ଦୁବାଇର ଶାସକଙ୍କ ଷଷ୍ଠ ପତ୍ନୀ ହେଲେ ଗାୟବ : ଲୁଟି ନେଲେ ୨୭୧କୋଟି ଟଙ୍କା
30/06/2019 at 2:28 PM

ଦୁବାଇ ୩୦/୬: ଦୁବାଇର ଧନୀ ଶାସକଙ୍କ ଷଷ୍ଠ ପତ୍ନୀ (ରାନୀ) ହୟା କୋଟି କୋଟି ଟଙ୍କା ଏବଂ ଦୁଇ ପିଲାଙ୍କୁ ନେଇ ସଂଯୁକ୍ତ ଆରବ ଏମିରେଟରୁ ନିଖୋଜ ହୋଇଯାଇଛନ୍ତି। ଏପରି କୁହାଯାଉଛି ଯେ ସେ ଘର ଛାଡ଼ିବା ସମୟରେ ନିଜ ସାଥିରେ ପାଖାପାଖି ୩୧ମିଲିୟନ ପାଉଣ୍ଡ ନେଇ ଯାଇଥିଲେ। ୟୁଏଇର ପ୍ରଧାନମନ୍ତ୍ରୀ ଏବଂ ଉପାଧ୍ୟକ୍ଷ ଶେଖ ମହମ୍ମଦ ବିନ୍ ରଶିଦ ଅଲ ମକତୁମଙ୍କ ଷଷ୍ଠ ପତ୍ନୀଙ୍କ ସହ ତାଙ୍କର ସମ୍ପର୍କ ଏବେ ଠିକ୍ ଚାଲିନଥିଲା। ପ୍ରାଥମିକ ସୂତ୍ରରୁ ଜଣାପଡ଼ିଥିଲା ଯେ ରାଣୀ ହୟାଙ୍କ ଇଂଲଣ୍ଡର ରାଜଧାନୀ ଲଣ୍ଡନରେ ଲୁଚି ଥିବାର ଆଶଙ୍କା କରାଯାଉଥିଲା।

ଜୋର୍ଡ଼ାନର ରାଜା ଅବଦୁଲାହଙ୍କ ସାବତ ଭଉଣୀ ହୟା ଏବେ ନିଜର ସ୍ବାମୀଙ୍କଠୁ ଛାଡ଼ପତ୍ର ନେବାକୁ ଚାହୁଁଥିଲେ। ସୂଚନା ଅନୁଯାୟୀ ଦୁବାଇରୁ ବାହାରି ହୟା ଜର୍ମାନୀରେ ରହିବାକୁ ଚାହୁଁଥିଲେ। ସେ ଜର୍ମାନୀର ସରକାରଙ୍କଠୁ ନିଜ ଝିଅ ଜାଲିୟା(୧୧) ଏବଂ ଜାୟଦ(୭)ସହ ରହିବା ପାଇଁ ରାଜନୈତିକ ଆଶ୍ରୟ ମାଗିଥିଲେ।

ଆଉ କେତେକ ରିପୋର୍ଟରେ ଦାବି କରାଯାଉଛି ଯେ ନୂଆ ଜୀବନ ଆରମ୍ଭ କରିବା ପାଇଁ ପ୍ରିନସେସ ହୟା ପର୍ଯ୍ୟାପ୍ତ ଟଙ୍କା ନିଜ ସାଥିରେ ନେଇ ଆସିଛନ୍ତି। ତାଙ୍କୁ ଟଙ୍କା ପାଇଁ ସଂଘର୍ଷ କରିବାକୁ ପଡ଼ିବ ନାହିଁ।

କୁହାଯାଏ ଯେ ପ୍ରିନସେସ ହୟା ପଶ୍ଚିମ ଦେଶରେ ଯଥେଷ୍ଟ ଅବଗତ ଅଟନ୍ତି। କାରଣ ସେ ଇଂଲଣ୍ଡର ଅକ୍ସଫୋର୍ଡ଼ ୟୁନିର୍ଭସିଟିରେ ପାଠ ପଢ଼ିଛନ୍ତି। ଏହା ପରେ ସମାଜ ସେବା କାମ କରିଥିଲେ।

ଗତ ଫେବୃୟାରୀ ପରଠୁ ତାଙ୍କୁ କୈାଣସି ସାର୍ବଜନିକ କାର୍ଯ୍ୟକ୍ରମ କିମ୍ବା ସୋଶିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ଦେଖାଯାଉନଥିଲା। ଏହା ପୂର୍ବରୁ କିନ୍ତୁ ସେ ସାର୍ବଜନୀକ ଭାବେ ସବୁଥିରେ ସକ୍ରିୟ ରହୁଥିଲେ। ସୋଶିଆଲ ମିଡିଆରେ ତାଙ୍କର ଶେଷ ଫଟୋ ମଇ ୨୦ତାରିଖରେ ଦେଖାଯାଇଥିଲା।

ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ପ୍ରିନସେସ ହୟାଙ୍କୁ ଦୁବାଇରୁ ଆଣିବା ପାଇଁ ଜର୍ମାନୀର ରାଜନାୟକମାନେ ସାହାଯ୍ୟ କରିଛନ୍ତି। କାରଣ ଏତେ ଟଙ୍କା ଏବଂ ଦୁଇ ପିଲାଙ୍କୁ ନେଇ ଦୁବାଇରୁ ବାହାରିବା ଏତେ ସହଜ କଥା ନଥିଲା।

ପ୍ରିନସେସ ହୟାଙ୍କ ପୂର୍ବରୁ ଶେଖଙ୍କ ଝିଅ ଲତିଫା ମଧ୍ୟ ଦେଶ ଛାଡ଼ି ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କୁ ଗୋଆ ପାଖରେ ଭାରତୀୟ ତଟରକ୍ଷକ ବଳ ରୋକିଥିଲେ। ଏହାପରେ ସାମାନ୍ୟ କାଗଜ କାରବାର ପୂରା କରି ସାରିବା ପରେ ତାଙ୍କୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଥିଲା।
