ଆଠଗଡ ୨୫।୬: କଟକ ଜିଲ୍ଲା କାନପୁର ଥାନାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ। ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ମଦ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ପାଇକବାରବାଟି ଗ୍ରାମ ପଞ୍ଚାୟତର ହଟିଆପଲ୍ଲୀ ଗ୍ରାମ ନିକଟସ୍ଥ ଖେଳ ପଡିଆ ପାଖରେ ଥିବା ଏକ ପରିତ୍ୟକ୍ତ ଘରେ ନକଲି ଚୋରା ମଦ ପ୍ରସ୍ତୁତ କରାଯାଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । କଟକ ଜିଲ୍ଲା ଅବକାରୀ ବିଭାଗ SP ଡଃ ସାନ୍ତନ୍ୟୁ ଦାସ ଏବଂ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଅବକାରୀ ବିଭାଗର DSP ଦେବାଶିଷ ପଟେଲ ଅବକାରୀ ବିଭାଗ କର୍ମଚାରୀମାନଙ୍କୁ ନେଇ କାନପୁର ଥାନାର ହଟିଆପଲ୍ଲୀ ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ନକଲି ମଦ ପ୍ରସ୍ତୁତ ହେଉଥିବା ବିଭିନ୍ନ ସରଞ୍ଜାମ ସହିତ ବାକାର୍ଡି ବ୍ଲାକ୍ ୧୬୬୭ଟି ନିପ ବୋତଲ, ମାକଡୁଏଲ ରମ ୩୩୬ଟି ନିପ ବୋତଲ, କିଙ୍ଗ ଫିସର ବିଅର ୧୯୨ଟି ବୋତଲ ଜବତ କରିଥିବା ବେଳେ ୨୦୦ ଲିଟର ସ୍ପିରିଟ ଜବତ କରାଯାଇଥିଲା। ଏଥି ସହିତ ଅବକାରୀ ବିଭାଗ ପାଇକବାରବାଟି ଗ୍ରାମର ବିଭୁତି ଭୂଷଣ ବିଶ୍ବାଳ ଓ ବଡ଼ମ୍ବା ଥାନା ଅନ୍ତର୍ଗତ ଶଙ୍ଖାମେରି ଗ୍ରାମର ମନୋଜ ରାଉତଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ନକଲି ଚୋରା ମଦର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି କଟକ ଅବକାରୀ DSP ଦେବାଶିଷ ପଟେଲ।