ଅଙ୍ଗନବାଡି କେନ୍ଦ୍ରରେ ବଣ୍ଟାଗଲା ନକଲି ଅଣ୍ଡା ! ଫଟାଇବାରୁ ପାଣି ଭଳି ଭାସିଲା, ସିଝିବା ପରେ ରବର ଭଳି ଲାଗିଲା...

Published By : Prameya-News7 Bureau | June 03, 2021 IST

ଚନ୍ଦନେଶ୍ୱର,୦୩/୦୬: ବାଲେଶ୍ୱର ଜିଲ୍ଲା ଭୋଗରାଇର ଗୋଛିଦା ତେଘରି ପଞ୍ଚାୟତ ଅଧୀନ ରାଣୀବସାଣ ଅଙ୍ଗନବାଡ଼ି କେନ୍ଦ୍ରରେ ଗାଁ ଲୋକଙ୍କୁ ପ୍ଲାଷ୍ଟିକ ଅଣ୍ଡା ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏ ବାବଦରେ ଗାଁ ଲୋକେ ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ଭୋଗରାଇ ବିଡିଓଙ୍କୁ ଅବଗତ କରିଛନ୍ତି । ଗାଁ ଲୋକେ ଅଣ୍ଡାକୁ ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କୁ ଫେରାଇ ଦେଇଛନ୍ତି । ପୁଣି ସେମାନଙ୍କୁ ଭଲ ଅଣ୍ଡା ଯୋଗାଇ ଦିଆଯିବ ବୋଲି କେନ୍ଦ୍ରର କର୍ମୀ ପ୍ରତିମା ପାତ୍ର ପ୍ରକାଶ କରିଛନ୍ତି । ଅପରପକ୍ଷରେ ଘଟଣାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ଭୋଗରାଇ ବିଡିଓ ସତ୍ୟଜିତ ରାଉତ କହିଛନ୍ତି ।

ପ୍ରାୟ ୨ ମାସ ପରେ ରାଣୀବସାଣ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ପ୍ରତିମା ପାତ୍ର ଗାଁର ୮୧ଟି ପରିବାରକୁ ଅଣ୍ଡା ବିତରଣ କରିଥିଲେ । ପୂର୍ବରୁ ଧଳା ଅଣ୍ଡା ଦିଆଯାଉଥିବା ବେଳେ ଏଥର ଭିନ୍ନ ପ୍ରକାରର ଅଣ୍ଡା ମିଳିଥିଲା । କେତେକ ଛୋଟ ଅଣ୍ଡା ଥିବା ବେଳେ ଆଉ କେତେକ ବଡ଼ ଥିଲା । ବଡ଼ ଅଣ୍ଡା ସବୁ ଅସମାନ ଦେଖା ଯାଉଥିଲା । ଲୋକେ କଞ୍ଚା ଅଣ୍ଡାକୁ ଫଟାଇ ଦେଲେ ଜଳ ଭଳି ଭାସି ଯାଉଥିବାବେଳେ ସିଝା ଅଣ୍ଡା ସବୁ ରବର ଭଳି ଟାଣ ଲାଗୁଥିଲା ।

ଏହାକୁ ଦେଖି କେତେକ ଲୋକେ ଅଙ୍ଗନବାଡିକୁ ଫେରାଇ ନେଇ ଆସିଥିଲେ । ଅଙ୍ଗନବାଡି କର୍ମୀ ଅଣ୍ଡାକୁ ଚନ୍ଦନେଶ୍ୱର ମୁନା ପାତ୍ରଙ୍କ ଠାରୁ ଆଣିଥିବା ପ୍ରକାଶ କରିବା ସହ ତା’କୁ ଫେରାଇ ପୁଣି ଆଉ ଥରେ ଦେବେ ବୋଲି କହିଥିଲେ । ମାତ୍ର ଗାଁ ଲୋକେ ଏ କଥାକୁ ସହଜରେ ଗ୍ରହଣ ନକରି ସମନ୍ୱିତ ଶିଶୁ ବିକାଶ ଯୋଜନାର ସୁପରଭାଇଜର ଓ ଭୋଗରାଇ ବିଡିଓଙ୍କୁ ଜଣାଇଥିଲେ । ଅଭିଯୋଗ କ୍ରମେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଡିଓ ଶ୍ରୀ ରାଉତ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.