ପୁରୀ୧୮/୬: ରଥ ପଥ ଜଗନ୍ନାଥ ସମସ୍ତେ ପ୍ରସ୍ତୁତ ଥିଲେ। ହେଲେ କୋଭିଡ୍ ନିୟମ ପାଇଁ ରଥଯାତ୍ରା ପାଳନ ହୋଇପାରବନି ବୋଲି ସ୍ପଷ୍ଟ କଲେ କୋର୍ଟ। ଆଜି କୋର୍ଟରେ କିନ୍ତୁ ବଡ଼ ବଡ଼ ଓକିଲ ଯୁକ୍ତିରେ ଅଂଶ ଗ୍ରହଣ କରିଥିଲେ। ବିଶ୍ବ ନିୟନ୍ତା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ କି ନାହିଁ ଏହାର ନିଷ୍ପତ୍ତି ଶୁଣାଇବା ଲାଗି ଆଜି ସର୍ବୋଚ୍ଚ କୋର୍ଟରେ ଥିଲେ ଦେଶର ତିନି ଶ୍ରେଷ୍ଠ ନ୍ୟାୟମୂର୍ତ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍. ଏ ବୋବଡେଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ଖଣ୍ଡପୀଠ ଏହାର ବିଚାର କରିଥିଲା।
ପ୍ରଧାନ ବିଚାରପତିଙ୍କ ସହ, ବିଚାରପତି ଏ.ଏସ୍ .ବୋପନ୍ନା ଓ ବିଚାରପତି ହୃଷିକେଶ ରାୟ ଭିଡିଓ କନଫେରେନସିଂ ଜରିଆରେ ଶୁଣାଣିରେ କରିଥିଲେ। ରଥଯାତ୍ରା ନ କରିବା ଲାଗି ଓଡ଼ିଶା ବିକାଶ ପରିଷଦ ଆବେଦନ କରିଥିଲା। ଆଉ ଓଡ଼ିଶା ବିକାଶ ପରିଷଦର ପ୍ରତିନିଧିତ୍ବ କରିଥିଲେ ଆଇନଜୀବୀ ରଣଜିତା ରହତୋଗୀ। ଘୋଷଯାତ୍ରା ସହ ଜଡିତ ଧାର୍ମିକ ପର୍ବ ଅକ୍ଷୟ ତୃତୀୟା ଏବଂ ସ୍ନାନ ପୂର୍ଣ୍ଣିମା ପାଇଁ ସରକାର ଅନୁମତି ଦେଇଥିଲେ। ତେଣୁ ଆବେଦନକାରୀ ଆଶଙ୍କା କରୁଛନ୍ତି ଯେ ରଥଯାତ୍ରା ପାଇଁ ମଧ୍ୟ ସରକାର ଅନୁମତି ଦେବେ । ଯାହାଦ୍ବାରା ଦେଶରେ କରୋନା ମହାମାରୀ ଯେଉଁଭଳି ବିପଦ ସୃଷ୍ଟି କରିଛି ଏଠାରେ ରଥଯାତ୍ରା ହେଲେ ଲକ୍ଷାଧିକ ଲୋକେ ଆକ୍ରାନ୍ତ ହୋଇଯିବେ। ଏହା ଲୋକଙ୍କ ଜୀବନ ସହ ଖେଳ ବୋଲି ଯୁକ୍ତି ଦର୍ଶାଇଥିଲେ ।
କେନ୍ଦ୍ର ପକ୍ଷରୁ କୋର୍ଟରେ ଯୁକ୍ତି ବାଢିଥିଲେ, ସଲିସିଟର ଜେନେରାଲ ତୁଷାର ମେହେଟା। ସେ କହିଥିଲେ ରଥଯାତ୍ରା ଭଳି ଅନ୍ୟ ଧାର୍ମିକ ରୀତିନୀତିକୁ ମଧ୍ୟ ଅନୁମତି ମିଳିବା ଉଚିତ୍ । ଓଡ଼ିଶା ସରକାରଙ୍କ ପକ୍ଷରୁ ଲଢୁଥିଲେ ବରିଷ୍ଠ ଆଇନଜୀବୀ ହରୀଶ ସାଲଭେ। ତାଙ୍କର ଯୁକ୍ତି ଥିଲା ଯେ ଏହି ସମୟରେ ରଥଯାତ୍ରା ଭଳି ଯେକୌଣସି ପର୍ବରେ ଜନସମାଗମ ହେଲେ ଏହା ଭୟଙ୍କର ବିପଦ ଆଡକୁ ଟାଣିନେବ । ସବୁ ପକ୍ଷରୁ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ରାୟରେ କହିଥିଲେ ୨୦୧୯ ରେ ରଥାତ୍ରାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ।
ଯଦି ଏବେ ରଥଯାତ୍ରା ଆୟୋଜନ କରାଯାଏ ତେବେ ଫଳାଫଳ ବିପଦପୂର୍ଣ୍ଣ ଓ ଭୟାନକ ହେବ । ଦିଲ୍ଲୀ ତବଲିଗ୍ ଜମାତ୍ର ଉଦାହରଣ ଦେଇ କୋର୍ଟ କହିଥିଲେ ଧାର୍ମିକ ଜନସମାବେଶ କୋଭିଡ୍ ୧୯ ମହାମାରୀକୁ ବ୍ୟାପକ କରିବ । ତେଣୁ ଏଭଳି ଘଟଣା କ୍ରମକୁ ଏଡ଼ାଇବା ପାଇଁ ରଥଯାତ୍ରା ଭଳି ଧାର୍ମିକ ସମାବେଶକୁ ସଂପୂର୍ଣ୍ଣ ଏଡାଇ ଦିଆଯିବା ଉଚିତ୍ । ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେନି ବୋଲି ଖଣ୍ଡପୀଠ। ଜନସ୍ବାସ୍ଥ୍ୟ ଏବଂ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତବର୍ଷ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।