ବ୍ରହ୍ମପୁର୨୫/୧: ପୁଣି ନକଲି ଖାଇବା ତେଲ କାରଖାନା ଉପରେ ଚଢ଼ାଉ। ଅପମିଶ୍ରିତ ଖାଇବା ତେଲ କାରଖାନା ଉପରେ ଗୋପାଳପୁର ପୋଲିସ ଅତର୍କିତ ଚଢ଼ାଉ କରିଛି। ମିଳିଥିବା ସୂଚନା ମୁତାବକ, ରାମଚନ୍ଦ୍ରପୁର ଗ୍ଳୋବାଲ୍ ଏଗ୍ରୋ ଗୋଦାମ ଉପରେ ଚଢାଉ ହୋଇଛି। ବାହାରୁ ତେଲ ଆଣି ଏଠାରେ ରି- ପ୍ୟାକିଂ କରି ବଜାରକୁ ଛାଡୁଥିଲେ। ପ୍ରସ୍ତୁତ ତେଲର ମାନ ସ୍ବଚ୍ଛ ନଥିବାରୁ ୟୁନିଟ୍କୁ ସିଲ୍ କରିଲେ ବିଭାଗୀୟ ଅଧିକାରୀ ।
ଏହି ନକଲି କାରବାରରେ ସଂପୃକ୍ତ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଗୋପାଳପୁର ପୋଲିସ। ଏ ନେଇ ଅଧିକ ଖୋଳତାଡ଼ ମଧ୍ୟ ଜାରି ରହିଛି। ପ୍ରସ୍ତୁତକାରୀ ୟୁନିଟ୍ ସଫାସୁତରା, ସ୍ବଚ୍ଛ ନଥିବା ବେଳେ କ୍ଳିନ୍ ରଖିବାକୁ ବିଭାଗୀୟ ଅଧିକାରୀ ପ୍ରସ୍ତୁତକାରୀ ୟୁନିଟ୍ ମାଲିକଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରସ୍ତୁତ ତେଲକୁ ସଂଗ୍ରହ କରି ଟେଷ୍ଟିଂ ପାଇଁ ଭୁବନେଶ୍ବର ଲ୍ୟାବ୍କୁ ପଠାଇଛନ୍ତି।
ପରୀକ୍ଷାରେ ରିପୋର୍ଟ ଆସିବା ପରେ ପର୍ଯ୍ଯଟନ ୟୁନିଟ୍ ବନ୍ଦ ରଖାଯିବ ବୋଲି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଚିନ୍ମୟ ପାଢୀ କହିଛନ୍ତି। ସେପଟେ ଖାଦ୍ଯ ପଞ୍ଜିକରଣ ସମୟ ସୀମା ମାର୍ଚ୍ଚ ପର୍ଯ୍ୟନ୍ତ ଥିବା ସଂପୃକ୍ତ ୟୁନିଟ୍ ମାଲିକ କାଳୀ ଚରଣ ସାହୁ କହିଛନ୍ତି। କେବଳ ଏତିକି ନୁହେଁ ରାଜ୍ୟର ପ୍ରମୁଖ ସହରମାନଙ୍କରେ ମଧ୍ୟ ନକଲି ଖାଦ୍ୟ ସମାଗ୍ରୀ ମିଳିଛି। ଏହା ମଧ୍ୟରେ କଟକରେ ସର୍ବାଧିକ ନକଲି ଖାଦ୍ୟ ସାମଗ୍ରୀ ଜବତ ହୋଇଛି। ସେଥିମଧ୍ୟରେ ରହିଛି ସିନ୍ଥେଟିକ ପନିର, ନକଲି ଘିଅ ଏମିତି ଅନେକ ସାମଗ୍ରୀ ଜବତ କରିଛି ପୋଲିସ।