ଦୁଇ ନକଲି ଏସଟିଏଫ ଅଧିକାରୀ ଗିରଫ, ବିଦେଶୀ ପିସ୍ତଲ ଓ ୫ଟି ଅଫୁଟା ଗୁଳି ଜବତ

Published By : Prameya-News7 Bureau | October 06, 2020 IST

ବାଲେଶ୍ବର ୬।୧୦: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଶେରଗଡ଼ ଟୋଲ ଗେଟରେ ଏକ ନାଲିବତୀ ଗାଡ଼ିରେ ଯାଉଥିବା ଦୁଇ ନକଲି ଏସଟିଏଫ ଅଧିକାରୀଙ୍କୁ ଗିରଫ କରିଛି ଖନ୍ତାପଡା ପୋଲିସ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରୁ ବାଲେଶ୍ୱର ଅଭିମୁଖେ ଏକ ନାଲି ବତୀ ଲାଗିଥିବା ସ୍କର୍ପିଓ ଗାଡିରେ ଦୁଇ ଜଣ ଯୁବକ ଆସୁଥିବା ବେଳେ ଟୋଲପ୍ଲାଜାର ୧ ନମ୍ବର ଗେଟରେ ରୋଡ଼ ବ୍ୟାରିକେଟ୍‌ରେ ଧକ୍କା ଦେଇଥିଲେ । ପରେ ସେମାନେ ଏସଟିଏଫର ପରିଚୟ ଦେଇ ଟୋଲ ଗେଟ ଫି ଛାଡ କରିବାକୁ କହିଥିଲେ । ମାତ୍ର ଟୋଲ ଗେଟ କର୍ମଚାରୀ ପରିଚୟ ପତ୍ର ଦେଖାଇବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଯକ୍ତି ତର୍କ ହୋଇଥିଲା । ପରେ ଟୋଲ ଗେଟ ନିକଟରେ ଥିବା ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ।

{"id":339413,"sizeSlug":"large"}

ଖବର ପାଇ ଖନ୍ତାପଡ଼ା  ଥାନା ଅଧିକାରୀ ପରେଶ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡ଼ିରୁ ବନ୍ଧୁକ ବାହାରିଥିବା ସହ ସେମାନେ ନକଲି ବୋଲି ଜଣା ପଡିଥିଲେ । ଅନ୍ୟପକ୍ଷରେ ଏହି  ଯୁବକମାନଙ୍କ ସହିତ ଧସ୍ତାଧସ୍ତି ବେଳେ ଶେରଗଡ଼ ଫାଣ୍ଡି ଅଧିକାରୀ ଡି କ୍ରୀଷ୍ଣା ପିଙ୍ଗୁଆ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି । ଶେଷରେ ପୋଲିସ ଦୁଇ ଠକଙ୍କୁ ଗିରଫ କରିବା ସହ ନାଲି ବତୀ ଲାଗିଥିବା ସ୍କର୍ପିଓ ଗାଡି ବି ଜବତ କରିଛନ୍ତି । ସେମାନଙ୍କ ନିକଟରୁ ଏକ ବିଦେଶୀ ପିସ୍ତଲ ଓ ୫ଟି ଅଫୁଟା ଗୁଳି ଜବତ କରିଛି ଖନ୍ତାପଡା ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.