କରୋନାର କାରୁଣ୍ୟ: ସ୍ତ୍ରୀ ଆଖି ଆଗରେ ଛଟପଟ ହୋଇ ଚାଲିଗଲା ସ୍ବାମୀର ଜୀବନ, ସଂକ୍ରମଣ ଭୟରେ କେହି ପାଖ ମାଡିଲେନି
15/09/2020 at 12:57 PM

ଢେଙ୍କାନାଳ ୧୫/୦୯: କରୋନା ମହାମାରୀ ଦିନକୁ ଦିନ କାୟା ମେଲାଇ ଚାଲିଛି । ଏହି ନିର୍ଦୟ ମହାମାରୀ କୋପରୁ ତ୍ରାହି ପାଇବା ମୁସ୍କିଲ ହୋଇଯାଇଛି । କେତେବେଳେ ମା କୋଳରୁ ପୁଅ ତ ଆଉ କେତେବେଳେ ସ୍ତ୍ରୀ ପାଖରୁ ସ୍ବାମୀ ପାଖରୁ ଛଡାଇ ନେଉଛି କରୋନା । ପରିବାର,ବନ୍ଧୁ ଏପରିକି ବାପ ପୁଅ ମଧ୍ୟରେ ଅନ୍ତିମ ସମ୍ପର୍କକୁ ଛିନ୍ନ କରୁଛି ଏହି ମାରାତ୍ମକ ମହାମାରୀ । ଆଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ।

ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଉଟ ଡୋର ସମ୍ମୁଖରେ ସ୍ୱାମୀ ଛାତିରେ ସ୍ତ୍ରୀ ମୁଣ୍ଡ ବାଡେଇ କାନ୍ଦୁଥିବାର ହୃଦୟ ବିଦାରକ ଦୃଶ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ସେ ଡାକ୍ତରଙ୍କ ପାଖକୁ ନେବାପାଇଁ ସମସ୍ତଙ୍କୁ ଆକୁଳ ନିବେଦନ କରୁଛନ୍ତି । ନିଜ ବନ୍ଧୁ ସମ୍ପର୍କୀୟଙ୍କ ଠାରୁ ଡାକ୍ତରଖାନା କର୍ମଚାରୀ ସମସ୍ତେ ଅଛନ୍ତି । ହେଲେ ପାଖକୁ କେହି ଆସୁନାହାନ୍ତି । ସତେ ଯେମିତି ମହାମାରୀ ସଂକ୍ରମଣର ଭୟାବହତା ସମସ୍ତଙ୍କୁ ଘାରିଛି। ଆଉ ଛିଡାଇ ଦେଉଛି ସମ୍ପର୍କର ଡୋରିକୁ । ଏହା ସହ ହଜାଇ ଦେଉଛି ମାନବିକତା । ମୃତକ ଜଣକ ଅନୁଗୁଳ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଜଣେ କାର୍ଯ୍ୟରତ କର୍ମଚାରୀ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ଓଦାପଡା ବ୍ଲକର ନାଧରା ଗ୍ରାମରେ । ଗତ ଦୁଇଦିନ ତଳେ ଥଣ୍ଡା କାଶ ହେବାରୁ ସେ ତାଙ୍କ ଘରକୁ ପଳାଇ ଆସିଥିଲେ । ପରେ ସୋମବାର ଅର୍ଥାତ ୧୪ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ଉଭୟ ଦମ୍ପତି କୋଭିଡ ଟେଷ୍ଟ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ । ତେବେ ଟେଷ୍ଟ ପରେ ପତ୍ନୀଙ୍କର ନେଗେଟିଭ ଓ ତାଙ୍କର ପଜିଟିଭ ବାହାରିଥିଲା ।
ତାପରେ ସାଥିରେ ଆସିଥିବା ତାଙ୍କ ସମ୍ପର୍କୀୟ ମାନେ ଭୟରେ ତାଙ୍କ ଠାରୁ ଦୂରେଇ ଯାଇଥିଲେ। ତେବେ କରୋନା ପଜିଟିଭ ଶୁଣୁ ଶୁଣୁ ଡାକ୍ତରଖାନା ଆଉଟଡୋରରେ ବୁଲୁଥିବା ଏହି ୫୮ବର୍ଷୀୟ ବ୍ୟକ୍ତି ଜଣଙ୍କ ହଠାତ ଖସିପଡି ଛଟ ପଟ ହୋଇ ଥିଲେ । ପାଖରେ ଥିବା ସ୍ତ୍ରୀ ମୁଣ୍ଡ ବାଡେଇ କାନ୍ଦିବା ଛଡା ଆଉ କିଛି ଉପାୟ ନଥିଲା । ଦୀର୍ଘ ଦୁଇ ଘଣ୍ଟା ଧରି ମୃତଦେହ ପଡି ରହିଥିବା ବେଳେ ଅପରାହ୍ନ ୩ଟାରେ ସ୍ୱତନ୍ତ୍ର କର୍ମଚାରୀ ଆସି ମୃତଦେହକୁ ସ୍ୱତନ୍ତ୍ର କଟକଣା ମଧ୍ୟରେ ସ୍ତ୍ରୀଙ୍କ ଠାରୁ ନେଇଥିଲେ । କୋରନାର ଏହି କାରୁଣ୍ୟ ଚିତ୍ର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।