ଚାଲିଛି ମା’ଙ୍କ ଆବାହନ, କଟକଣା ମାନି ହେଉଛି ପୂଜା, ଭୋଗ କରିବାରୁ ବଞ୍ଚିତ ଭକ୍ତ

Published By : Prameya-News7 Bureau | October 14, 2021 IST

ଭଦ୍ରକ, ୧୪/୧୦: ଚାଲିଛି ମା’ଙ୍କ ଆବାହନ । ଦିଲ୍ଲୀରୁ ପଲ୍ଲୀ ସବୁଠି ଚାଲିଛି ପୂଜା । ପୀଠରେ ଜଗତଜନନୀଙ୍କର ନବମୀ ପୂଜା ଅନୁଷ୍ଠିତ ହେଉଛି । କିନ୍ତୁ କରୋନା କଟକଣା ପାଇଁ ପୂଜାରେ ସରାଗ ନାହିଁ । ନା ଦେଖିବା ପାଇଁ ମିଳୁଛି ସାଜସଜ୍ଜା ନା ଆଲୋକ ମାଳା । ମିନାବଜାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ବନ୍ଦ । କରୋନାର କଟକଣା ଏଥର ମଧ୍ୟ ପୂଜାକୁ ଫିକା କରିଛି । କେବଳ ହାତଗଣତି କେତେଜଣଙ୍କୁ ନେଇ ଚାଲିଛି ପୂଜା ।

ରାସ୍ତାଘାଟ ଏବେ ଜନ ଶୂନ୍ୟ ଲାଗୁଛି । ପୂଜା ମଣ୍ଡପ ହେଉ କି ମନ୍ଦିର ସବୁଠି କେବଳ ନୀରବତା । ପାର୍ବଣରେ ଏଠି ମଧ୍ୟ ଜଗତଜନନୀଙ୍କର ଆବାହନ ହେଉଛି । ଅନେକ ମଣ୍ଡପରେ ମା ଙ୍କର ଆବାହନ କରାଯାଉଛି । କିନ୍ତୁ କରୋନାର କଟକଣା ପାଇଁ ଏଥର ସବୁ ସରସ ନ ହୋଇ ନିରସ ହୋଇଛି । ରାସ୍ତା କିମ୍ବା ମଣ୍ଡପରେ ଆଲୋକ ସଜ୍ଜା ହୋଇ ନାହିଁ । କେବଳ ମଣ୍ଡପ ନିକଟରେ ଖୁବ କମ ଶବ୍ଦରେ ଡ଼ାକବାଜି ଯନ୍ତ୍ରରେ ମନ୍ତ୍ର ପାଠ ହେଉଛି । ପ୍ରଶାସନିକ ନିର୍ଦ୍ଦେଶ କ୍ରମେ ଦେବୀଙ୍କ ନିକଟରେ ଶ୍ରଦ୍ଧାଳୁ ଭୋଗ କରି ପାରୁ ନାହାନ୍ତି । ସୀମିତ ସଂଖ୍ୟକ କର୍ମକର୍ତ୍ତା ଓ ପୂଜକ ମଣ୍ଡପରେ ଉପସ୍ଥିତ ରହି ରୀତିନୀତି ସମ୍ପନ୍ନ କରୁଛନ୍ତି । ଅନେକ ସମୟରେ ଶ୍ରଦ୍ଧାଳୁମାନେ ମଣ୍ଡପ ଓ ମନ୍ଦିର ବାହାରୁ ଦୀପ ଜାଳି ଫେରୁଛନ୍ତି ।

ନବମୀ ପୂଜାରେ ବିଭିନ୍ନ ମଣ୍ଡପ ରେ ରୀତିନୀତି ସମ୍ପନ୍ନ ହେଉଛି । ଭଦ୍ରକର ବହୁ ପୁରାତନ ମଣ୍ଡପ କରୋନା କଟକଣାକୁ ସମ୍ମାନ ଦେଉଛନ୍ତି । ମା ବଙ୍କବାସୁଳି, ଜାନୁଗଞ୍ଜ, ଗାନ୍ଧିପଡ଼ିଆ, ବାଇପାସ, ସଂଥିଆ ଓ ବାଉଦପୁର ଅଞ୍ଚଳରେ ମଣ୍ଡପରେ ମା ଙ୍କର ନବମୀ ପୂଜା ହେଉଛି । ବଙ୍ଗୀୟ ପରମ୍ପରା ଅନୁଯାୟୀ ହେଉଥିବା ଝୁଣାଦାନ, ସିନ୍ଦୁରଖେଳ ଓ ଅଖଡା ଖେଳକୁ ମଧ୍ୟ ବନ୍ଦ କରାଯାଇଛି । ଅନେକ ସ୍ଥାନରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାବଣ ପୋଡିକୁ ନକରିବା ପାଇଁ ପୂଜା କମିଟି ନିଷ୍ପତ୍ତି ନେଇଛନ୍ତି । ପୋଲିସ ଓ ପ୍ରଶାସନର ଟିମ ମଧ୍ୟ ବିଭିନ୍ନ ମଣ୍ଡପ ଗୁଡିକରେ ପହଞ୍ଚି କରୋନା କଟକଣାକୁ ଯାଞ୍ଚ କରୁଛନ୍ତି । ଅନେକ ଶ୍ରଦ୍ଧାଳୁ ଓ ପୂଜା କମିଟି କଟକଣାକୁ ମାନି ଭିଡ଼ ନକରିବା ପାଇଁ ଶ୍ରଦ୍ଧାଳୁଙ୍କୁ ନିବେଦନ କରି ଯଥାରୀତି ପରମ୍ପରା ବଜାୟ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.