ବାଦୁଡ଼ି,ବଜ୍ରକାପ୍ତା ପରେ ଓଧ , ପଡ଼ିଲା କରୋନା ଫାଶ : ନେଦରଲାଣ୍ଡରେ ୧୦ହଜାର ଓଧଙ୍କୁ ହତ୍ୟା କରିବାକୁ ନିର୍ଦେଶ
8/06/2020 at 3:32 PM

ପ୍ରଥମ ଥର କୌଣସି ପଶୁଙ୍କ ପାଇଁ କରୋନା ଭାଇରସ୍ ବ୍ୟାପିବାର ସୂଚନା ମିଳିଛି। ଏହି ପଶୁଟି ହେଉଛି ଓଧ। ନେଦରଲ୍ୟାଣ୍ଡରେ ୨ଜଣ ଓଧ ଯୋଗୁଁ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏବେ ଏଠାକାର ସରକାର ଦେଶରେ ୧୦ହଜାରରୁ ଅଧିକ ଓଧଙ୍କୁ ହତ୍ୟା କରିବାକୁ ଆଦେଶ ଦେଇଛନ୍ତି। ନେଦରଲାଣ୍ଡ ସମେତ କେତେକ ୟୁରୋପୀୟ ଦେଶରେ ଓଧ ଫାର୍ମିଂ ହୋଇଥାଏ।

ନେଦରଲାଣ୍ଡର ୧୦ଟି ଓଧ ଫାର୍ମରେ କରୋନା ସଂକ୍ରମିତ ଓଧ ଥିବା ଜଣାପଡ଼ିଛି। ଏବେ ସମସ୍ତ ଫାର୍ମକୁ ଏହି ଜୀବକୁ ମାରିବାର ଆଦେଶ ଦିଆଯାଇଛି। ନେଦରଲାଣ୍ଡର ଫୁଡ ଆଣ୍ଡ ଓ୍ବେଅର୍ସ ଅଥୋରିଟି ଏହି ଆଦେଶ ଜାରି କରିଛନ୍ତି।

ଓଧକୁ ପାଳୁଥିବା ଫାର୍ମକୁ କୁହାଯାଇଛି ଯେ ଯେତେ ଦିନ ଯାଏଁ ଓଧଙ୍କଠାରେ କରୋନା ସଂକ୍ରମଣ ମାମଲା ନ କମିଛି ସେତେ ଦିନ ଯାଏଁ ଫାର୍ମ ବନ୍ଦ ରହିବ। ଅନ୍ୟ ଲୋକେ କରୋନାରେ ସଂକ୍ରମିତ ନ ହେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।

ନେଦରଲାଣ୍ଡରେ ପ୍ରଥମ ଓଧ ଅପ୍ରେଲ୍ ମାସରେ କରୋନା ସଂକ୍ରମିତ ହୋଇଥିଲା। ମେ ମାସରେ ୨ଜଣ ଏହି ସଂକ୍ରମିତ ଓଧଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ସଂକ୍ରମିତ ହୋଇଥିଲେ। ଏହା ପରେ ଏହା ଧୀରେ ଧୀରେ ୧୦ଟି ଫାର୍ମର ଓଧଙ୍କଠାରେ ବ୍ୟାପିଯାଇଥିଲା।

ଓଧଗୁଡ଼ିକୁ ମାରିବା ପାଇଁ ଗ୍ୟାସର ଉପଯୋଗ କରାଯିବ। ଏହା ପରେ ଏହି ଓଧର ଶବ ଡିସପୋଜାଲ୍ ପ୍ଲାଣ୍ଟକୁ ନିଆଯାଇ ନଷ୍ଟ କରି ଦିଆଯାଇପାରିବ। ଏହା ପରେ ଫାର୍ମ ଏବଂ ଡିସପୋଜାଲ୍ ପ୍ଲାଣ୍ଟକୁ ସାନିଟାଇଜ କରାଯିବ।

ନେଦରଲାଣ୍ଡ,ଚୀନ,ଡେନମାର୍କ,ପୋଲାଣ୍ଡ ଭଳି ଦେଶରେ ଓଧର ଲୋମ ଏବଂ ଛାଲର ଉପଯୋଗ କରାଯାଇଥାଏ। ଫ୍ୟାଶନ୍ ଇଣ୍ଡଷ୍ଟ୍ରିରେ ଓଧର ଲୋମ ଏବଂ ଛାଲକୁ ବହୁଳ ଭାବେ ବ୍ୟବହାର କରାଯାଇଥାଏ।

ନେଦରଲାଣ୍ଡର ଓଧଗୁଡ଼ିକର ଫାର୍ମିଂ କରୁଥିବା ଚାଷୀମାନଙ୍କୁ କୁହାଯାଇଚି ଯେ ସମସ୍ତେ ଓଧର ଯାଞ୍ଚ କରାନ୍ତୁ।

ନେଦରଲାଣ୍ଡରେ ୧୪୦ ଓଧ ଫାର୍ମିଂ ସେଣ୍ଟର ରହିଛି। ସମଗ୍ର ବିଶ୍ବରେ ପ୍ରତି ବର୍ଷ ୧୦୧.୫୬ମିଲିୟନ୍ ଡଲାର ଅର୍ଥାତ୍ ୭୬୭କୋଟି ଟଙ୍କାର ଲୋମ ବିକ୍ରି ହୋଇଥାଏ।
