ଲକ୍ ଡାଉନ୍ ଯୋଗୁଁ ବର୍ଷକର ପୁଅର ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିଲେନି ସୀମାରେ ମୁତୟନ ହାବିଲଦାର ବାପା, ଭିଡିଓ କଲ୍‌ରେ କଲେ ଶେଷ ଦର୍ଶନ

Published By : Prameya-News7 Bureau | March 30, 2020 IST

ଦନ୍ତେଓ୍ବାଡା ୩୦।୩: କରୋନା ଏବଂ ଲକ୍ ଡାଉନ୍ ଭିତରେ ଜଣେ ବାପା ଏତେ ଅସହାୟ ହୋଇପଡିଲେ ଯେ ସେ ତାଙ୍କ ପୁଅର ଅନ୍ତିମ ଦର୍ଶନରେ ମଧ୍ୟ ଯୋଗଦେଇ ପାରିଲେନାହିଁ । ଭିଡିଓ କଲ୍ କରି ଶେଷ ଥର ପାଇଁ ପୁଅକୁ ଦର୍ଶନ କଲେ । କାନ୍ଦି କାନ୍ଦି କହିଲେ, ମୁଁ ତୋତେ ବହୁତ ଭଲପାଏ, ମୁଁ ଦୁଃଖିତ । ମୁଁ ତୋତେ ଦେଖା କରିବାକୁ ଆସିପାରିଲି ନାହିଁ । ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଆସିଗଲା ।

{"id":246170,"sizeSlug":"large"}

ଛତିଶଗଡ ଦନ୍ତେଓ୍ବାଡା ଘୋଟପାଲ ଗାଁର ବାସିନ୍ଦା ହେଉଛନ୍ତି ରାଜକୁମାର ନେତାମ । ସେ ଏସଏସବିରେ ହାବିଲଦାର ଭାବେ କାର୍ଯ୍ୟରତ ଅଛନ୍ତି । ସେ ବର୍ତ୍ତମାନ ନେପାଳ ସୀମାରେ ମୁତୟନ ଅଛନ୍ତି । ରାଜକୁମାର ତାଙ୍କ ପରିବାରଠାରୁ ୧୪ ବର୍ଷ ହେଲା ଦୂରରେ ରହି ଦେଶ ସେବା କରିଆସୁଛନ୍ତି । ତାଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଆଦିତ୍ୟ (୧ ବର୍ଷ) ଥିଲେ । ଆଦିତ୍ୟ କିଛି ମାସ ଧରି ଟ୍ୟୁମର ରୋଗରେ ପୀଡିତ ଥିଲେ । ଜାନୁଆରୀ ମାସରେ ପୁଅର ଚିକିତ୍ସା କରିବାକୁ ରାଜକୁମାର ଘୋଟପାଲ ଆସିଥିଲେ । ପୁଅକୁ ନେଇ ସେ ହାଇଦ୍ରାବାଦ ମଧ୍ୟ ଯାଇଥିଲେ । ଆଦିତ୍ୟ ସୁସ୍ଥ ହୋଇଥିଲେ ।
କିନ୍ତୁ ବୁଧବାର ହଠାତ୍ ତାଙ୍କ ଦେହ ଖରାପ ହୋଇଥିଲା । ପରିବାର ଲୋକେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ ଏବଂ ସେଠାରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା । ଯେତେବେଳେ ରାଜକୁମାର ପୁଅର ଅସୁସ୍ଥ ହେବା ଖବର ଶୁଣିଲେ ସେ ଘରକୁ ଆସିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଲକ୍ ଡାଉନ୍ ଯୋଗୁଁ ଏହା ସମ୍ଭବ ହୋଇପାରିଲାନାହିଁ । ପରଦିନ ସେ ଆଦିତ୍ୟଙ୍କ ମୃତ୍ୟୁ ଖବର ପାଇଲେ ।

{"id":246171,"sizeSlug":"large"}

ହାବିଲଦାର ରାଜକୁମାର ପୁଅକୁ ଶେଷ ଥର ପାଇଁ ଭିଡିଓ କଲ କରି ଦେଖିଥିଲେ । ଶେଷ ଥର ପାଇଁ ପୁଅକୁ ପାଖରୁ ଦେଖିପାରିଲି ନାହିଁ । ଦେଶର ସେବା ଏବଂ ସୁରକ୍ଷା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ କହିଥିଲେ ।
ପୁଅର ମୃତ୍ୟୁ ଖବର ପାଇ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇଥିଲେ । ସେ କିପରି ପୁଅର ଅନ୍ତିମ ସଂସ୍କାରରେ ଯୋଗଦେଇପାରିବେ ସେଥିପାଇଁ ସମସ୍ତେ ଚେଷ୍ଟା କରିଥିଲେ । କିନ୍ତୁ ଲକ୍ ଡାଉନ୍ ହେତୁ ତାହା ସମ୍ଭବ ହୋଇପାରିନଥିଲା । ଫଳରେ ସେ ବାଧ୍ୟ ହୋଇ ଭିଡିଓ କଲ୍ କରି ପୁଅର ଶେଷ ଦର୍ଶନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.