'ଦୁଲହନ'କୁ ଧକ୍କା ଦେଲା ଟ୍ରକ୍, ୨୫ ଯାତ୍ରୀ ଆହତ, ଷ୍ଟିୟରିଂରେ ଚାପି ହୋଇଗଲେ ଡ୍ରାଇଭର୍

Published By : Prameya-News7 Bureau | April 04, 2021 IST

ବିଶୋଇ,୦୪/୦୪: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାଜାବସା ନିକଟରେ ଶନିବାର ସନ୍ଧ୍ୟାରେ ‘ଦୁଲହନ’ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ହୋଇଛି । ବସ୍‌ରେ ୬୦ରୁ ଊଦ୍ଧ୍ୱର୍ ଯାତ୍ରୀ ଥିଲେ । ଏଥିରେ ବସ୍‌ ଡ୍ରାଇଭର ମନୋଜ କିସ୍କୁ (୨୫) ଗୁରୁତର ହୋଇଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନାନୁସାରେ, ବସ୍‌(ଓଡ଼ି-୧୧ଡି-୪୩୪୩)ଟି ବାରିପଦାରୁ ସୁଲେଇପାଟକୁ ଯାତ୍ରା କରୁଥିଲା ।ସେହି ସମୟରେ ଏକ ଟ୍ରକ୍‌ (ସିଜି-୦୪-ଏମ୍‌ଇ-୩୬୧୩)ଟି ରାୟପୁରରୁ-କୋଲକତା ଆସୁଥିବା ବେଳେ ବସ ସହ ମୁହାଁମୁହିଁ ହୋଇଥିଲା । କ୍ରେନ୍‌ ଦ୍ୱାରା ବସ୍‌କୁ ରାସ୍ତାରୁ ହଟା ଯିବା ପରେ ରାସ୍ତାରେ ଗାଡ଼ି ମଟର ସ୍ୱାଭାବିକ ହୋଇଥିଲା । ତେବେ ବସ୍‌ ଭିତରେ ଦୀର୍ଘ ୧ଘଣ୍ଟା ଧରି ବସ୍‌ ଡ୍ରାଇଭର ଷ୍ଟିୟରଂରେ ଚାପି ହୋଇ ରହିଥିବାବେଳେ ବିଶୋଇ ଦମକଳ ବାହିନୀ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ।

ବିଶୋଇ ପୋଲିସ ଭ୍ୟାନ ସମେତ ଅନ୍ୟ ଗାଡ଼ିରେ ଆହତମାନଙ୍କୁ ବିଶୋଇ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲା । ବସ୍‌ ଡ୍ରାଇଭର ଓ ହେଲପରଙ୍କୁ ୧୦୮ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ବସ୍‌ ଡ୍ରାଇଭର ରାଇରଙ୍ଗପୁର ଗ୍ରମାଞ୍ଚଳ ଥାନା ଆମ୍ବଡ଼ିହା ଗ୍ରାମର ମନୋଜ କୁମାର କିସ୍କୁ(୨୫)ଙ୍କ ସହ ୫ଜଣ ଆହତ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ଆହତମାନଙ୍କୁ ବିଶୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇ ଛାଡ଼ିଦିଆଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.