କରୋନା କଟକଣା ଯୋଗୁଁ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଫିକା ପଡିଲା ବଡ଼ଦିନ, ନିରାଶ ହୋଇ ଫେରିଲେ ପର୍ଯ୍ୟଟକ
25/12/2020 at 9:27 PM

ପାଟଣା ୨୫।୧୨: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ଠାରେ ବଡ ଦିନରେ ପ୍ରତି ବର୍ଷ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମେ। ଭୋଜିଭାତର ଆସର ସହ କୋଳାହଳରେ ଉଛୁଳି ଉଠେ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ। ନୂଆଁ ବର୍ଷ ପାଖେଇବା ମାତ୍ରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଜମେ। ମାତ୍ର ଏଥର ଦେଖିବାକୁ ମିଳିଛି ବ୍ୟତିକ୍ରମ।

ପର୍ଯ୍ୟଟକଙ୍କ ଗହଳିରେ ଉଛୁଳି ପଡୁଥିଲା ଭୀମକୁଣ୍ଡରେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବଡ଼ଦିନ ଫିକା ପଡିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏଥର ଭୀମକୁଣ୍ଡରେ ଭୋଜିଭାତ ଓ ଜନଗହଳି ନ କରିବା ପାଇଁ ନିଷେଧ ଜାରି କରା ଯାଇଛି। ଫଳରେ ଅନେକ ପର୍ଯ୍ୟଟକ ଆସି ନିରାଶ ହୋଇ ଫେରି ଯାଇଛନ୍ତି। ଭୀମକୁଣ୍ଡକୁ ବୁଲାବୁଲି କରିବା ପାଇଁ ଆସିଥିବା ପର୍ଯ୍ୟଟକ ମାନେ ଘୋର ଅସନ୍ତୋଷ ପ୍ରକଟ କରୁଥିବା ଦେଖା ଯାଇଥିଲା।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଭୀମକୁଣ୍ଡରେ କାହାରିକୁ ଛଡା ନଯିବାରୁ ଆଜି ଏହି ପର୍ଯ୍ୟଟନସ୍ଥଳୀ ଜନ ଶୂନ୍ୟ ହୋଇ ଯାଇଥିଲା। ଭୀମକୁଣ୍ଡକୁ ସଂଯୋଗ କରୁଥିବା ରାସ୍ତାକୁ ପୋଲିସ ସିଲ୍ କରି ଦେଇଥିଲା। ପୋଲିସ ପ୍ରଶାସନ ତରଫରୁ ଭୀମକୁଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ନିରାଶ ହୋଇ ଫେରିଛନ୍ତି।