ଅଙ୍ଗନବାଡି ଦିଦିଙ୍କ ନିଷ୍ଠା – ମାତ୍ର ୩ବର୍ଷ ବୟସରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି କୋମଳମତି ଶିଶୁ
24/10/2019 at 6:27 PM

ଫୁଲବାଣୀ ୨୪।୧୦ ଶିକ୍ଷକଙ୍କ ନିଷ୍ଠା ଆଉ ଚେଷ୍ଟା ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାରେ ବେଶ୍ ସହାୟକ ହୋଇପାରେ ଏଥିରେ କୌଣସି ଦ୍ବିମତ ନାହିଁ । ଏମିତିରେ ମାଟି ପିଣ୍ଡୁଳାରୁ ସୁନ୍ଦର ମୂର୍ତ୍ତି ତିଆରି କରିବା ଭଳି ଶିକ୍ଷକ ଯଦି ଚାହିଁବେ ତାହେଲେ କୁନି ବୟସରେ ବି ପିଲାମାନେ ଅନେକ କିଛି ଶିଖିପାରିବେ ଆଉ ମନେ ରଖିପାରିବେ । କନ୍ଧମାଳ ଭଳି ଗୋଟେ ଦୁର୍ଗମ ଅଂଚଳରେ କେମିତି ଅଙ୍ଗନବାଡ଼ି କେନ୍ଦ୍ରରେ ଦୁଇ କୁନି ଝିଅ ସେମାନଙ୍କୁ ପଚରା ଯାଉଥିବା ପ୍ରଶ୍ନର ଫଟାଫଟ୍ ଉତ୍ତର ଦେଉଛନ୍ତି ।
କମ୍ପ୍ୟୁଟର ମାଉସ୍ , କି-ବୋର୍ଡ଼, ସିପିୟୁ, ମନିଟର କାହାକୁ କ’ଣ କୁହାଯାଏ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ ସପ୍ତମ ଶ୍ରେଣୀ ପିଲା । କାରଣ ପିଲାଙ୍କ ପାଠ ପଢ଼ା ପାଇଁ ଆସିଥିବା କମ୍ପ୍ୟୁଟରକୁ ନିଜ ପ୍ରକୋଷ୍ଟରେ ରଖିଥିଲେ ସ୍କୁଲର ପ୍ରଧାନ ଶିକ୍ଷକ । ଅର୍ଥାତ୍ ପିଲାଙ୍କୁ କମ୍ପ୍ୟୁଟର ବିଷୟରେ କିଛି ଶିକ୍ଷା ଦିଆଯାଉନଥିଲା । ଏମିତିରେ ପିଲାଙ୍କ କମ୍ପ୍ୟୁଟର ବିଷୟରେ ଜ୍ଞାନ ବଢ଼ିଥାନ୍ତା ବା କେମିତି ? ଛାଡ଼ନ୍ତୁ ଗଲା କଥା ତ ଗଲାଣି । ଏବେ ଆସନ୍ତୁ ନଜର ପକାଇବା କନ୍ଧମାଳ ଜିଲ୍ଲା କ୍ରୋ ଗାଁର ଏ ଦୁଇ ଅଙ୍ଗନବାଡ଼ି ଶିଶୁଙ୍କ ଜ୍ଞାନ ଉପରେ ।

ବୟସ ମାତ୍ର ୩ବର୍ଷ । ବୟସ ତୁଳନାରେ ଏଇ ଶିଶୁମାନେ ଏତେ କଥା ମନେ ରଖିବା ଆଉ ପ୍ରଶ୍ନ ପଚାରିବା ମାତ୍ରେ ଫଟାଫଟ୍ ଉତ୍ତର ଦେବା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ । ହେଲେ ଏଠାରେ କାମ କରୁଥିବା ଅଙ୍ଗନବାଡ଼ି ସହାୟିକା, ଯିଏ ଏହି କୁନି କୁନି ପିଲାମାନଙ୍କୁ ଏଠାରେ ପାଠ ପଢ଼ାଉଛନ୍ତି ତାଙ୍କରି ଚେଷ୍ଟା ଆଉ ନିଷ୍ଠା ଫଳରେ ଏଇ ପିଲାମାନେ ଏତେ କଥା ମନେ ରଖିପାରିଛନ୍ତି ।
ଯୋଉଠି ଉପଯୁକ୍ତ ପ୍ରୋତ୍ସାହନ ପାଉନଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକାଙ୍କ ଚେଷ୍ଟାରେ ପାଟି ଲାଗୁଥିବା ପିଲାମାନେ ଏତେ କଥା ଶିଖିପାରୁଛନ୍ତି, ସେଠି ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ନେଉଥିବା ରାୟଗଡ଼ା ଭାକୁରଗୁଡ଼ା ଆଶ୍ରମ ସ୍କୁଲର ଶିକ୍ଷକମାନେ କରୁଛନ୍ତି କ’ଣ ? ସେକଥା ମନ୍ତ୍ରୀ ସେମାନଙ୍କୁ ପଚାରିବାର ଥିଲା ।