ଦାରୁଠେଙ୍ଗରେ ହେବନି ଡମ୍ପିଂ ୟାର୍ଡ, ରାଜଧାନୀର ୪୩ଟି ସ୍ଥାନରେ ହେବ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର
4/01/2020 at 12:16 PM

ଭୁବନେଶ୍ବର ୪।୧: ଭୁବନେଶ୍ବର ସୈନିକ ସ୍କୁଲ ନିକଟରେ ଥିବା ଡମ୍ପିଂ ୟାର୍ଡରୁ ଗତକାଲିଠାରୁ ଉଠିନାହିଁ ଅଳିଆ ଆବର୍ଜନା । ଫଳରେ ସେଠାରେ ଅଳିଆ ଗଦା ହୋଇ ରହିଛି । ଦାରୁଠେଙ୍ଗ ଡମ୍ପିଂ ୟାର୍ଡରେ ଅଳିଆ ଫୋପାଡିବାକୁ ନେଇ ଗତକାଲି ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ପ୍ରାୟ ୧୦ଟି ବିଏମସି ଗାଡି ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କୁ ମାଡ ମାରିବା ଅଭିଯୋଗ ହୋଇଛି ।

ସୈନିକ ସ୍କୁଲ ନିକଟ ଡମ୍ପିଂ ୟାର୍ଡରୁ ଦିନକୁ ପାଖାପାଖି ୧୫୦ ଟ୍ରିପ୍ ଆବର୍ଜନା ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ଯାଇଥାଏ । ସେପଟେ ସମସ୍ୟା ନେଇ ବିଏମସି ଓ ଦାରୁଠେଙ୍ଗବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଛି । ହେଲେ ବର୍ତ୍ତମାନସୁଦ୍ଧା ସମାଧାନର ବାଟ ଫିଟିନାହିଁ ।

ସେପଟେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଖୁବ୍ ଶୀଘ୍ର ଡମ୍ପିଂ ୟାର୍ଡ ସମସ୍ୟାର ସମାଧାନ ହେବ । ରାଜଧାନୀର ୪୩ଟି ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କରାଯିବ । ଫଳରେ ଅଳିଆ ଆବର୍ଜନାକୁ ଏଣେତେଣେ ନଫୋପାଡି କମ୍ପୋଷ୍ଟ କରାଯିବ । ଏନେଇ ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହ ଆଲୋଚନା ସରିଛି ବୋଲି ସେ କହିଛନ୍ତି ।