ଛାତ୍ରଙ୍କୁ ଥାନାରେ ନିର୍ବସ୍ତ୍ର କରି ମାଡ, ପ୍ରାଇଭେଟ୍ ପାର୍ଟରେ ଭର୍ତ୍ତି କରିଦେଲେ ପ୍ଲାଷ୍ଟିକ୍ ପାଇପ୍ : ଥାନା ଅଧିକାରୀଙ୍କ ସମେତ ୫ଜଣଙ୍କ ନାଁରେ ମାମଲା ରୁଜୁ

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ ୨।୯: ଦିଲ୍ଲୀ ବିଶ୍ବବିଦ୍ୟାଳୟ ଜଣେ ଛାତ୍ରଙ୍କୁ ଥାନାରେ ନିର୍ବସ୍ତ୍ର କରି ପିଟିବା ଘଟଣାରେ ଆଦର୍ଶ ନଗର ଥାନା ଅଧିକାରୀଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କ ବିରୋଧରେ ସେହି ଥାନାରେ ମାମଲା ରୁଜୁ କରାଯାଇଛି । ଡେପୁଟି କମିଶନର ଏହି ଘଟଣାର ଯାଞ୍ଚ ପାଇଁ ଏସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ତୃତୀୟ ବର୍ଷର ପୀଡିତ ଛାତ୍ର ଅଭିଯୋଗ କରିଛନ୍ତି ଯେ, ଗତ ୨୪ ତାରିଖରେ ଆଦର୍ଶ ନଗର ଥାନାର ହାବିଲଦାର ମୋହନଲାଲ ଏବଂ ସିପାହୀ ସତେନ୍ଦ୍ର ସୟା ମୋଟର୍ସ ଲାଲବାଗ ନିକଟରୁ ତାଙ୍କ ପୁତୁରାଙ୍କ ସମେତ ୩ଜଣଙ୍କୁ ଜୋରଜବରଦସ୍ତ ଅସୁଲି କରିବା ଅଭିଯୋଗରେ ଗିରଫ କରିଥିଲେ । ଯେତେବେଳେ ସଂପୃକ୍ତ ଛାତ୍ର ଜଣଙ୍କ ତାଙ୍କ ପୁତୁରା ସଂପର୍କରେ ଖବର ନେବା ପାଇଁ ଆଦର୍ଶ ନଗର ଥାନାରେ ପହଞ୍ଚିଥିଲେ ସେତେବେଳେ ଥାନା ଅଧିକାରୀଙ୍କ ସମେତ ଅନ୍ୟ ୫ଜଣ ପୋଲିସ କର୍ମଚାରୀ ତାଙ୍କୁ ମଧ୍ୟ ଥାନାରେ ରଖିଦେଇଥିଲେ । ଥାନା ଭିତରେ ଥାନା ଅଧିକାରୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କୁ ନିର୍ବସ୍ତ୍ର କରି ମାଡ ମାରିବା ସହ ପ୍ରାଇଭେଟ୍ ପାର୍ଟରେ ପ୍ଲାଷ୍ଟିକ୍ ପାଇପ୍ ଭର୍ତ୍ତି କରିଦେଇଥିବା ପୀଡିତ ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି । ସଙ୍ଗୀନ ଅଭିଯୋଗରେ ଫସାଇଦେବାକୁ ଧମକ ଦେଇ କେବଳ ପଚରାଉଚରା ପାଇଁ ତାଙ୍କୁ ଥାନାକୁ ଡକାଯାଇଥିବା ନେଇ କାଗଜରେ ଲେଖାଇନେଇଯାଇଥିଲେ ବୋଲି ସେ କହିଛନ୍ତି ।

ଥାନାରୁ ବାହାରିବା ପରେ ସେ ତାଙ୍କର ଚିକିତ୍ସା କରାଇ ନିଜ ସାଙ୍ଗମାନଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ପୀଡିତ ଛାତ୍ର ଦିଲ୍ଲୀ କମିଶନର, ଅନୁସୂଚିତ ଜାତି ଜନଜାତି ଆୟୋଗ ଏବଂ ଜାତୀୟ ମାନବାଧିକାର ଆୟୋଗରେ ଏ ନେଇ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.