ରାଜଧାନୀରେ ନକଲି ମାଛ, ଦେଶୀ ମାଛ ନାଁରେ ବିକ୍ରି ହେଉଛି ନକଲି ପ୍ରଜାତିର ମାଛ
22/01/2021 at 9:46 AM

ଭୁବନେଶ୍ବର ୨୨।୧: ରାଜଧାନୀରେ ବିକ୍ରି ହେଉଛି ନକଲି ମାଛ । ଘିଅ, ତେଲ, ସସ୍, ଆଚାର, ମସଲା ଭଳି ଖାଦ୍ୟ ସାମଗ୍ରୀ ନକଲି ପ୍ରସ୍ତୁତ ହୋଇ ରାଜଧାନୀ ମାର୍କେଟ୍ ରେ ବିକ୍ରି ହେଉଥିବା ବେଳେ ଏବେ ବିକ୍ରି ହେଉଛି ନକଲି ମାଛ ।

ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ବଜାରରେ ଅସଲି ପ୍ରଜାତିର ମାଛ ନାଁରେ ବିକ୍ରି ହେଉଛି ନକଲି ମାଛ । ମାନେ ଦାମୀ ପ୍ରଜାତିର ମାଛ ଭଳି ଦେଖାଯାଉଥିବା କମ୍ ଦାମୀ ପ୍ରଜାତିର ମାଛ ବଜାରରେ ବିକ୍ରି ହେଉଛି । ଆଉ ରାଜଧାନୀର ଆମିଷପ୍ରିୟ ଲୋକେ ସହଜରେ ଏହାକୁ ଜାଣି ପାରୁନାହାନ୍ତି । ଏଥିଯୋଗୁଁ ସେମାନେ ଠକାମୀର ଶିକାର ହେଉଛନ୍ତି ।

ପୋହଳା, ମାଗୁର, ମିରିକାଳି, ଖୁରାଣ୍ଟି ଭଳି ମାଛ ଆଉ ନଦୀ ପୋଖରୀରେ ବିଶେଷ ମିଳୁନାହିଁ । ଏହି ଦେଶୀ ମାଛଗୁଡ଼ିକର ପ୍ରବଳ ଚାହିଦା ଥିବା ବେଳେ ଏହା ବଜାରରେ ବିଶେଷ ନମିଳିବାରୁ ପୋହଳା ଭଳି ଦେଖାଯାଉଥିବା ମିରିକାଳି ଜାଁଳ ବିକ୍ରି କରାଯାଉଛି । ସେହିଭଳି ଡାହାଙ୍ଗିରି ଛୁଆକୁ ମଧ୍ୟ ପୋହଳା କହି ମାଛ ବେପାରୀ ବିକ୍ରି କରୁଛନ୍ତି । ଆଫ୍ରିକାନ୍ କ୍ୟାଟ୍ ଫିସ୍ କୁ ମାଗୁର ବୋଲି କହି ବେପାରୀ ବିକ୍ରି କରୁଛନ୍ତି ।