କୋଭିଡ୍-୧୯ କାରଣରୁ ୨୦୨୧ ସୁଦ୍ଧା ୧୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଯିବାର ସମ୍ଭାବନା ରହିଛି: ବିଶ୍ଵ ବ୍ୟାଙ୍କ

Published By : Prameya-News7 Bureau | October 07, 2020 IST

ନୂଆଦିଲ୍ଲୀ ୦୭।୧୦: କରୋନା ଭାଇରସ୍ ମହାମାରୀ କାରଣରୁ ୨୦୨୧ ସୁଦ୍ଧା ୧୫ କୋଟି ଲୋକ ଅତ୍ୟଧିକ ଗରିବ ଯନ୍ତ୍ରଣାରେ ଫସିବାର ସମ୍ଭାବନା ରହିଛି। ବିଶ୍ଵ ବ୍ୟାଙ୍କ ବୁଧବାର ଏହି ଚେତାବନୀ ଦେଇଛି। ବିଶ୍ଵ ବ୍ୟାଙ୍କ କହିଛି କରୋନା ଭାଇରସ୍ ମହାମାରୀ ପରେ ଅଲଗା ଅଲଗା ପ୍ରକାରର ଅର୍ଥବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେବାକୁ ପଡିବ। ପୁଞ୍ଜି, ଶ୍ରମ, ଦକ୍ଷତା ଓ ଅଭିନବୀକରଣକୁ ନୂତନ କ୍ଷେତ୍ର ତଥା କାରବାରରେ ସାମିଲ  କରିବାକୁ ପଡିବ।

କୋଭିଡ୍-୧୯ କାରଣରୁ ଚଳିତ ବର୍ଷ ୮.୮ କୋଟିରୁ ୧୧.୫ କୋଟି ଅତିରିକ୍ତ ଲୋକ ଦାରିଦ୍ର୍ୟ ସୀମା ରେଖା ପରିଧିରେ ଆସିବାର ଆଶଙ୍କା ରହିଛି। ୨୦୨୧ରେ ଏହି ସଂଖ୍ୟା ବଢି ୧୫ କୋଟିରେ ପହଞ୍ଚିପାରେ। ସଂଗଠନ କହିଛି ଆର୍ଥିକ ସ୍ଥିତିର ଗତି ଉପରେ ଏସବୁ ନିର୍ଭର କରେ। ଆର୍ଥିକ ସ୍ଥିତି ନସୁଧୁରିଲେ ଲୋକଙ୍କୁ ଭୀଷଣ ଗରିବିର ସାମ୍ନା କରିବାକୁ ପଡିପାରେ।

ବିଶ୍ଵ ବ୍ୟାଙ୍କ ନିଜର ଦ୍ଵିବାର୍ଷିକ ଗରିବି ଓ ମିଳିତ ସମୃଦ୍ଧି ରିପୋର୍ଟରେ କହିଛି ଯଦି ମହାମାରୀ ହୋଇନଥାନ୍ତା ତେବେ ୨୦୨୦ରେ ଅତ୍ୟଧିକ ଗରିବ ଲୋକଙ୍କ ସଂଖ୍ୟା ହ୍ରାସ ପାଇ ୭.୯ ପ୍ରତିଶତକୁ ଆସିଥାନ୍ତା  ବୋଲି ଅନୁମାନ କରାଯାଇଥିଲା। ତେଣୁ ଏବେ ଆର୍ଥିକ ବ୍ୟବସ୍ଥାକୁ ଖୋଲିବାକୁ ପଡିବ। ବିଭିନ୍ନ କ୍ଷେତ୍ରକୁ ଖୋଲି ଶ୍ରମ, ନିଯୁକ୍ତି ଏବଂ ଅଭିନବୀକରଣକୁ ଆଗକୁ ବଢାଇବାକୁ ପଡିବ।

ରିପୋର୍ଟରେ ଉଲ୍ଲେଖ ରହିଛି ଯେଉଁ ଦେଶରେ ଗରିବହାର ଅଧିକ, ସେହି ଦେଶରେ ନୂତନ ଗରିବ ସଂଖ୍ୟା ବଢିବାକୁ ଯାଉଛି। ଅନେକ ମଧ୍ୟମ ଆୟ ବିଶିଷ୍ଟ ଦେଶରେ ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଯାଇ ପାରନ୍ତି। ପ୍ରାୟ ୮୨ ପ୍ରତିଶତ ଏମିତି ଲୋକଙ୍କ ସଂଖ୍ୟା ମଧ୍ୟମ ଆୟ ବିଶିଷ୍ଟ ଦେଶରେ ରହିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.