ମାଆ-ପୁଅକୁ ମିଶାଇଲା କରୋନା ଲକ୍ଡାଉନ୍: ୨୨ ବର୍ଷ ପରେ ଘରକୁ ଫେରିଲା ପୁଅ
21/06/2020 at 3:59 PM

ଟାଙ୍ଗୀ୨୧/୬: କରୋନାର ଲକ୍ଡାଉନ୍ କାହାର କୋଳରୁ ପୁଅକୁ ଛଡାଇ ନେଉଛି ତ ପୁଣି କାହାର ହଜିଲା ପୁଅକୁ ଫେରାଇ ଆଣିଛି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୁଳ ଗ୍ରାମରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ବଡକୂଳ ଗ୍ରାମର ଯୋଗୀ ସ୍ବାଇଁଙ୍କ ଏକ ମାତ୍ର ପୁଅ ପୂର୍ଣ୍ଣଚନ୍ଦ୍ର ୧୫/୧୭ ବର୍ଷ ବୟସରେ ହଠାତ୍ ଘରୁ ନିଖୋଜ ହୋଇଯାଇଥିଲେ। ପୁଅ ନିଖୋଜ ହେବାର ୨୨ ବର୍ଷ ବିତି ଗଲାଣି। ହେଲେ ପୂର୍ଣ୍ଣଚନ୍ଦ୍ର ଆଉ ଘରକୁ ଫେରିନଥିଲା । ଆଉ ଏହି କରୋନା ପ୍ରଭାବ ଯୋଗୁଁ ହଜିଲା ପୁଅ ପୁଣି ନିଜ ଘରକୁ ଫେରି ଆସିଛି। କରୋନାରେ ଫେରି ଆସିଥିବା ପୁଅ ବଡ଼କୁଳ ସଙ୍ଗରୋଧ କେନ୍ଦ୍ରରେ ହଜିଲା ପୁଅ ପୂର୍ଣ୍ଣଚନ୍ଦ୍ର ଅଛି ବୋଲି ଶୁଣିବାକୁ ପାଇଥିଲେ ମା’ ଦୁଖୀ ସ୍ୱାଇଁ ।
ପୂର୍ଣ୍ଣଚନ୍ଦ୍ର ଦୀର୍ଘ ୨୨ ବର୍ଷ ଧରି ଜମ୍ମୁ କାଶ୍ମୀରରେ ରହି ଯାଇଥିଲେ । ଆର୍ଥିକ ଅନାଟନ ଯୋଗୁଁ ପୁର୍ଣ୍ଣଚନ୍ଦ୍ର ଘରକୁ ଫେରି ଆସିପାରୁ ନଥିଲେ । କିନ୍ତୁ କରୋନା ପାଇଁ କିଛି ଓଡ଼ିଆ ଶ୍ରମିକ ନିଜ ଭିଟାମାଟିକୁ ଫେରୁଥିବା ଜାଣିବା ପରେ ସେମାନଙ୍କୁ ପୂର୍ଣ୍ଣଚନ୍ଦ୍ର ନିଜର ଦୁଃଖ କଥା କହିଥିଲେ। ସେମାନେ ମଧ୍ୟ ପୂର୍ଣଚନ୍ଦ୍ରକୁ ସାହାର୍ଯ୍ୟ କରିବେ ବୋଲି ସାହସ ଦେଇଥିଲେ। ନୟାଗଡ଼ର କିଛି ପ୍ରବାସୀ ଶ୍ରମିକ ପୂର୍ଣଚନ୍ଦ୍ରକୁ ଆସିବା ପାଇଁ କହିଥିଲେ। ନୟାଗଡ଼ର ପ୍ରବାସୀ ଶ୍ରମିକ ପୂର୍ଣ୍ଣଚନ୍ଦ୍ରକୁ ଭୁବନେଶ୍ୱର ଆଣି ବାଲୁଗାଁକୁ ଆସୁଥିବା ଏକ ଗାଡିରେ ଛାଡିଥିଲେ । ପୂର୍ଣଚନ୍ଦ୍ର ବଡ଼କୁଳ ସଂଗରୋଧ କେନ୍ଦ୍ରରେ ୧୪ ଦିନ ରହିବା ସମୟରେ ତା’ର ମା’ ଜାଣିଥିଲେ ଯେ ତାଙ୍କର ହଜିଲା ପୁଅ ସଙ୍ଗରୋଧ କେନ୍ଦ୍ରରେ ଅଛି। ତେଣୁ ଭାବ ବିହ୍ଵଳିତ ହୋଇ ପୁଅକୁ ଅତି ଆନନ୍ଦର ସହ ଘରକୁ କୋଳେଇ ନେଇଥିଲେ । ଆନନ୍ଦରେ ୮୦ ବର୍ଷର ବୃଦ୍ଧ। ମା’ ନିଜ ପୁଅକୁ ଖୁଆଇ ଦେଉଛି , ମା’ ର ଆନନ୍ଦ କହିଲେ ନସରେ ।
ରାଗ ବ୍ରହ୍ମ ଚଣ୍ଡାଳ , ରାଗରେ ବାପା ଦୁଇ ପଦ କଥା କହିଦେଲେ , ଏତିକିରେ ପୂର୍ଣ୍ଣଚନ୍ଦ୍ର ୧୫ ବର୍ଷ ବୟସରେ ଘର ଛାଡ଼ି ପଳାଇଲା । ଅର୍ଦ୍ଧ ଶିକ୍ଷିତ ପୂର୍ଣ୍ଣଚନ୍ଦ୍ର ଆର୍ଥିକ ଅନାଟନ ଯୋଗୁଁ ଆଉ ଘର ସହିତ ଯୋଗାଯୋଗ କରିପାରିନଥିଲେ । ବାପା ସ୍ୱର୍ଗପ୍ରାପ୍ତି ହେଲେ , କିନ୍ତୁ ପୁର୍ଣ୍ଣଚନ୍ଦ୍ର ଜାଣିପାରିଲା ନାହିଁ , ମା’ ର ବିଶ୍ୱାସ ଥିଲା ପୁଅ ମୋର ନିଶ୍ଚିତ ଫେରିବ । ମା’ର ସେହି ପଣତ କାନି ଆଜି ତାର ପୁଅ କୁ ଫେରାଇ ଆଣିଛି । ଗାଁର ଲୋକେ ଏବଂ ବନ୍ଧୁ ପରିଜନ ମଧ୍ୟ ବହୁତ ଖୁସୀ ଅନୁଭବ କରୁଛନ୍ତି , ପୁର୍ଣ୍ଣଚନ୍ଦ୍ର ର ଫେରିବା ଘଟଣା କୁ ନେଇ। ଗାଁ ଲୋକ ଏକ ଶୋଭାଯାତ୍ରାରେ ପୁର୍ଣ୍ଣଚନ୍ଦ୍ରକୁ ଘରକୁ ପାଛୋଟି ନେଇଥିଲେ ।