ହାରିଯାଇଥିବା ନାୟକ ।   ଫିଲ୍ମର ନାୟକ ଥିଲେ  ମିଥୁନ ଚକ୍ରବର୍ତ୍ତୀ । ୧୯୯୪ରେ ରିଲିଜ ହୋଇଥିଲା ଫିଲ୍ମ ‘କ୍ରାନ୍ତୀବୀର’  ।  ଫିଲ୍ମରେ ଅମ୍ବେ, ମା ଜଗଦମ୍ବେଙ୍କ ପାଇଁ ସଂଯୋଜିତ ହୋଇଥିବା  ଗୀତ ଖୁବ ମଚାଇଥିଲା ଧୁମ୍ । ଦେଶପ୍ରେମ ଓ ସାମାଜିକ କାହାଣୀର ଏ ଫିଲ୍ମରେ  ମା ଜଗଦମ୍ବେଙ୍କ ପାଇଁ ଥିଲା ପ୍ରାର୍ଥନା ।  ମୁଖ୍ୟ ଭୁମିକାରେ ଥିଲେ ନନା ପାଟକର ଓ ଡିମ୍ପଲ କପାଡିଆ । ୧୯୯୬ରେ ରିଲିଜ ହୋଇଥିଲା ଫିଲ୍ମ ‘ଖିଲାଡିଓଁ କି ଖିଲାଡି’ । ନାୟକ ଥିଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର ।  ଶତ୍ରୁ ସଂଘାର ପାଇଁ  ନାୟକର ସଂଘର୍ଷକୁ ଆଶୀର୍ବାଦ କରିବା ପାଇଁ ଏଠି ଥିଲେ ମା ଶେରାୱାଲି । ଅନୁ ମଲ୍ଲୀକଙ୍କ ମ୍ୟୁଜିକ କମ୍ପୋଜରେ ଏ  ଗୀତକୁ ଆୱାଜ ଦେଇଥିଲେ ସୋନୁ ନିଗମ୍ । ମା ଶେରାୱାଲୀ ହେଉ କିମ୍ବା ତାଙ୍କ ଶେର୍ କେହିନା କେହି ଶତ୍ରୁ ନିପାତ ପାଇଁ  ଆସନ୍ତି ଏ ଧରାକୁ । ମାଙ୍କ ଆଶୀର୍ବାଦରେ ସଂଘର୍ଷକୁ ମିଳେ ଆଶୀର୍ବାଦ । ରାଜା ହେଉ କି ରଙ୍କ ସମସ୍ତେ ଦେବୀଶକ୍ତିଙ୍କ ପାଖରେ ନତ ମସ୍ତକ । ଠାକୁରାଏନ୍ ହେଉ କି ତୱାଇଫ୍ କାହାକୁ ଦେବୀଙ୍କ ପୂଜାରେ ସାମିଲ ହେବାକୁ ଲଗାଯାଇ ପାରିବ ନାହିଁ ରୋକ୍ । ଏ ମିତି ବଲିଉଡର ଆଉ କିଛି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି  ଏମିତି ଗୀତ ଓ ଚିତ୍ର  ।କେବେ ଭକ୍ତିଗୀତରେ ଓ ଭଜନରେ ଦେଖିବାକୁ ମିଳିଛି ଦେବୀଙ୍କ ଶକ୍ତିର ମହିମା । କେତେ ରୂପରେ ମା ଆବିର୍ଭାବ ହୋଇ  କରିଛନ୍ତି ଆଶୀର୍ବାଦ । ୨୦୦୨ର ଫିଲ୍ମ ‘ଦେବଦାସ’ରେ  ମାଙ୍କ ପୂଜା ମଣ୍ଡପରେ ଚିତ୍ରାୟିତ ହୋଇଥିଲା ଏ ଗୀତ । ଜଣେ ଠାକୁରାଏନଙ୍କ ସହିତ ମାଙ୍କ ପୂଜାରେ ସାମିଲ ଥିଲେ  ଜଣ ତୱାଇଫ ।  ଏ ଦୁଇ ଚରିତ୍ରରେ ଦେଖିବାକୁ ମିଳିଥିଲା ଐଶୋର୍ଯ୍ୟା ରାୟ ବଚ୍ଚନ ଓ  ମାଧୁରୀ ଦିକ୍ଷୀତଙ୍କୁ । ୨୦୧୨ରେ ବିଦ୍ୟା ବାଲାନଙ୍କ ଅଭିନୀତ ଫିଲ୍ମ ‘କାହାନୀ’ରେ  ସଂଯୋଜିତ ହୋଇଥିଲା  କୋଲକାତାର ଦୁର୍ଗାପୂଜା ଚିତ୍ର ।  ଏହା ସହିତ  ଦେବୀ ଦୁର୍ଗା ଶକ୍ତି, ମା ଦୁର୍ଗା ଶକ୍ତି ତୁହି ଦୁର୍ଗା ତୁହି କାଳୀ ପରି ବଲିଉଡର କିଛି ଡବିଂ ଫିଲ୍ମରେ ଦେଖିବାକୁ ମିଳିଥିଲା ମା ଦୁର୍ଗାଙ୍କ ମହିମାର ମାୟ ।   ମାଙ୍କର ମାୟାରେ ହିଁ ଆତଯାତ ଏ ଜଗତ । ସେ ହିଁ ଆଦି, ସେ ହିଁ ଅନ୍ତ । ଉପସ୍ଥାପନା : ସୁବ୍ରତ ଜେନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.