ଅଗ୍ନିକାଣ୍ଡ ଯୋଗୁଁ କଟକ ସମେତ ୯ ଜିଲ୍ଲାରେ ବିଏସଏନଏଲ୍ ସେବା ସମ୍ପୂର୍ଣ୍ଣ ଠପ୍

Published By : Prameya-News7 Bureau | September 21, 2019 IST

କଟକ ୨୧।୦୯- କଟକ ବିଏସଏନଏଲ ଅଫିସରେ ଅଗ୍ନିକାଣ୍ଡ ପରେ ଏହାକୁ ରିଷ୍ଟୋର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ତେବେ ୨୪ ଘଣ୍ଟା ଭିତରେ ବ୍ୟାଙ୍କ ଓ ଇଣ୍ଟରନେଟ ସେବା ସ୍ବାଭାବିକ ହୋଇଯିବ । କିନ୍ତୁ ମୋବାଇଲ ସେବା ଲାଗି ସପ୍ତାହେ ଲାଗିବ ବୋଲି ବିଏସଏନଏଲ କର୍ତ୍ତୃପକ୍ଷ କହିଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ କଟକ ସମେତ ୯ ଜିଲ୍ଲାରେ ବିଏସଏନଏଲ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ବିଏସଏନଏଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ ପରେ ସ୍ଥିତି ସ୍ୱାଭାବିକ କରିବାକୁ ଚାଲିଛି ପ୍ରୟାସ । ସବୁ କେବୁଲ ଓ ମେସିନ୍ ପୋଡି ଯାଇଥିବାରୁ ଯୋଗାଯୋଗଠାରୁ ଆରମ୍ଭ କରି ବ୍ୟାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏଟିଏମ୍ ବନ୍ଦ ହୋଇଯାଇଥିବାରୁ ବ୍ୟବସାୟରେ ସମସ୍ୟା ଉପୁଜୁଛି । ପାଖାପାଖି ୨୫ ଶହ ବ୍ୟାଙ୍କିଙ୍ଗସେକ୍ଟର ବିଶେଷ ଭାବେ ପ୍ରଭାବିତ ହୋଇଛି । ଟେଲିଫୋନ ସେବା ବ୍ୟାହତ ହୋଇଥିବା ବେଳେ ବ୍ରଡବ୍ୟାଣ୍ଡ ସେବା ଠପ ହୋଇଯିବାରୁ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

 ଅଗ୍ନିକାଣ୍ଡ ପରଠୁ କଟକ ସମେତ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝରର ପାଖାପାଖି ୨୫ ଲକ୍ଷ ଉପଭୋକ୍ତା ବିଏସଏନଏଲ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ୨୪ ଘଣ୍ଟା ଭିତରେ ବ୍ୟାଙ୍କ ଓ ଇଣ୍ଟରନେଟ ସେବା ସ୍ବାଭାବିକ ହୋଇଯିବ । କିନ୍ତୁ ମୋବାଇଲ ସେବା ପାଇଁ ସପ୍ତାହେ ଲାଗିବ ବୋଲି ବିଏସଏନଏଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡ ପାଇଁ ବିଏସଏନଏଲ ଦୈନିକ ୧୫ ଲକ୍ଷ ଟଙ୍କା କ୍ଷତି ସହୁଥିବା ଜଣାପଡିଛି ।

ଶୁକ୍ରବାର ମଧ୍ୟାହ୍ନରେ କଟକ ବଜ୍ରବକବାଟିରେ ଥିବା ବିଏସଏନଏଲ ଅଫିସରେ ନିଆଁ ଲାଗି ଯାଇଥିଲା । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.