ଦୁବାଇ ଶାସକଙ୍କୁ ଦିଆଗଲା କରୋନା ଟିକା, ଟ୍ବିଟ୍ କରି ନିଜେ ଦେଲେ ସୂଚନା

Published By : Prameya-News7 Bureau | November 04, 2020 IST

ଦୁବାଇ ୪।୧୧: ଦୁବାଇର ଶାସକଙ୍କୁ ଦିଆଗଲା କରୋନା ଟିକା । ୟୁଏଇର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକତୁମଙ୍କୁ ମଙ୍ଗଳବାର ଦିନ କରୋନା ଟିକା ଦିଆଯାଇଛି । ଏ ସଂପର୍କରେ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଶେଖ୍ ମହମ୍ମଦ ଟ୍ବିଟ୍‌ରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ସ୍ବାସ୍ଥ୍ୟକର୍ମୀ ତାଙ୍କ ଡାହାଣ ହାତରେ କୋଭିଡ୍ ଟିକା ଦେଉଛନ୍ତି ।

ଫଟୋ ସେୟାର କରିବା ସହ ସେ ଲେଖିଛନ୍ତି, ‘ଆଜି ମୁଁ କରୋନା ଟିକା ନେଇଛି । ମୁଁ ସମସ୍ତଙ୍କ ସୁରକ୍ଷା ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି । ମୋତେ ମୋ ଟିମ୍ ଉପରେ ଗର୍ବ ଅନୁଭବ ହେଉଛି । ଯେଉଁମାନେ ୟୁଏଇ ପାଇଁ କୋଭିଡ୍ ଟିକା ଉପଲବ୍ଧ କରାଇବା ପାଇଁ ଲଗାତର କାମ କରିବା ସହ ବହୁ ପ୍ରୟାସ କରିଥିଲ ।’ ସେ ଆହୁରି କହିଛନ୍ତି ୟୁଏଇର ଭବିଷ୍ୟତ ସର୍ବଦା ଉତ୍ତମ ରହିବ ।

ଏହି ଟିକା ଦୁବାଇର ଶାସକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଦିଆଯାଇଛି । ଚୀନର ସିନୋଫାର୍ମ ଦ୍ବାରା ବିକଶିତ କରାଯାଇଥିବା ଟିକା ଦୁବାଇ ଶାସକଙ୍କୁ ଦିଆଯାଇଛି । ୟୁଏଇରେ ଏବେ ଏହି ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଗତ ଜୁଲାଇ ମାସରୁ ଆରମ୍ଭ ହୋଇଛି । ସେପ୍ଟେମ୍ବର ମାସରେ ଏହି ଟିକା ୟୁଏଇର ସ୍ବାସ୍ଥ୍ୟକର୍ମୀମାନଙ୍କୁ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.