ଇଦ୍ ପୂର୍ବରୁ ପାକିସ୍ତାନୀଙ୍କୁ ଝଟକା, ଦେଶରେ ମହଙ୍ଗା ହେଲା ବିମାନ ଭଡା
1/06/2019 at 2:53 PM

ଆର୍ଥିକ ସଙ୍କଟଗ୍ରସ୍ତ ପାକିସ୍ତାନକୁ ପୁଣି ଲାଗିଛି ବଡ ଝଟକା। ଅନ୍ତର୍ଜାତୀୟ ବଜାରରେ ଡଲାରର ମୂଲ୍ୟ ମଜଭୁତ ହେବା ଯୋଗୁ ଇନ୍ଧନ ମୂଲ୍ୟ ବୃଦ୍ଧି ପାକିସ୍ତାନରେ ବିମାନ ଭଡା ବୃଦ୍ଧିର କାରଣ ପାଲଟିଛି । ଇସ୍ଲାମର ମହାପର୍ବ ଇଦ ପାଖେଇ ଆସୁଥିବା ବେଳେ ଦେଶର ସରକାରୀ ବିମାନ କମ୍ପାନୀ ପାକିସ୍ତାନ ଇଣ୍ଟନ୍ୟାସନାଲ ଏୟାର ଲାଇନ୍ସ ବିମାନ ଭଡାରେ ୪୧ ପ୍ରତିଶତ ବୃଦ୍ଧି କରିଛନ୍ତି। ସରକାରୀ କମ୍ପାନୀଙ୍କ ଦେଖାଦେଖି ଦେଶର ଅନ୍ୟ ବିମାନ ସଂସ୍ଥାମାନେ ଦେଶରେ ଭଡା ବୃଦ୍ଧି କରିବା ଇଦ ଅବସରରେ ପର୍ଯ୍ୟଟନକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଗଲାଣି।

ପାକ୍ ସମ୍ବାଦପତ୍ର ଦି ଟ୍ରିବ୍ୟୁନ ଅନୁସାରେ ଭଡା ବୃଦ୍ଧି ଯୋଗୁ ଲାହୋର-କରାଚୀ ଯିବାଆସିବା ଟିକେଟ ମୂଲ୍ୟ ୩୯ ହଜାର ୫ଶହ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଏହି ମୂଲ୍ୟ ୨୮ ହଜାର ମଧ୍ୟରେ ସୀମିତ ରହୁଥିଲା। ଆଗକୁ ଇଦ-ଉଲ-ଫିତର ପାଳିତ ହେବାକୁ ଥିବା ବେଳେ ଦେଶ ବାହାରେ ରହୁଥିବା ନାଗରିକଙ୍କ ସ୍ବଦେଶ ଭ୍ରମଣ ଯୋଜନା ରଦ୍ଦ କରିପାରନ୍ତି ବୋଲି ଏବେ ଆଶଙ୍କା କରାଗଲାଣି। ପାକିସ୍ତାନରେ ୪ରୁ ୭ ପର୍ଯ୍ୟନ୍ତ ଇଦ୍ ଛୁଟି ହେବ। ଏହି ସମୟରେ ଦେଶରେ ଲୋକଙ୍କ ଆବାଗମନ ଅଧିକ ହୋଇଥାଏ। ଲୋକେ ସେମାନଙ୍କ ପ୍ରୀୟ ପରିଜନଙ୍କୁ ଭେଟିବାକୁ ଯାଆନ୍ତି। ହେଲେ ଚଳିତ ବର୍ଷ ବିମାନ ଖର୍ଚ୍ଚ ଲୋକଙ୍କୁ ଏଥିରୁ ନିବୃତ୍ତ କରିବା ଏକପ୍ରକାର ନିଶ୍ଟିତ। ଏଣୁ ଇଦ୍ ଅବସରରେ ଘରେ ଅତିଥିଙ୍କୁ ଅପେକ୍ଷା ଏବେ ବେକାର ହେବ ବୋଲି ଲୋକେ କହିଲେଣି।

୨ ମାସ ପୂର୍ବରୁ ଲାହୋରରୁ କରାଚୀ ଯିବାକୁ ବିମାନ ଟିକେଟ ଦର ୧୪ରୁ ୧୭ ମଧ୍ୟରେ ରହୁଥିଲା। ତେବେ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ଟିକେଟ ମୂଲ୍ୟ ୨ଗୁଣାରୁ ଅଧିକ ହୋଇଥିବା ବେଳେ ବିମାନ କମ୍ପାନୀମାନେ ଉଡାଣ ସଂଖ୍ୟା ମଧ୍ୟ ହ୍ରାସ କରିଛନ୍ତି। ପାକିସ୍ତାନରେ ପିଏଆଇ ବ୍ୟତୀତ ସେରେନା ଏୟାର ଓ ଏୟାର ବ୍ଳୁ ବିମାନ ସେବା ଯୋଗାଇ ଦେଉଛନ୍ତି। ସରକାରୀ ବିମାନ ଟିକେଟ୍ ମୂଲ୍ୟ ବୃଦ୍ଧି ପରେ ଦୁଇ ଘରୋଇ ବିମାନ କମ୍ପାନୀ ମଧ୍ୟ ସେମାନଙ୍କ ଦର ସୁଧାର କରିଛନ୍ତି।